Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୧, ୧୯୧୪

ସର୍ବଜୟୀ ହେ ଦିବ୍ୟ ପ୍ରେମଶକ୍ତି, ଏ ବିଶ୍ଵର ତୁହିଁ ଏକଚ୍ଛତ୍ର ଅଧୀଶ୍ୱର, ତୁହିଁ ତା’ର ସ୍ରଷ୍ଟା, ତା’ର ତ୍ରାଣକର୍ତ୍ତା, ତୋରି କଲ୍ୟାଣରୁ ସେ ଉଠିଆସିଛି ଆଦି ଅନ୍ଧକାରର ଗର୍ଭରୁ, ଆଉ ତୁହିଁ ତାକୁ ନେଇଚାଲିଛୁ ତା’ର ସନାତନ ଲକ୍ଷ୍ୟ ଦିଗରେ ।

ଏପରି କୌଣସି ତୁଚ୍ଛ ବସ୍ତୁ ନାହିଁ ଯାହା ଭିତରେ ମୁଁ ତୋତେ ଦୀପ୍ତିମାନ୍ହୋଇଥିବାର ଦେଖିଲି ନାହିଁ । ତୋ ଇଚ୍ଛାର ଏପରି କୌଣସି ଶତୁନାହିଁ – ଆପାତ ଦୃଷ୍ଟିରେ ସେ ଯେତେ ବିରୋଧୀ ହେଲେ ବି – ଯାହା ମଧ୍ୟରେ ମୁଁ ତୋତେ ହିଁ ସଜୀବ, ସକ୍ରିୟ ଓ ପ୍ରଜ୍ଜଳ ହୋଇଥିବାର ଅନୁଭବ କରୁ ନାହିଁ ।

ହେ ମୋର ମଧୁର ପ୍ରଭୁ, ତୁ ଏହି ପ୍ରେମର ସାର ଓ ମୁଁ ତୋର ହୃଦୟ; ତୋ ପ୍ରେମର ବିପୁଳ ସ୍ରୋତ ମୋର ସମଗ୍ର ସତ୍ତା ଭିତର ଦେଇ ବହିଯାଉଛି ପ୍ରତ୍ୟେକ ବସ୍ତୁରେ ତୋର ପ୍ରେମକୁ ଜାଗ୍ରତ୍ କରିବା ପାଇଁ, ବରଂ ପ୍ରତ୍ୟେକ ବସ୍ତୁକୁ ଜାଗ୍ରତ୍ କରିବା ପାଇଁ ତୋ ପ୍ରେମର ଚେତନାରେ, ଯେଉଁ ପ୍ରେମ କି ସମସ୍ତ ବସ୍ତୁକୁ ସଞ୍ଜୀବିତ କରେ ।

ଯେଉଁମାନେ ତୋତେ ଚିହ୍ନି ନାହାନ୍ତି, ଯେଉଁମାନେ ତୋତେ ଜାଣନ୍ତି ନାହିଁ, ଯେଉଁମାନେ ତୋର ଦିବ୍ୟ ଓ ମଧୁର ବିଧାନରୁ ମୁହଁ ଫେରାଇନିଅନ୍ତି, ମୁଁ ସେ ସମସ୍ତଙ୍କୁ ମୋର ପ୍ରେମର ବାହୁ ଭିତରେ ତୋଳିନିଏ, ମୋର ପ୍ରେମର ହୃଦୟରେ ଆଶ୍ରୟ ଦିଏ ଏବଂ ସେମାନଙ୍କୁ ଉତ୍ସର୍ଗ କରେ ତୋର ଦିବ୍ୟତେଜ ପାଖରେ, ଯେପରିକି ତୋ ତେଜର ଅନୁପ୍ରବେଶରେ ପରିପୂର୍ଣ୍ଣ ହୋଇ ସେମାନେ ରୂପାନ୍ତରିତ ହୋଇଉଠନ୍ତି ତୋର ପରମ ଆନନ୍ଦ ଓ ସୌନ୍ଦର୍ଯ୍ୟରେ।

ହେ ପ୍ରେମରାଜ, ତୁ ସମସ୍ତଙ୍କ ଭିତରେ ପ୍ରବେଶ କର ଓ ସମସ୍ତଙ୍କୁ ଦିବ୍ୟରୂପ ପ୍ରଦାନ କର ।