ହେ ପ୍ରଭୁ, ତୁହିଁ ପୂର୍ଣ୍ଣ ପ୍ରେମ, ଏବଂ ତୋର ପ୍ରେମାଲୋକ ସକଳ ହୃଦୟ ଏବଂ ସକଳ ଭାବନାରାଜି ମଧ୍ୟରେ ବିରାଜିତ । ତୋର ରୂପାନ୍ତରର କାର୍ଯ୍ୟ ସମ୍ପନ୍ନ କର, ଆମ୍ଭମାନଙ୍କୁ ପ୍ରଦୀପ୍ତ କର । ରୁଦ୍ଧ ଦ୍ଵାର ସବୁକୁ ଉନ୍ମକ୍ତ କର, ଦିଗ୍ବଳୟକୁ ପ୍ରସାରିତ କର, ଶକ୍ତି ସ୍ଥାପନ କର, ଆମ ସତ୍ତା ସମୂହକୁ ଏକତ୍ରିତ କର ଏବଂ ତୋ ଦିବ୍ୟାନନ୍ଦରେ ଆମକୁ ଅଂଶ ଗ୍ରହଣ କରିବାକୁ ଦେ, ଆମେ ଯେପରି ସମସ୍ତଙ୍କୁ ତାହା ପରିବେଷଣ କରିପାରୁ । ଆନ୍ତର ଓ ବାହ୍ୟ ଶେଷ ବାଧାସବୁ ଯେପରି ଆମେ ଜୟ କରିପାରୁ, ଅନ୍ତିମ ବିଘ୍ନସବୁ ଯେପରି ଅତିକ୍ରମ କରିପାରୁ। ବ୍ୟାକୁଳ ଏବଂ ଆନ୍ତରିକ ପ୍ରାର୍ଥନା ତୋ ପାଖରେ କେବେବି ବ୍ୟର୍ଥ ହୁଏ ନାହିଁ । ତୋର ଔଦାର୍ଯ୍ୟ ପ୍ରତ୍ୟେକ ଆହ୍ୱାନର ପ୍ରତ୍ୟୁତ୍ତର ଦିଏ । ତୋର କରୁଣା ଅସୀମ ।
ହେ ପରମ ପ୍ରଭୁ, ଏ ସଂକଟମୟ ପରିସ୍ଥିତିରେ ତୋ ଆଲୋକ ଢାଳି ଦେ, ଏବଂ ତା’ ମଧ୍ୟରୁ ଏକ ନୂତନ ପୃଥିବୀ ଜନ୍ମ ଗ୍ରହଣ କରୁ । ଯେଉଁ କାର୍ଯ୍ୟ ଆରମ୍ଭ ହୋଇଛି ତାହା ସମ୍ପାଦନ କର, ଏବଂ ଜନ୍ମ ନେଉ ସେଇ ନୂତନ ମାନବଜାତି ଯାହା ହେବ ତୋର ଅଭିନବ ସୁମହାନ୍ ବିଧାନର ସର୍ବାଙ୍ଗ ସୁନ୍ଦର ପରିପୂର୍ଣ୍ଣ ପ୍ରକାଶ ।
କୌଣସି କିଛି ଆମର ଗତିରୋଧ କରିପାରିବ ନାହିଁ, ଆମ ପ୍ରୟାସକୁ କେହି ଶାନ୍ତ କରିପାରିବ ନାହିଁ । ତୋ ଉପରେ ଆମର ସକଳ ଆଶା ଓ କର୍ମ ନ୍ୟସ୍ତ କରି, ତୋ ଦିବ୍ୟସଂକଳ୍ପ ନିକଟରେ ସଂପୂର୍ଣ୍ଣ ଆନୁଗତ୍ୟ ସ୍ୱୀକାର କରି, ସୁରକ୍ଷିତ, ଶକ୍ତିମାନ୍ ହୋଇ ଆମେ ତୋର ଅଖଣ୍ଡ ଆବିର୍ଭାବ ପ୍ରତିଷ୍ଠାର ବିଜୟ ପଥରେ ଆଗେଇ ଚାଲିବୁ । ଏହାସ୍ଥିରନିଶ୍ଚିତ ଯେ ତୋର ବିଜୟ ଅବଧାରିତ, ତା’ ବିରୋଧରେ କେହି ଛିଡ଼ା ହୋଇ ପରିବେନାହିଁ ।
ହେ ବିଶ୍ଵେଶ୍ଵର, ତୋର ଜୟ ହେଉ । ସକଳ ଅନ୍ଧକାର ଦୂର କର ।