Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୯, ୧୯୧୪

ହେ ଭଗବାନ୍, ତୋ ସମ୍ମୁଖରେ ମୁଁ ଏକ ଅର୍ଘ୍ୟ, ଦିବ୍ୟମିଳନର ଜ୍ଵଳନ୍ତ ଅଗ୍ନିର ସମିଧ ଶିଖା…

ତୋ ସମ୍ମୁଖରେ ଏହି ଯେଉଁ ଅର୍ଘ୍ୟ, ତା’ ହେଉଛି ଏହି ଗୃହର ପ୍ରତ୍ୟେକ ପ୍ରସ୍ତରଖଣ୍ଡ ଏବଂ ଆଉ ଯାହାକିଛି ଏହା ଭିତରେ ରହିଛି, ଯେଉଁମାନେ ଏହାର ଦ୍ଵାର ପାର ହୋଇ ଭିତରେ ପ୍ରବେଶ କରୁଛନ୍ତି, ଯେଉଁମାନେ ଏହାକୁ ଦେଖନ୍ତି, ଯେଉଁମାନେ ଏହା ସହିତ କୌଣସି ଭାବରେ ସଂପୃକ୍ତ – କ୍ରମେ କ୍ରମେ ଏହିପରି ଭାବେ ସମଗ୍ର ପୃଥିବୀ।

ଏହି ଯେଉଁ କେନ୍ଦ୍ର, ଏହି ଯେଉଁ ଜ୍ୱଳନ୍ତ ନୀଡ଼, ଯାହା ତୋର ଆଲୋକ ଓ ପ୍ରେମରେ ଭରିଉଠିଛି, କ୍ରମଶଃ ଆହୁରି ଅଧିକ ଭରିଉଠିବ, ଏହିଠାରୁହଁ ତୋର ଶକ୍ତିରାଜି ବିକୀର୍ଣ୍ଣ ହେବ ସମଗ୍ର ପୃଥିବୀ ଉପରେ, ସମସ୍ତଙ୍କର ଚିନ୍ତା ଓ ହୃଦୟ ମଧ୍ୟରେ, ଦୃଶ୍ୟତଃ ହେଉ ବା ଅଦୃଶ୍ୟତଃ ହେଉ ।

ତୋ ପାଇଁ ମୋର ଯେଉଁ ଅଭୀପ୍ସା, ତା’ର ପ୍ରତ୍ୟୁତ୍ତରରେ ତୁ ମୋତେ ଏହି ନିଶ୍ଚୟବୋଧ ଦେଇଛୁ ।

ପ୍ରେମର ଏକ ବିପୁଳ ତରଙ୍ଗ ସକଳ ବସ୍ତୁ ଉପରେ ଉତରି ଆସିଛି, ସକଳ ବସ୍ତୁ ଭିତରେ ପ୍ରବେଶ କରିଛି ।

ଶାନ୍ତି, ଶାନ୍ତି, ସାରା ପୃଥିବୀ ଉପରେ ବିରାଜିତ ହେଉ ଶାନ୍ତି – ବିରାଜିତ ହେଉ ତୋର ବିଜୟ, ପରିପୂର୍ଣ୍ଣତା ଓ ମହେଶ୍ୱର୍ଯ୍ୟ…

ହେ ମୋର ବେଦନାକାତର ଜ୍ଞାନହୀନ ପ୍ରିୟ ସନ୍ତାନଗଣ, ହେ ବିଦ୍ରୋହୀ ପ୍ରଚଣ୍ଡାପ୍ରକୃତି, ତୁମ୍ଭମାନଙ୍କ ହୃଦୟ ଖୋଲିଦିଅ, ତୁମର ଶକ୍ତିକୁ ଶାନ୍ତ କର, ଦେଖ ପ୍ରେମ ତା’ର ସର୍ବଶକ୍ତି ନେଇ ତୁମ ନିକଟକୁ ଆସୁଛି, ଜ୍ୟୋତି ତା’ର ବିଶୁଦ୍ଧ କିରଣଚ୍ଛଟା ନେଇ ତୁମ ଭିତରେ ପ୍ରବେଶ କରୁଛି । ଏହି ମାନବୀୟ, ଏହି ପାର୍ଥିବ ମୁହୂର୍ତ୍ତ ସକଳ ମୁହୂର୍ତ୍ତି ମଧ୍ୟରେ ସବୁଠାରୁ ସୁନ୍ଦର । ପ୍ରତ୍ୟେକେ ଓ ସମସ୍ତେ ଏହା ଜାଣନ୍ତୁ ଏବଂ ସେମାନଙ୍କୁ ଦିଆଯାଇଥିବା ପୁତାକୁ ଉପଭୋଗ କରନ୍ତୁ ।

ହେ ସନ୍ତାପିତ ହୃଦୟ, ଚିନ୍ତାକ୍ଳିଷ୍ଟ ଲଲାଟ, ହେ ମୂଢ଼ ଅଜ୍ଞତା ଓ ଅଜ୍ଞାନ, ଅସଦିଚ୍ଛା, ତୁମ୍ଭମାନଙ୍କର ଯନ୍ତ୍ରଣା ଶାନ୍ତ ହେଉ ଓ ନିଶ୍ଚିହ୍ନ ହୋଇଯାଉ ।

ଅପରୂପ ଭାସ୍ଵର ମହିମା ନେଇ ଏହି ନବବାଣୀ ଆସିଛି :