Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୧୧, ୧୯୧୪

ଯେଉଁ ମୁହୂର୍ତ୍ତରେ ଆମେ ନିତ୍ୟନୈମିତ୍ତିକ ବୋଧର ଊର୍ଦ୍ଧ୍ୱକୁ ଉଠିଯାଉ, ଯେଉଁ ମୁହୂର୍ତ୍ତରେ ଆମ୍ଭମାନଙ୍କ ଚେତନାକୁ ତୋ ପରା ଚେତନା ସଙ୍ଗେ ଏକ କରି ଧରୁ, ଯେଉଁ ମୁହୂର୍ତ୍ତରେ ଆମେ ସେଇ ଚେତନା ମଧ୍ୟରେ ପ୍ରବେଶ କରୁ ଯାହାକୁ ପରମ ଜ୍ଞାନ ଛଡ଼ା ଅନ୍ୟ କିଛି ବୋଲି ବ୍ୟାଖ୍ୟା କରାଯାଇ ପାରିବ ନାହିଁ, ସେଇ ମୁହୂର୍ତ୍ତରେ ଆମର କ’ଣ କରିବା ଉଚିତ ଓ କ’ଣ ନ କରିବା ଉଚିତ ସେ ବିଷୟରେ ଅଥବା ଯେଉଁସବୁ ସିଦ୍ଧାନ୍ତ ସ୍ଥିର କରିବାକୁ ହେବ ସେ ବିଷୟରେ ସମସ୍ତ ସମସ୍ୟା ସହଜ ହୋଇଯାଏ ଏପରିକି ଅକିଞ୍ଚତ୍କର ବୋଧହୁଏ ।

ଶାଶ୍ୱତ କର୍ମର ଦୃଷ୍ଟିରୁ ଯେଉଁ ବସ୍ତୁ ଏକ ମାତ୍ର ମହତ୍ତ୍ୱପୂର୍ଣ୍ଣ, ତା’ ହେଲା ତୋ ସମ୍ବନ୍ଧରେ ସଚେତ ହେବା, ତୋ ସଙ୍ଗେ ଏକୀଭୂତ ହେବା ଏବଂ ନିରନ୍ତର ସେହି ସଚେତନ ଏକାତ୍ମ୍ବୋଧକୁ ଧରି ରଖିବା । କିନ୍ତୁ ଆମର ସ୍ଥୂଳ ଶରୀର ଯାହାକି ପୃଥିବୀରେ ତୋର ଅଭିବ୍ୟକ୍ତି ର ଗୋଟିଏ ଧାରା, ତା’ର ଶ୍ରେଷ୍ଠ ବ୍ୟବହାର କ’ଣ, ଏଇ ଜ୍ଞାନ ଲାଭ କରିବାକୁ ହେଲେ ଏହି ଶରୀର ଉପରେ ଦୃଷ୍ଟିପାତ କରିବା ହିଁ ଯଥେଷ୍ଟ – କାରଣ, ଯେତେବେଳେ ତୁହିଁ କେବଳ ଆମ୍ଭମାନଙ୍କ ଭିତରେ ଜାଗ୍ରତ୍ ସେତେବେଳେ ନିଃସନ୍ଦେହରେ ଜାଣିହେବ କେଉଁ କାର୍ଯ୍ୟକୁ ଏହା ସର୍ବୋତ୍ତମ ଭାବରେ କରିପାରେ, କେଉଁ କାର୍ଯ୍ୟ ଏହାର ସକଳ ଶକ୍ତିକୁ ପୂର୍ଣ୍ଣରୂପେ ବିନିଯୋଗ କରିପାରେ ।

ଏହି କର୍ମବିଶେଷ, ଏହି ଏକାନ୍ତ ଆପେକ୍ଷିକ ପ୍ରୟୋଗ ପ୍ରତି କୌଣସି ବିଶେଷପ୍ରାଧାନ୍ୟ ନ ଦେଇ, ଆମେ ବିନା ବାଧାରେ ମନ ଭିତରେ କୌଣସି ତର୍କ ବିତର୍କ ନ କରି ଏପରି ସବୁ ସିଦ୍ଧାନ୍ତରେ ପହଞ୍ଚି ପାରୁ ଯାହା ବାହ୍ୟ ଚେତନା ନିକଟରେ ବୋଧହୁଏ ଅତ୍ୟନ୍ତ ଦୁଃସାହସିକ ଓ ଭୀଷଣ ବିପଜ୍ଜନକ ବୋଲି ।

କିନ୍ତୁ ଯେଉଁମାନେ ତୋର ଶାଶ୍ୱତ ଶିଖରରୁ ଦେଖନ୍ତି, ସେମାନଙ୍କ ପକ୍ଷରେ ଏହିସବୁ ବସ୍ତୁ କେତେ ସହଜ ହୋଇଉଠେ!

ହେ ପ୍ରଭୁ ! ଆନନ୍ଦ ଓ ଆସ୍ଥାରେ ପରିପୂର୍ଣ୍ଣ ଭକ୍ତି ନେଇ ତୋତେ ପ୍ରଣାମ କରୁଛି । ସକଳ ଜୀବଙ୍କ ଉପରେ ଯେପରି ତୋର ଦିବ୍ୟ ପ୍ରେମର ପରମାଶାନ୍ତି ଉତରି ଆସେ ।