ହେ ଭଗବାନ୍, ସମସ୍ତ ପ୍ରକୃତି ତୋତେ ପ୍ରଣାମ କରୁଛି, ଦୁଇ ବାହୁ ଉତୋଳନକରି, ଦୁଇ ହାତ ପ୍ରସାରିତ କରି ତୋତେ ମିନତି ଜଣାଉଛି । ତୋର ଉଦାର କରୁଣା ଉପରେ ଯେ ସେ ସନ୍ଦେହ କରୁଛି ତାହା ନୁହେଁ, ଲାଭ କରିବାକୁ ହେଲେ ଯେ ଭିକ୍ଷା କରିବାକୁ ହେବ, ଏପରି ସେ ମନେ କରୁ ନାହିଁ, କିନ୍ତୁ ଏହାହିଁ ହେଲା ତୋତେ ଆତ୍ମସମର୍ପଣ କରିବା ଓ ପ୍ରଣାମ କରିବାର ଉପାୟ – କାରଣ ଏହି ଆତ୍ମ-ଦାନ ପ୍ରତି ଗ୍ରହଣ ସକାଶେ ପ୍ରସ୍ତୁତ ହେବା ଛଡ଼ା ଆଉ କ’ଣ ? ଏହିପରି ପ୍ରାର୍ଥନା କରିବା ତାହା ପକ୍ଷରେ ତୃପ୍ତିକର, ଯଦିଓ ସେ ଜାଣେ ଯେ ଏହା ନିସ୍ରୟୋଜନ । ଏହି ଆରାଧନା ତାହା ପକ୍ଷରେ ଯେପରି ତୀବ୍ର ସେହିପରି ସୁଖକର । ଏଥିରେ ତାହାର ଭକ୍ତହୃଦୟ ତୃପ୍ତ ହୁଏ, ଏବଂ ସେହି ସଙ୍ଗେ ଏହି ବୁଦ୍ଧିଗତ ଜ୍ଞାନର ବି କୌଣସି କ୍ଷୁଣ୍ଠତା ହୁଏ ନାହିଁ ଯେ ତୁ ସକଳ ସଙ୍ଗେ ଏକ ଏବଂ ସକଳ ବସ୍ତୁ ମଧ୍ୟରେ ବାସକରୁ ।
ସକଳ ପର୍ଦା ଦୂର ହେଉ ଏବଂ ସକଳ ହୃଦୟରେ ଜ୍ୟୋତି ପରିପୂର୍ଣ୍ଣ ହୋଇଉଠୁ ।
ହେ ଭଗବାନ୍, ସକଳ କର୍ମ ସନ୍ଦେ ବି, ସକଳ କର୍ମ ମଧ୍ୟରେ ବି ଆମ୍ଭମାନଙ୍କୁ ଆତ୍ମରତ ପୂର୍ଣ୍ଣ ଶାନ୍ତି ପ୍ରଦାନ କର, ଯାହାକୁ ଅବଲମ୍ବନ କରି ଦିବ୍ୟ ଐକ୍ୟ ଓ ଅଖଣ୍ଡ ଜ୍ଞାନର ପ୍ରକାଶ ସମ୍ଭବ ହୁଏ ।
ହେ ଭଗବାନ୍, ତୋ ପ୍ରତି ମୋର ପ୍ରେମ ନିବେଦନ – ସେହି ପ୍ରେମ ତୁହିଁ, ତଥାପି ମୋ ପ୍ରେମ ତୋ ଚରଣରେ ଭକ୍ତିଭରେ ପ୍ରଣତ ହେଉଛି ।