ଶ୍ରୀଅରବିନ୍ଦଙ୍କ ପୁରାନାମ ଥିଲା ଶ୍ରୀଅରବିନ୍ଦ ଆକ୍ରେଡ଼ ଘୋଷ ଓ ଡାକ ନାମ ଥିଲା ‘ଅରୋ’ । ସେ ୧୮୭୨ ମସିହା ଅଗଷ୍ଟ ୧୫ତାରିଖ ଦିନ କଲିକତାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଶ୍ରୀ କୃଷ୍ଣଧନ ଘୋଷ ଓ ମାତାଙ୍କ ନାମ ଶ୍ରୀମତୀ ସ୍ଵର୍ଣ୍ଣଲତା ଦେବୀ । ତାଙ୍କର ତିନିଜଣ ଭାଇ ଓ ଜଣେ ଭଉଣୀ ଥିଲେ । ସେମାନେ ହେଲେ ବିନୟଭୂଷଣ, ମନମୋହନ, ବାରୀନ୍ଦ୍ର ଏବଂ ସରୋଜିନୀ ।
୫ ବର୍ଷ ବୟସରେ ଦାର୍ଜିଲିଂର ଲରେଟୋ କନ୍ଭେଣ୍ଟ ସ୍କୁଲରେ ସେ ଶିକ୍ଷା ଆରମ୍ଭ କରିଥିଲେ । ୭ ବର୍ଷ ବୟସରେ ସେ ଇଂଲଣ୍ଡ ଯାଇ ସେଠାରେ ଡ୍ରୁଏଟ୍ ପରିବାର, ସେଣ୍ଟପଲ୍ସ ସ୍କୁଲ ଏବଂ କେମ୍ବ୍ରିଜ୍ର କିଙ୍ଗସ କଲେଜରେ ଶିକ୍ଷାଲାଭ କରିଥିଲେ । ୧୪ ବର୍ଷ ବେଳକୁ ସେ ଇଂରାଜୀ, ଲାଟିନ, ଗ୍ରୀକ୍, ଫରାସୀ, ଇଟାଲିୟାନ୍, ଜର୍ମାନ ଓ ସ୍ପେନିଶ ଆଦି ୭ଟି ଭାଷା ଶିଖି ସାରିଥିଲେ । ଲଣ୍ଡନରେ ଭାରତୀୟ ବିପ୍ଳବବାଦୀଙ୍କ ଦ୍ବାରା “ଭାରତୀୟ ମଜଲିସ” ଏବଂ “ପଦ୍ମ ଓ କୃପାଣ” ନାମକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ । ଜାଣି ଜାଣି ଘୋଡ଼ା ଚଢ଼ା ପରୀକ୍ଷା ନଦେଇ ସେ ଆଇ.ସି.ଏସ୍ ହେବାରୁ ବଞ୍ଚିତ ହେଲେ ।
୧୪ ବର୍ଷର ଇଂଲଣ୍ଡ ରହଣି ପରେ ୨୧ ବର୍ଷ ବୟସରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ୧୮୯୩ ମସିହା ଫେବୃୟାରୀ ୬ ତାରିଖରେ ଭାରତରେ ପହଞ୍ଚିଲେ । ସେ ପ୍ରଥମେ ବରୋଦା ରାଜାଙ୍କ ଅଧୀନରେ, ପରେ ବରୋଦା କଲେଜର ଅଧ୍ୟାପକ ଉପାଧ୍ୟକ୍ଷ, ଅଧ୍ୟକ୍ଷ ଏବଂ ବଙ୍ଗର ଜାତୀୟ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥିଲେ । ୧୯୦୧ ମସିହାରେ ସେ ମୃଣାଳିନୀ ଦେବୀଙ୍କୁ ବିବାହ କରିଥିଲେ ।
