Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୩୧, ୧୯୧୪

ମୋର ମନେହୁଏ ଗୋଟିଏ ଗୋଟିଏ କରି ତୁ ମୋତେ ସେହି ସବୁ ଅଭିଜ୍ଞତାର ଆସ୍ୱାଦନ ଦେବାକୁ ଚାହୁଁ, ସାଧାରଣତଃ ଯେଉଁ ଗୁଡ଼ିକର ସ୍ଥାନ ଯୋଗ ସାଧନାର ଶୀର୍ଷରେ ତା’ର ଶେଷ ପରିଣତି ହିସାବରେ, ତା’ର ପୂର୍ଣ୍ଣ ସିଦ୍ଧିର ପ୍ରମାଣ ହିସାବରେ । ସେ ଅଭିଜ୍ଞତା ତୀବ୍ର, ଅଖଣ୍ଡ, ସୁସ୍ପଷ୍ଟ, ପୁଣି ତା’ ମଧ୍ୟରେ ରହିଛି ତା’ ନିଜସ୍ୱ ସକଳ ପରିଣାମର, ସକଳ ଫଳର ଜ୍ଞାନ, ସେ ଅଭିଜ୍ଞତା ସଜାଗ, ସ୍ୱେଚ୍ଛାକୃତ, କାରଣ ତାହା ନିୟମିତ ପ୍ରୟାସରଫଳ, ଆକସ୍ମିକ ବା ଅପ୍ରତ୍ୟାଶିତ କିଛି ନୁହେଁ । ତଥାପି ପ୍ରତ୍ୟେକ ଅଭିଜ୍ଞତାର ନିଜସ୍ଵତା ରହିଛି । ରାସ୍ତାରେ ସ୍ଥାନେ ସ୍ଥାନେ ଯେପରି ଚିହ୍ନଫଳକ ଥାଏ, ସେମାନେ ପୃଥକ୍, ସେମାନଙ୍କର ଯୋଗସୂତ୍ର ସେହି ରାସ୍ତାଟି, ସେହିପରି ତେବେ ଏଠାରେ ଚିହ୍ନ ଗୁଡ଼ିକ ନିର୍ଦେଶ ଦିଏ ଅନ୍ତହୀନ ଉଦ୍ଧାରୋହଣ, ସେମାନେ ଏକ ପ୍ରକାରର ନୁହଁନ୍ତି, ପ୍ରତ୍ୟେକଟି ପୃଥକ୍ ଧରଣର, ଯେପରି କାହା ସହ କାହାର କୌଣସି ସଂପର୍କ ନାହିଁ ।… କେବେ ଆସିବ ସେ ଦିନ ଯେଉଁ ଦିନ ତୋ କଲ୍ୟାଣରେ ଏ ଆଧାର ତା’ର ଅସଂଖ୍ୟ ଅଭିଜ୍ଞତା ମଧ୍ୟରେ ସମନ୍ୱୟ ଆଣିପାରିବ, ସେମାନଙ୍କ ମଧ୍ୟରୁ ଏପରି ଏକ ପୂର୍ଣ୍ଣତର, ସୁନ୍ଦରତର ଅଭିନବ ସିଦ୍ଧି ଗଢ଼ି ଉଠିବ ଏଯାବତ୍ ଯାହାର ଅନୁରୂପ କିଛି ସୃଷ୍ଟି ହୋଇ ନାହିଁ ? ଜାଣେନା । କିନ୍ତୁ ତୁ ତ ମୋତେ ଶିଖାଇଛୁ ମୋ ଅଭିଜ୍ଞତା ଯେତେ ବିରଳ ହେଉ ନା କାହିଁକି, ତା’ ଯଦି ଚାଲି ବି ଯାଏ ତଥାପି ମୁଁ ଯେପରି ଦୁଃଖ ନ କରେ, ନିଜ ମନକୁ ଯଦି ଫେରିଆସେ ତଥାପି ତା’ ପାଇଁ ଯେପରି କୌଣସି ବାସନା ପୋଷଣ ନ କରେ । ଏଥିରୁ ସାଧନାର ଗତି ଯେ ଅସ୍ଥିର ବା ଚଞ୍ଚଳ ତାହାର ତ କୌଣସି ପ୍ରମାଣ ପାଏ ନା ବରଂ କ୍ରମଗତିର ପ୍ରମାଣ ମିଳେ ଯାହା ସ୍ଥିର ସଂକଳ୍ପ ନେଇ ଗତି କରି ଚାଲିଛି, ରାସ୍ତାର ପ୍ରତ୍ୟେକଟି ପର୍ବରେ ଯେଉଁଠି ଯେତିକି ପ୍ରୟୋଜନ, କୌଣସି ସ୍ଥାନରେ ତା’ଠାରୁ ଅଧିକ ନ ରହି ।

ପ୍ରତ୍ୟେକ ଥର ତୁ ମୋତେ ଆହୁରି ଭଲଭାବରେ ଶିଖାଇଛୁ ଯେ ତୋ ପ୍ରକାଶର ଉପାୟ ଯଦି ସୀମାବଦ୍ଧ ହୋଇଥାଏ, ତେବେ ତା’ର କାରଣ, ଆମେ ତାହା ସେହିପରି ମନେ କରୁ ବୋଲି; ଫଳତଃ ସେ ଉପାୟ ତୋର ସମସ୍ତ ଆନନ୍ତ୍ୟରହିଁ ବାହନ ହୋଇପାରେ ।ପ୍ରତ୍ୟେକ ଥର ତୋ ଅସୀମ ତାରୁ କିଛି ଓହ୍ଲାଇ ଆସି ତା’ର ନିବାସ ଏହି ଆଧାର ସହ ସଂଯୁକ୍ତ ହୁଏ, ଖୋଲି ଧରେ ସକଳ ଦ୍ଵାର, ତା’ ମଧ୍ୟଦେଇ ଦେଖାଏ ଅନ୍ତହୀନ ଦିକ୍ରବାଳ ।