Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୨୫, ୧୯୧୪

ହେ ଭଗବାନ୍ ! ତୋ ନିମନ୍ତେ ମୋର ଆସ୍ପୃହା ଗୋଟିଏ ସୁନ୍ଦର, ସୁସଙ୍ଗତ, ପୂର୍ଣ୍ଣ ପ୍ରସ୍ଫୁଟିତ ତଥା ସୁରଭିତ ଗୋଲାପର ରୂପ ଧାରଣ କରିଛି । ଏହାକୁ ମୁଁ ଦୁଇ ହାତରେ ଧରି ତୋତେ ଅର୍ପଣ କରୁଛି, ତୋ ପାଖରେ ପ୍ରାର୍ଥନା କରୁଛି : ଯଦି ମୋର ବୁଦ୍ଧି ସୀମାବଦ୍ଧ, ତାକୁ ପ୍ରସାରିତ କର; ଜ୍ଞାନ ଯଦି ମୋର ତମସାଚ୍ଛନ୍ତି, ତାକୁ ଆଲୋକିତ କର;ହୃଦୟ ଯଦି ମୋର ଉତ୍ସାହହୀନ, ତାକୁ ପ୍ରଜ୍ଜ୍ୱଳିତ କର; ପ୍ରେମ ଯଦି ମୋର ଅକିଞ୍ଚନ, ତାକୁ ତୀବ୍ର କର; ଅନୁଭବ ଯଦି ମୋର ଅଚେତନ ଓ ଅହଂଗତ, ସତ୍ୟ ମଧ୍ୟରେ ତାକୁ ପୂର୍ଣ୍ଣ ଜାଗ୍ରତ୍ କର । ଆଉ ଏହି ଯେଉଁ ‘ମୁଁ’ ତୋତେ ପ୍ରାର୍ଥନା କରୁଛି, ହେ ଭଗବାନ୍, ତାହା ସହସ୍ର ବ୍ୟଷ୍ଟିସତ୍ତାରେ ବୁଡ଼ି ଯାଇଥିବା ଗୋଟିଏ କ୍ଷୁଦ୍ର ବ୍ୟଷ୍ଟିସତ୍ତା ନୁହେଁ, ତା’ ହେଲା ସମଗ୍ର ପୃଥିବୀ, ତୋ ଆଡ଼କୁ ସେ ପୂର୍ଣ୍ଣ ଆଗ୍ରହରେ ସବେଗରେ ଆସ୍ପୃହା କରିଚାଲିଛି ।

ଧ୍ୟାନର ପରିପୂର୍ଣ୍ଣ ନୀରବତା ମଧ୍ୟରେ ସବୁ କିଛି ଅନନ୍ତ ଅବଧ ପ୍ରସାରିତ ହୋଇଚାଲୁଛି, ଏବଂ ସେହି ନୀରବତାର ପୂର୍ଣ୍ଣ ଶାନ୍ତି ମଧ୍ୟରେ ତୁ ତୋ ଜ୍ୟୋତିର ଭାସ୍କର ମହିମାରେ ଆବିର୍ଭୂତ ।