Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୫, ୧୯୧୪

ହେ ସର୍ବେଶ୍ୱର ! ତୋ ଧ୍ୟାନର ପ୍ରଶାନ୍ତ ନୀରବତା ମଧ୍ୟରେ ପ୍ରକୃତି ନୂତନ ରୂପେ ଗଠିତ ଓ ଦୃଢ଼ୀଭୂତ ହୋଇଛି । ବ୍ୟକ୍ତିଗତ ସକଳ ବିଧାନକୁ ଅତିକ୍ରମ କରି ସେ ବୁଡ଼ିଯାଇଛି ତୋ ଆନନ୍ତ୍ୟ ମଧ୍ୟରେ ଯେଉଁଠାରେ ସର୍ବ ଭୁବନର ଐକ୍ୟ ଉପଲବ୍ଧ କରାହୁଏ ବିନାବିଶୃଙ୍ଖଳାରେ, ବିନା ଅବ୍ୟବସ୍ଥାରେ । ଯେଉଁ ବସ୍ତୁ ରହି ଚାଲିଛି, ଯାହା ପ୍ରଗତିଶୀଳ, ଯାହା ଶାଶ୍ଵତରୂପେ ଅବସ୍ଥିତ, ସେସବୁର ସୁସଙ୍ଗତ ସମେଳନ ନିରନ୍ତର କ୍ରମସମୃଦ୍ଧ, କ୍ରମପ୍ରସାରିତ, କ୍ରମସମୁଚ୍ଚ ସାମ୍ୟବସ୍ଥାକୁ ଆଶ୍ରୟ କରି ଧୀରେ ଧୀରେ ଗଢ଼ିଉଠୁଛି । ଜୀବନର ତ୍ରିଧାରାର ଏହି ପରସ୍ପର ଆଦାନପ୍ରଦାନ ତୋ ଆବିର୍ଭାବକୁ ପୂର୍ଣ୍ଣ କରି ଗଢୁଛି ।

ଦୁଃଖକଷ୍ଟ ଓ ଅନିଶ୍ଚିତତା ମଧ୍ୟଦେଇ ବହୁ ଲୋକ ଆଜି ତୋତେ ଖୋଜୁଛନ୍ତି ।ଏହାହିଁ କର ମୁଁ ଯେପରି ସେମାନଙ୍କ ପାଖରେ ତୋର ପ୍ରତିଭୁ ହୋଇଉଠେ, ତୋର ଆଲୋକ ଯେପରି ସେମାନଙ୍କୁ ଆଲୋକିତ କରେ, ତୋ ଶାନ୍ତି ସେମାନଙ୍କୁ ସାନ୍ତ୍ୱନା ଦିଅ । ବର୍ତ୍ତମାନ ମୋ ସତ୍ତା ତୋ କର୍ମର ଗୋଟିଏ ଅବଲମ୍ବନ, ତୋ ଚେତନାର ଗୋଟିଏ କେନ୍ଦ୍ର । ଆଜି ସେହି ସୀମାବନ୍ଧନ ଓ ବାଧାସବୁ ଗଲାକୁଆଡ଼େ ? ତୋ ରାଜ୍ୟର ତୁହିଁ ଏକଚ୍ଛତ୍ର ରାଜା !