ସ୍ବାଧୀନତା ସଂଗ୍ରାମ କାଳରେ ଆଲିପୁର ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଆଲିପୁର ଜେଲ୍ରେ ଥିବାବେଳେ ସେ ଭଗବାନଙ୍କ ପ୍ରତ୍ୟକ୍ଷ ଦର୍ଶନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିମନ୍ତେ ନିର୍ଦ୍ଦେଶ ପ୍ରାପ୍ତ ହୋଇଥିଲେ ।
୧୯୧୦ ମସିହାରେ ଅନ୍ତର ନିର୍ଦ୍ଦେଶ ପାଇ ସେ ଚନ୍ଦନ ନଗର ଏବଂ ପରେ ପଣ୍ଡିଚେରୀ ଗମନ କଲେ । ୧୯୧୦ ମସିହା ଅପ୍ରେଲ ୪ ତାରିଖରେ ସେ ପଣ୍ଡିଚେରୀ ଠାରେ ପହଞ୍ଚିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ସେଇଠାରେ ହିଁ ପୂର୍ଣ୍ଣଯୋଗ ସାଧନାରେ ମଗ୍ନ ରହିଲେ । ଶ୍ରୀମା ପଣ୍ଡିଚେରୀ ଆସି ତାଙ୍କ ସହ ଆଧ୍ୟାତ୍ମିକ ସାଧନାରେ ଯୋଗଦେଲେ ଏବଂ ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମ ଗଠିତ ହେଲା ।
୧୯୨୬ ମସିହା ନଭେମ୍ବର ୨୪ ତାରିଖରେ ସେ ଅଧିମାନସ ସିଦ୍ଧି ଲାଭ କଲେ ଏବଂ ପୃଥିବୀପୃଷ୍ଠକୁ ଏକ ଉଚ୍ଚତର ଚେତନା (ଶ୍ରୀକୃଷ୍ଣଙ୍କ ଚେତନା) ଅବତରଣ କଲା । ତାଙ୍କ ର ୭୫ ତମ ଜନ୍ମଦିବସରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହେଲା ।
ସାଧନା ବଳରେ ଦିବ୍ୟ ଅତିମାନସ ଶକ୍ତିକୁ ଶରୀରରେ ଅବତରଣ କରାଇ ଡିସେମ୍ବର ୫ ତାରିଖ ୧୯୫୦ ମସିହାରେ ସ୍ଥୁଳ ଶରୀର ତ୍ୟାଗ କରିଥିଲେ । ଅତିମାନସ ଶକ୍ତିର ପ୍ରଭାବ ଯୋଗୁଁ ତାଙ୍କ ଶରୀର ୫ ଦିନ ପର୍ଯ୍ୟନ୍ତ ଅମ୍ଳାନ ରହିବା ପରେ ଶ୍ରୀମାଙ୍କ ନିର୍ଦ୍ଦେଶରେ ୧୯୫୦ ମସିହା, ଡିସେମ୍ବର ୯ ତାରିଖରେ ତାଙ୍କୁ ସମାଧିସ୍ଥ କରାଗଲା ।
