…ଧୀରସ୍ଥିର ଭାବରେ ମୁଁ ଅପେକ୍ଷା କରୁଛି ଆଉ ଗୋଟିଏ ଆବରଣ ଛିନ୍ନ ହୋଇଯିବାକୁ, ଯେତେବେଳେ ତୋ ସଙ୍ଗେ ମିଳନ ହେବ ସୁସଂପୂର୍ଣ୍ଣ । ମୁଁ ଜାଣେ, ଏହି ଆବରଣ ତିଆରି ହୋଇଛି କ୍ଷୁଦ୍ର କ୍ଷୁଦ୍ର ତ୍ରୁଟି ଓ ଅସଂଖ୍ୟ ବନ୍ଧନର ସମଷ୍ଟିରେ… ଏସବୁ ଗ୍ରନ୍ଥି କିପରି ଅପସାରିତ ହେବ ? ଧୀରେ ଧୀରେ, ଅଗଣିତ କ୍ଷୁଦ୍ର ପ୍ରୟାସ ଓ ଅନିମେଷ ଅତନ୍ଦ୍ରପର୍ଯ୍ୟବେକ୍ଷଣ ସାହାଯ୍ୟରେ ନା ଅକସ୍ମାତ୍ ତୋର ସର୍ବଶକ୍ତିମାନ୍ ପ୍ରେମର ଏକ ବିପୁଳ ଉଭାସନରେ ? ମୁଁ ଜାଣେ ନାହିଁ, ମୁଁ ନିଜକୁ ଏ ପ୍ରଶ୍ନ ମଧ୍ୟ କରୁ ନାହିଁ, ଅପେକ୍ଷା କରୁଛି ଯଥାସାଧ୍ୟ ସତର୍କ ଦୃଷ୍ଟି ରଖି, କିନ୍ତୁ ନିଶ୍ଚୟ ଜାଣେ ଯେ ଏକମାତ୍ର ତୋର ସଂକଳ୍ପ ହିଁ ବିଦ୍ୟମାନ, କେବଳ ତୁହଁ କର୍ମ କରୁଛୁ, ମୁଁ କେବଳ ଯନ୍ତ୍ର, ଯନ୍ତ୍ରଟି ଯେତେବେଳେ ପୂର୍ଣ୍ଣତର ପ୍ରକାଶ ପାଇଁ ପ୍ରସ୍ତୁତ ହେବ ସେତେବେଳେ ସେହି ପ୍ରକାଶ ସ୍ୱତଃ ଘଟିବ ।
ଆବରଣର ଅନ୍ତରାଳରୁ ବର୍ତ୍ତମାନ ବି ଶୁଭୁଛି ଆନନ୍ଦର ମୌନ ସଂଗୀତ ଯେକି ତୋର ମହାନ୍ ଆବିର୍ଭାବକୁ ପ୍ରକଟ କରୁଛି ।