Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୧୧, ୧୯୧୩

ଯେତେବେଳେ ମୋର କିଛି ସ୍ଥୂଳ ବୈଷୟିକ ଦାୟିତ୍ୱ ନ ଥାଏ, ସେତେବେଳେ ସେ ସମ୍ପର୍କରେ ମୋର ସମସ୍ତ ଭାବନା-ଚିନ୍ତା କୁଆଡ଼େ ଦୂରକୁ ଚାଲିଯାଏ, ଏବଂ ମୋର ମନ ଏକାନ୍ତଭାବେ, ପୂର୍ଣ୍ଣଭାବେ ତୋଠାରେ ଓ ତୋ ସେବାରେ ବ୍ୟାପୃତ ରହେ । ସେହିପୂର୍ଣ୍ଣ ଶାନ୍ତି ଓ ପ୍ରସନ୍ନତା ମଧ୍ୟରେ ମୁଁ ମୋର ଇଚ୍ଛାକୁ ତୋ ଇଚ୍ଛା ସଙ୍ଗେ ଏକ କରିଦିଏଏବଂ ସେହି ଅଖଣ୍ଡ ନୀରବତା ମଧ୍ୟରେ ଶୁଣେ ତୋର ସତ୍ୟ ଓ ତା’ର ସ୍ଫୁରଣ । ଯେତେବେଳେ ତୋର ଦିବ୍ୟ-ଇଚ୍ଛା ସମ୍ବନ୍ଧରେ ଆମେ ସଚେତନ ହେଉ, ଆମ୍ଭମାନଙ୍କ ଇଚ୍ଛାକୁ ତୋ ଇଚ୍ଛା ସଙ୍ଗରେ ମିଳାଇ ଦେଉ, ସେତେବେଳେ ହିଁ ଆମେ ଲାଭ କରୁ ଯଥାର୍ଥ ସ୍ୱତନ୍ତ୍ରତା ଓ ସର୍ବଶକ୍ତିମତ୍ତାର ରହସ୍ୟ, ସାମର୍ଥ୍ୟର ପୁନରୁଜ୍ଜୀବନ ରହସ୍ୟ ଓ ସତ୍ତାର ରୂପାନ୍ତରରହସ୍ୟ ।

ତୋ ସଙ୍ଗେ ସର୍ବାଙ୍ଗୀଣ ଓ ନିରବଛିନ୍ନଭାବେ ଏକ ହୋଇ ରହି ବା ଅର୍ଥ ନିଃସଂଶୟରେ ସମସ୍ତ ବାଧା ଅତିକ୍ରମ କରିବା, ବାହାରର ଏବଂ ଭିତରର ସମସ୍ତ ବିଘ୍ନ ଜୟ କରିବା ।

ଭଗବାନ୍, ହେ ଭଗବାନ୍, ସୀମାହୀନ ଆନନ୍ଦ ମୋ ହୃଦୟକୁ ପୂର୍ଣ୍ଣ କରିଛି, ଆନନ୍ଦଗାନର ଅଦ୍ଭୁତ ତରଙ୍ଗ ମୋ ମସ୍ତିଷ୍କରେ କଲ୍ଲୋଳିତ ହେଉଛି, ତୋର ବିଜୟ ସ୍ଥିରନିଶ୍ଚିତ – ଏହି ଦୃଢ଼ ପ୍ରତ୍ୟୟ ମଧ୍ୟରେ ମୁଁ ପାଇଛି ପରମ ଶାନ୍ତିର ଅଜେୟ ଶକ୍ତି । ତୁ ମୋ ସତ୍ତାରେ ପୂରି ରହିଛୁ, ତାକୁ ସଞ୍ଜୀବିତ ରଖିଛୁ, ତାହାର ପ୍ରଚ୍ଛନ୍ନ ଉତ୍ସସକଳ କୁ ସଞ୍ଚାଳିତ କରିଛୁ, ତାହାର ବୁଦ୍ଧିକୁ ଆଲୋକିତ କରିଛୁ, ତାହାର ପ୍ରାଣକୁ ପ୍ରଖର କରିଛୁ, ତାହାର ପ୍ରେମକୁ ବହୁଗୁଣିତ କରିଛୁ; ମୁଁ ଜାଣିପାରୁ ନାହିଁ, ମୁଁ ହେଉଛି ବିଶ୍ୱ ନା ବିଶ୍ୱ ହେଉଛି ମୁଁ, ତୁ ମୋ ମଧ୍ୟରେ ନା ମୁଁ ତୋ ମଧରେ । ଏକ ମାତ୍ର ତୁହିଁ ରହିଛୁ, ସବୁକିଛି ହିଁ ତୁ, ତୋର ଅସୀମ କରୁଣାର ପ୍ରବାହ ସମସ୍ତ ଜଗତକୁ ପୂର୍ଣ୍ଣ କରିଛି ଓ ପ୍ଲାବିତ କରିଛି ।

ହେ ପୃଥିବୀ, ସ୍ତବ ଗାନ କର !
ସ୍ତବ ଗାନ କର ହେ ମନୁଷ୍ୟ ଓ ଜାତିସକଳ !
ଦିବ୍ୟସମନ୍ୱୟ ଆସିଛି ।