ମୋର ଦେବ—ସ୍ଵରୂପ ବିସର୍ଜନ କରି ମୁଁ ଏହି ଜଘନ୍ୟ ପୃଥିବୀ ଉପରେ ଅବତରଣ କରି ଆସିଛି ଜନ୍ମ ଓ ମୃତ୍ୟୁ ଏହି ଦୁଇ ଆବରଣ ମଧ୍ୟରେ I ହୋଇଉଠିଛି ଜ୍ଞାନହୀନ, ଶ୍ରମକ୍ଷୀଣ, ମନୁଷ୍ୟରୂପୀ । କର୍ଦ୍ଦମ ଓ କଳୁଷର ବିଭୀଷିକା ମଧ୍ୟରେ ଦୀର୍ଘକାଳ ଧରି କ୍ରମଶଃ ଗଭୀରକୁ ଖୋଳି ଚାଲିଛି । ମୁଁ ଚାହିଁଛି ସ୍ଵର୍ଣ୍ଣମୟୀ ତଟିନୀର ସଙ୍ଗୀତ ନିମନ୍ତେ ଗୋଟିଏ ଧାରା, ଶାଶ୍ଵତ ଅଗ୍ନିର ନିମନ୍ତେ ଏକ ନିବାସଭୂମି ।
– ଶ୍ରୀଅରବିନ୍ଦ
★ ଶ୍ରୀଅରବିନ୍ଦ ହେଉଛନ୍ତି ପରମେଶ୍ବରଙ୍କ ଜଣେ ପ୍ରତିଭୁ ।
– ଶ୍ରୀମା
★ ପୃଥିବୀ ଇତିହାସର ଆରମ୍ଭରୁ ଏହାର ସକଳ ବିରାଟ ରୂପାନ୍ତର କ୍ରିୟାରେ ଶ୍ରୀଅରବିନ୍ଦ ହିଁ ପୌରୋହିତ୍ୟ କରି ଆସିଛନ୍ତି – ଏକ ବା ବିଭିନ୍ନ ନାମ ରୂପରେ।
– ଶ୍ରୀମା
★ ଶ୍ରୀଅରବିନ୍ଦ ହେଉଛନ୍ତି ଭଗବାନଙ୍କର ଜଣେ ପ୍ରତିଭୁ ଯେ ପୃଥିବୀ ପୃଷ୍ଠରେ ଆବିର୍ଭୂତ ହେଲେ ଏକ ନୂତନ ଜାତି, ନୂତନ ଜଗତର– ଅତିମାନସ ଜାତି ଓ ଜଗତର ଅଭିବ୍ୟକ୍ତିର ଘୋଷଣା କରିବା ନିମିତ୍ତ ।
ଆସ ସକଳ ଆନ୍ତରିକତା ଓ ଉତ୍ସାହ ସହିତ ଏଥି ନିମନ୍ତେ ପ୍ରସ୍ତୁତ ହେବା।
– ଶ୍ରୀମା
★ ବିଶ୍ଵ -ଇତିହାସରେ ଶ୍ରୀଅରବିନ୍ଦ ଯେଉଁ ସତ୍ୟଟିର ପ୍ରତିନିଧିତ୍ଵ କରୁଛନ୍ତି, ତାହାକୁ ଏକ ଶିକ୍ଷା ବା ଏପରିକି ଏକ ସତ୍ଯୋଦ୍ଘାଟନ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ; ତାହା ହେଉଛି ସର୍ବୋଚ୍ଚ ପରମସତ୍ତାଙ୍କ ପାଖରୁ ସିଧା ପ୍ରେରିତ ହୋଇ ଆସୁଥିବା ଏକ ମୀମାଂସକ କର୍ମଧାରା।
– ଶ୍ରୀମା (୧୪ ଫେବ୍ରୁଆରି ୧୯୬୧)
