Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୨, ୧୯୧୫

ପ୍ରବଳ ବାୟୁ ଯେପରି ସମୁଦ୍ର ବକ୍ଷରେ ପ୍ରବାହିତ ହେଲେ ତାହାର ଅସଂଖ୍ୟ ତରଙ୍ଗାବଳୀକୁ ଫେନପୁଞ୍ଜରେ ମୁକୁଟମଣ୍ଡିତ କରେ, ସେହିପରି ମୋ ସ୍ମୃତି ଉପର ଦେଇ ଗୋଟାଏ ବିପୁଳ ଫୁକାର ପ୍ରବାହିତ ହୋଇ ସେଠାରେ ଅଗଣିତ ପୁରାତନ ସ୍ମୃତିରାଜିକୁ ଜାଗ୍ରତ କଲା । ତୀବ୍ର, ଜଟିଳ, ଘନବିନ୍ୟସ୍ତ ଅତୀତ ବିଦ୍ୟୁତ୍ ଚମକ ତୁଲ୍ୟ ତାହାର କିଛିମାତ୍ର ରସସ୍ୱାଦ ଓ ଐଶ୍ଵର୍ଯ୍ୟ ନ ହରାଇ ପୁନଶ୍ଚ ଜୀବନ୍ତ ହୋଇ ଉଠିଲା ।

ତା’ପରେ ସମସ୍ତ ଆଧାର ଆରାଧନାମଗ୍ନ ହୋଇ ଆବେଗରେ ଊର୍ଦ୍ଧ୍ୱକୁ ଉଠିଗଲା ଏବଂ ତାହାର ସମସ୍ତ ସ୍ମୃତିକୁ ଏକ ପ୍ରଚୁର ଶସ୍ୟଗୁଚ୍ଛ ତୁଲ୍ୟ ଏକତ୍ରିତ କରି, ହେ ଭଗବାନ୍, ତୋ ଚରଣରେ ଅର୍ଘ୍ୟରୂପେ ଅର୍ପଣ କଲା ।

ସମସ୍ତ ଜୀବନବ୍ୟାପୀ, ଅଜ୍ଞାତସାରରେ, ପୂର୍ବାଭାସ ନ ପାଇ ସେ ତୋତେ ହିଁ ସନ୍ଧାନ କରି ଚାଲିଛି । ତାହାର ସକଳ କାମନାବାସନା, ସକଳ ଉତ୍ସାହ, ସକଳ ଆଶା, ସକଳ ନିରାଶା, ସକଳ ଯନ୍ତ୍ରଣା, ସକଳ ଆନନ୍ଦ ମଧ୍ୟରେ ସେ ବ୍ୟାକୁଳ ହୋଇ ତୋତେ ହିଁ ଖୋଜିଛି । ଆଉ ବର୍ତ୍ତମାନ ଯେତେବେଳେ ସେ ତୋତେ ପାଇଛି ଏବଂ ପରମ ଶାନ୍ତି ଓ ଆତ୍ମତୃପ୍ତି ମଧ୍ୟରେ ତୋତେ ଅଧିକାର କରିଛି, ସେତେବେଳେ ସେ ଆଶ୍ଚର୍ଯ୍ୟ ହେଉଛି ଯେ ତୋତେ ଆବିଷ୍କାର କରିବା ନିମନ୍ତେ ଏତେ ବେଶୀ ଚିଭାବେ ଗ, ଭାଗାବେଗ ଏବଂ ଅଭିଜ୍ଞତାର ସଂଘାତ ତାହାର ଆବଶ୍ୟକ ହୋଇଥିଲା ।

କିନ୍ତୁ ଏହିସବୁ – ଯାହା ଥିଲା ସଂଘର୍ଷ, ସ୍କେଶ ଓ ନିରବଚ୍ଛିନ୍ନ ପ୍ରୟାସ, ତାହା ତୋର ସଚେତନ ଦିବ୍ୟ ସାନ୍ନିଧ୍ୟର ପରମ କରୁଣା ବଶରେ ପରିଣତ ହୋଇଛି ଅମୂଲ୍ୟ ସୌଭାଗ୍ୟରେ, ଯାହାକୁ ମୋ ସତ୍ତା ତୋ ଚରଣରେ ଅର୍ପଣ କରି ଆନନ୍ଦ ଉତ୍ଫୁଲ୍ଲ ହୋଇଛି । ତୋ ଦିବ୍ୟ ଜ୍ୟୋତିଃର ପାବକଶିଖା ସେସବୁକୁ ମହାର୍ଘ ରତ୍ନରେ ପରିଣତ କରିଛି, ଆଉ ସେସବୁକୁ ମୁଁ ମୋର ହୃଦୟବେଦି ଉପରେ ଜୀବନ୍ତ ପୂର୍ଣ୍ଣାହୁତି ଦେଇଛି ।

ଭ୍ରାନ୍ତିସବୁ ହୋଇଉଠିଛି ସୋପାନଶ୍ରେଣୀ, ଅନ୍ଧ ଅନ୍ବେଷଣ ହୋଇଛି ବିଜୟ ସିଦ୍ଧି ।ତୋ ମହିମା ପରାଜୟକୁ ଶାଶ୍ୱତ ବିଜୟରେ ରୂପାନ୍ତରିତ କରେ; ତୋ ଭାସ୍କର ଜ୍ୟୋତିଃ ସମ୍ମୁଖରେ ଅନ୍ଧକାର ପଳାୟନ କରିଛି ।

ତୁ ଥିଲୁ ଲକ୍ଷ୍ୟ ଓ ପ୍ରେରଣା, ତୁହଁ କର୍ମୀ ଓ କର୍ମ ।
ବ୍ୟକ୍ତିଗତ ଜୀବନ ଯେପରି ଗୋଟାଏ ନିରବଚ୍ଛିନ୍ନ ସ୍ତୋତ୍ର, ବିଶ୍ୱ ପୁନଃପୁନଃ ତାହା ଗାଉଛି ତୋର ଅଚିନ୍ତନୀୟ ମହେଶ୍ୱର୍ଯ୍ୟ ଉଦ୍ଦେଶ୍ୟରେ ।