ପ୍ରତ୍ୟୁଷରେ ଉଠି ମୁଁ ଧରଣୀର ସ୍ତୁତି ଗାନ କଲି । ଏଠାରେ ଯେ କେବଳ ତୋତେ କାମନା କରାଯାଏ ତା’ ନୁହେଁ, ତୋତେ ଜାଣିହୁଏ ଏବଂ ତୋ ସହ ଏକ ହୋଇଯାଇହୁଏ । ଆଶ୍ଚର୍ଯ୍ୟ ଲାଗେ, ଏପରି ଲୋକ ଅଛନ୍ତି ଯେଉଁମାନେ ପୂର୍ଣ୍ଣତାର ଅନ୍ୟ ଏକ ଜଗତରେ ପହଞ୍ଚିବାର ଉଦ୍ଦେଶ୍ୟ ନେଇ ଏ ବିଶ୍ଵ ଛାଡ଼ି ଚାଲିଯିବାକୁ ଆଗ୍ରହ ଦେଖାନ୍ତି ।
ତୁ ମୋ ହୃଦୟରେ ଏତେ ତୃପ୍ତି ଭରି ଦେଇଛୁ ଯେ ଆନ୍ତର ଓ ବାହ୍ୟ କୌଣସି ପରିସ୍ଥିତିରେ ମୁଁ ପରିତୃପ୍ତ ନ ହୋଇ ରହିପାରୁ ନି । ତଥାପି ମୋ ମଧ୍ୟରେ ଗୋଟିଏ ସତ୍ତା ଆସ୍ପୃହା କରେ ଆହୁରି ବେଶୀ ସୌନ୍ଦର୍ଯ୍ୟ, ଆହୁରି ଆଲୋକ, ଜ୍ଞାନ ଓ ପ୍ରେମ, ସଂକ୍ଷେପରେ କହିଲେ ଆସ୍ପୃହା କରେ ତୋ ସହ ଆହୁରି ସଜ୍ଞାନ ଓ ଅବିଚ୍ଛିନ୍ନ ସଂପର୍କ ଲାଗି ।… କିନ୍ତୁ ତା’ ମଧ୍ୟ ତୋ ଇଚ୍ଛା ଉପରେ ନିର୍ଭର କରେ, ଏବଂ ଯେତେବେଳେ ତୋର ଇଚ୍ଛା ହେବ ସେତେବେଳେ ତୁ ମୋ ପାଇଁ ଆଣିଦେବୁ ପରିପୂର୍ଣ୍ଣ ରୂପାନ୍ତର ।