★ ପୂର୍ବତନ ଅନ୍ୟ କୌଣସି ଧର୍ମମତ କିଂବା ଧର୍ମଶିକ୍ଷା ସହିତ ପ୍ରତିଯୋଗିତା କରି ପୃଥିବୀ ଲାଗି ସେହିପରି କିଛି ଆଣି ଦେବା ପାଇଁ ଶ୍ରୀଅରବିନ୍ଦ ଏଠାକୁ ଆସି ନାହାନ୍ତି । ଏହି ପୃଥିବୀ ଯେପରି ଅତୀତକୁ ଅତିକ୍ରମ କରିଯାଇ ପାରିବ, ସେଥିଲାଗି ବାଟ ଦେଖାଇ ଦେବାକୁ ଏବଂ ଏକ ଆସନ୍ନ ତଥା ଅନିବାର୍ଯ୍ୟ ଭବିଷ୍ୟ ଆଡ଼କୁ ପଡ଼ିଥିବା ପଥଟିକୁ ମୂର୍ତ୍ତ ଭାବରେ ଖୋଲି ଦେବାକୁହିଁ ସେ ପୃଥିବୀକୁ ଆସିଛନ୍ତି ।
– ଶ୍ରୀମା (୨୨ ଫେବ୍ରୁଆରି ୧୯୬୭)
★ ଏହି ପୃଥିବୀର ଆଧ୍ୟାତ୍ମିକ ପ୍ରଗତିର ଇତିହାସରେ ଶ୍ରୀଅରବିନ୍ଦ ଯେଉଁ ସତ୍ୟଟିର ପ୍ରତିନିଧିତ୍ଵ କରୁଛନ୍ତି, ତାହା ଏକ ଶିକ୍ଷା ନୁହେଁ, ଏକ ସତ୍ଯୋଦ୍ଘାଟନ ମଧ୍ୟ ନୁହେଁ; ଏହା ହେଉଛି ଏକ ଶକ୍ତିମନ୍ତ କର୍ମଧାରା, ଯାହାକି ସିଧା ସେହି ସର୍ବୋଚ୍ଚ ପରମସତ୍ତାଙ୍କଠାରୁହିଁ ପ୍ରେରିତ ହୋଇ ଆସୁଛି ।
– ଶ୍ରୀମା (୧୫ ଅଗଷ୍ଟ ୧୯୬୪)
★ ପୃଥିବୀ-ଇତିହାସର ଆରମ୍ଭକାଳରୁହିଁ ଶ୍ରୀଅରବିନ୍ଦ ବୃହତ୍ ଯାବତୀୟ ବିଶ୍ଵରୂପାନ୍ତରର ପ୍ରକ୍ରିୟା ଉପରେ ଅଧିଷ୍ଠାତା ରୂପେ ଅବସ୍ଥିତ ରହିଛନ୍ତି,– କୌଣସି ନା କୌଣସି ରୂପରେ ତଥା କୌଣସି ନା କୌଣସି ନାମରେ ଅବସ୍ଥିତ ରହିଛନ୍ତି ।
ଯେଉଁ ଭବିଷ୍ୟତଟିକୁ ଅବଶ୍ୟ ଉପଲବ୍ଧି କରିବାକୁ ହେବ, ତାହାରି ସୌନ୍ଦର୍ଯ୍ୟ ବିଷୟରେ ପୃଥିବୀକୁ କହିବା ସକାଶେ ଶ୍ରୀଅରବିନ୍ଦଙ୍କର ଆବିର୍ଭାବ ହୋଇଥିଲା ।
ପୃଥିବୀ ଯେଉଁ ଐଶ୍ଵର୍ଯ୍ୟ ଏବଂ ମହିମା ଆଡ଼କୁ ଗତିକରି ଚାଲିଛି, ତାହାରି ବିଷୟରେ କେବଳ ଏକ ଆଶା ନୁହେଁ, ଏକ ସୁନିଶ୍ଚୟ ନିର୍ଭର ପ୍ରଦାନ କରିବାକୁହିଁ ଶ୍ରୀଅରବିନ୍ଦ ଏଠାକୁ ଆସିଥିଲେ । ଏହି ପୃଥିବୀ ଆଦୌ କୌଣସି ଏକ ଦୁର୍ଭାଗ୍ୟଜନକ ଆକସ୍ମିକତାର ପରିଣାମ ନୁହେଁ; ଏହା ହେଉଛି ଏକ ବିସ୍ମୟ, ଏବଂ ତାହା ଆପଣାର ଅଭିବ୍ୟକ୍ତି ଆଡ଼କୁ ଗତିଶୀଳ ହୋଇ ଚାଲିଛି ।
