Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୨୫, ୧୯୧୪

ଏପରି ବା ସେପରି ହେବାରେ କେଉଁ ଜ୍ଞାନର ପରିଚୟ ମିଳେ ? ଏପରି ବ୍ୟସ୍ତହେବାର ଆବଶ୍ୟକତା କ’ଣ ? ହେ ଭଗବାନ୍, ତୁ କ’ଣ ସର୍ବୋତ୍ତମ କର୍ତ୍ତା ନୋହୁଁ ? ତୋର ଅନୁଗତ ଯନ୍ତ୍ର ହେବା କ’ଣ ଆମ୍ଭମାନଙ୍କର କର୍ତ୍ତବ୍ୟ ନୁହେଁ ? ଏବଂ ଯେତେବେଳେ କିଛି ସମୟ ସକାଶେ ତୁ ଯନ୍ତ୍ରଟିକୁ ଦୂରରେ ରଖିଦେଉ ସେତେବେଳେ କ’ଣ ଏହା ଅଭିଯୋଗ କରିବା ଉଚିତ ଯେ ତୁ ଏହାକୁ ତ୍ୟାଗ କରିଛୁ କାରଣ ତୁ ବର୍ତ୍ତମାନଏହାକୁ କାର୍ଯ୍ୟରେ ଲଗାଉ ନାହୁଁ ? କର୍ମ ଓ ସଂଘର୍ଷର ପରେ ଏହା କ’ଣ ସ୍ଥିରତା ଓ ପ୍ରଶାନ୍ତି ଉପଭୋଗ କରିବାକୁ ଶିଖିବ ନାହିଁ ?

ଅତି ସାମାନ୍ୟ ଡାକ ପ୍ରତି ବି ଆମ୍ଭମାନଙ୍କୁ ସର୍ବଦା ଜାଗ୍ରତ୍ ଓ ସତର୍କ ରହିବାକୁ ହେବ, ଯଦ୍ଦ୍ୱାରା ମନ, ପ୍ରାଣ ଅଥବା ଶରୀର ମଧ୍ୟଦେଇ କର୍ମ କରିବାକୁ ତୁ ଯେତେବେଳେ ଆମ୍ଭମାନଙ୍କୁ ନିର୍ଦେଶ ଦେବୁ ସେତେବେଳେ ଆମ୍ଭେମାନେ ନିଦ୍ରିତ ଅଥବା ତାମସିକ ଯେପରି ନ ରହୁ । କିନ୍ତୁ ନିରନ୍ତର ଏହି ପ୍ରତୀକ୍ଷା ଓ ଶ୍ରଦ୍ଧାପୂର୍ଣ୍ଣ ସଦିଚ୍ଛାକୁ ଦୁଶ୍ଚିନ୍ତାଗ୍ରସ୍ତ ଅବ୍ୟବସ୍ଥିତ ଚାଞ୍ଚଲ୍ୟ ଓ ଆଶଙ୍କା ବୋଲି ଭାବିବା ଉଚିତ ନୁହେଁ; ଏହା ହେଲୁ ନାହିଁକି ତାହା ହେଲୁ ନାହିଁ ଏବଂ ତୋତେ ଅସନ୍ତୁଷ୍ଟ କରିଛୁ ଭାବି ଭୟ କରିବା, କାରଣ ତୁ ଆମ୍ଭମାନଙ୍କଠାରୁ ଯାହା ଦାବି କରୁଛୁ, ଆମ୍ଭେମାନେ ତାହାର ଅନୁରୂପ ହୋଇପାରି ନାହିଁ, ଏପରି ଭାବିବା ଉଚିତ ନୁହେଁ ।

ତୋ ହୃଦୟ ହିଁ ପରମ ଆଶ୍ରୟସ୍ଥଳ ଯେଉଁଠାରେ ସକଳ ଦୁଃଖତାପ ଶାନ୍ତ ହୋଇଯାଏ । ହେ ଭଗବାନ୍, ତୋ ହୃଦୟ ପୂର୍ଣ୍ଣ ରୂପେ ଖୋଲି ଦେ, ଯେଉଁମାନେ ଦୁଃଖପ୍ରପୀଡ଼ିତ ହୋଇପଡ଼ିଛନ୍ତି, ସେମାନେ ଏହା ମଧ୍ୟରେ ପରମ ଆଶ୍ରୟ ଲାଭ କରନ୍ତୁ ।

ଦୀର୍ଣ୍ଣ କର ଏହି ଅନ୍ଧକାର, ଆଲୋକର ଧାରା ଉତ୍ସାରିତ କର ।
ଶାନ୍ତ କରି ଏଇ ଝଡ଼ ତୋଫାନ, ସ୍ଥାପନ କର ଶାନ୍ତି ।
ପ୍ରଶମିତ କର ଏହି ରୁଦ୍ରଭାବ, ସ୍ଥାପନ କର ପ୍ରେମର ରାଜତ୍ୱ ।
ଯୋଦ୍ଧା ହୁଅ, ବାଧାବିଘ୍ନ ବିନାଶ କର, ବିଜୟୀ ହୁଅ ।