Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୨୯, ୧୯୧୪

ହେ ପ୍ରେମର ପ୍ରଭୁ, ସମସ୍ତଙ୍କ ଭିତରେ ତୁ ରହିଛୁ, ତେଣୁ ସମସ୍ତ ମନୁଷ୍ୟ, ଏପରିକି ଅତି ନିଷ୍ଠୁର ବି ଦୟାର୍ଦ୍ର ହୋଇପାରେ, ଅତି ହୀନ ବି ନ୍ୟାୟ ଓ ସମ୍ମାନକୁ ମର୍ଯ୍ୟାଦା ଦିଏ, ଯଦିଓ ଅନିଚ୍ଛା ସତ୍ତ୍ୱେ । ଆମେ ଯାହାକିଛି କରୁ, ଆମେ ଯାହାକିଛି ହେଉ ସବୁକୁ ତୁ ସକଳ ବିଚାର ଓ ସକଳ ସଂସ୍କାରର ଊର୍ଦ୍ଧ୍ୱରୁ ଏକ ଅପରୂପ ଦିବ୍ୟ-ଅମଳ ଆଲୋକରେ ଉଦ୍ଭାସିତ କରି ଧରୁ । ତୁ ଆମ୍ଭମାନଙ୍କୁ ଦେଖାଇ ଦେଉ ଆମେ ବାସ୍ତବରେ ଯାହା କରୁ ଓ ଇଚ୍ଛା କଲେ ଯାହା ହୋଇପାରୁ ଏ ଦୁଇଟି ମଧ୍ୟରେ କ’ଣ ପାର୍ଥକ୍ୟ ।

ସମସ୍ତ ଅମଙ୍ଗଳ, ଅନ୍ଧକାର ଓ ଅଶ୍ରୁଭ ଇଚ୍ଛା ବିରୋଧରେ ଛିଡ଼ାହୋଇଛି ତୋର ଅନତିକ୍ରମଣୀୟ ସୀମା । ସକଳ ହୃଦୟରେ ତୁ ହେଉଛୁ ଭବିଷ୍ୟତ୍ ଓ ସମ୍ଭାବ୍ୟ ସିଦ୍ଧିସକଳର ଜ୍ୱଳନ୍ତ ଆଶା ।

ମୋ ହୃଦୟର ବ୍ୟାକୁଳ ପୂଜା ତୋତେ ଅର୍ପିତ ।

ତୁ ଆମ ବୁଦ୍ଧିର ଅଗମ୍ୟ ଅବଲମ୍ବନ, ତୋତେ ଧରି ଆମେ ଆଗେଇ ଯାଉ ଧାରଣାତୀତ, କଳ୍ପନାତୀତ ମହାନ୍ ଐଶ୍ଵର୍ଯ୍ୟ ଆଡ଼କୁ ଯାହା କ୍ରମଶଃ ଆମ ନିକଟରେ ପ୍ରକଟ ହୋଇଉଠିବ ।