ଏହି ପୃଥିବୀର ସେହି ଭବିଷ୍ୟତରେ ସମ୍ଭବ ହେବାକୁ ଯାଉଥିବା ସୌନ୍ଦର୍ଯ୍ୟ ବିଷୟରେ ଏକ ସୁନିଶ୍ଚୟ ନିର୍ଭରତା ଲାଗି ଆବଶ୍ୟକତା ରହିଛି । ଏବଂ ଶ୍ରୀଅରବିନ୍ଦ ଆମକୁ ସେହି ନିର୍ଭରତାଟିକୁ ପ୍ରଦାନ କରିଛନ୍ତି ।
– ଶ୍ରୀମା (୨୭ ନଭେମ୍ବର ୧୯୭୧)
★ ଶ୍ରୀଅରବିନ୍ଦ କେବଳ ଗୋଟିଏ ଦେଶର ନୁହନ୍ତି, ସିଏ ସମଗ୍ର ପୃଥିବୀର l ତାଙ୍କର ଶିକ୍ଷା ଆମକୁ ଏକ କାମ୍ୟତର ଭବିଷ୍ୟ ଆଡ଼କୁ ପଥ ଦେଖାଇ ନେଇଯିବ ।
– ଶ୍ରୀମା (୧ ଜାନୁଆରି ୧୯୭୨)
★ ଅତିମାନସ ଜଗତଟି ଯେ ପ୍ରକୃତରେ ସମ୍ଭବ ହେବାକୁ ଯାଉଛି, ତାହାରି ଘୋଷଣା କରିବା ଲାଗି ଶ୍ରୀଅରବିନ୍ଦ ପୃଥିବୀକୁ ଆସିଥିଲେ । ସିଏ ଯେ କେବଳ ସେହି ଅଭିବ୍ୟକ୍ତିଟିର ଘୋଷଣା କରିଥିଲେ ତା’ ନୁହେଁ, ମାତ୍ର ଅତିମାନସ ଶକ୍ତିକୁ ଆଂଶିକ ଭାବରେ ନିଜ ଜୀବନରେ ମଧ୍ୟ ମୂର୍ଖ କରି ପାରିଥିଲେ ଏବଂ, ସେହି ଜଗତଟିକୁ ଅଭିବ୍ୟକ୍ତ କରି ପାରିବା ସକାଶେ ପ୍ରସ୍ତୁତ ହେବା ଲାଗି ଆମକୁ କ’ଣସବୁ କରିବାକୁ ପଡ଼ିବ, ଦୃଷ୍ଟାନ୍ତ ଦ୍ବାରା ତାହା ଦେଖାଇ ଦେଇଥିଲେ । ସିଏ ଆମକୁ ଯାହାସବୁ କହିଛନ୍ତି, ତାହାର ଅଧ୍ୟୟନ କରିବା ଏବଂ ତାଙ୍କର ଦୃଷ୍ଟାନ୍ତଟିର ଅନୁସରଣ କରିବା ପାଇଁ ପ୍ରୟାସ କରିବା ତଥା ନୂତନ ଅଭିବ୍ୟକ୍ତିଟି ନିମନ୍ତେ ଆପଣାକୁ ପ୍ରସ୍ତୁତ କରିବା – ଆମ ଲାଗି ଏହାହିଁ ସର୍ବୋତ୍ତମ କାର୍ଯ୍ୟ ।
ଏହାରି ଦ୍ଵାରାହିଁ ଆମେ ଜୀବନର ଯଥାର୍ଥ ବୋଧଟିକୁ ଲାଭ କରି ପାରିବା ଏବଂ ତାହା ଯାବତୀୟ ପ୍ରତିବନ୍ଧକକୁ ଅତିକ୍ରମ କରିଯିବା ସକାଶେ ଆମକୁ ଅବଶ୍ୟ ସାହାଯ୍ୟ କରିବ।
ତେଣୁ, ଆମେ ସେହି ନୂତନ ସୃଜନ ଲାଗି ଜୀବନ ବଞ୍ଚିବା ଏବଂ ତରୁଣ ତଥା ଅଗ୍ରଗତିକାମୀ ହୋଇ ରହିବା ସଙ୍ଗେ ସଙ୍ଗେ ଆପଣାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରି ଗଢ଼ିବା।
– ଶ୍ରୀମା (୩୦ ଜାନୁଆରି ୧୯୭୨)
★ ଶ୍ରୀଅରବିନ୍ଦ ହେଉଛନ୍ତି ଦିବ୍ୟ ପରମସତ୍ତାଙ୍କର ଏକ ପ୍ରସର୍ଜନ;– ଏକ ନୂତନ ମାନବଜାତି ତଥା ଏକ ନୂତନ ଜଗତର : ସେହି ଅତିମାନସ ଜଗତର ଅଭିବ୍ୟକ୍ତିକୁ ଘୋଷଣା କରିବା ଲାଗି ସେ ପୃଥିବୀକୁ ଆସିଥିଲେ ।
ଆମର ସକଳ ନିଷ୍ଠା ଏବଂ ଉତ୍ସାହ ସହିତ ଆମେ ସେହି ଅଭିବ୍ୟକ୍ତି ଲାଗି ପ୍ରସ୍ତୁତ ହେବା ।
– ଶ୍ରୀମା (୨୦ ଜୁନ୍ ୧୯୭୨)
★ ଏକ ନୂତନ ମାନବଜାତି ଏବଂ ଅତିମାନସ ଜଗତର ଆବିର୍ଭାବକୁ ଘୋଷଣା କରିବା ଲାଗି ଶ୍ରୀଅରବିନ୍ଦ ସର୍ବୋଚ୍ଚ ପରମସତ୍ତାଙ୍କ ପାଖରୁ ଏଠାକୁ ଆସିଥିଲେ ।
ଆମେ ସକଳ ନିଷ୍ଠା ଓ ଉତ୍ସାହ ସହିତ ସେଥିପାଇଁ ପ୍ରସ୍ତୁତ ହେବା ।
– ଶ୍ରୀମା (୧୫ ଅଗଷ୍ଟ ୧୯୭୨)
★ ମନୁଷ୍ୟ ହେଉଛି ଗତ କାଲିର ସର୍ଜନା ।
ଆଗାମୀ କାଲିର ସର୍ଜନା – ଅତିମାନସ ସଭାର ଆଗମନର ଘୋଷଣା କରିବାକୁ ଶ୍ରୀଅରବିନ୍ଦ ପୃଥିବୀକୁ ଆସିଥିଲେ ।
– ଶ୍ରୀମା (୧୫ ଅଗଷ୍ଟ ୧୯୭୨)
★ ଅଗ୍ରଗତି ଲାଗି ଆମ ଭିତରେ ଏକ ପିପାସା ରହିଥିବ, ଶ୍ରୀଅରବିନ୍ଦ ଯାହାଙ୍କର ବାର୍ତ୍ତା ବହନ କରି ପୃଥିବୀକୁ ଆସିଛନ୍ତି, ସେହି ଦିବ୍ୟ ପରମପ୍ରଭାବ ଆଡ଼କୁ ଆମର ସକଳ ସତ୍ତା ଉନ୍ମୁକ୍ତ ହୋଇ ରହିଥିବ,– ତାଙ୍କର ଶତବାର୍ଷିକୀ ବର୍ଷରେ ଆମେ ତାହାରି ଦ୍ଵାରାହିଁ ଶ୍ରୀଅରବିନ୍ଦଙ୍କ ଲାଗି ଆମର ସର୍ବୋଚ୍ଚ ସମ୍ମାନ ଦେଖାଇ ପାରିବା ।
– ଶ୍ରୀମା (୧୫ ଅଗଷ୍ଟ ୧୯୭୨)
★ ଶ୍ରୀଅରବିନ୍ଦଙ୍କର ଚେତନା ମଧ୍ୟକୁ ନିଜକୁ ଉନ୍ମୋଚିତ କରିଦିଅ, ଏବଂ ସେହି ଚେତନାକୁହିଁ ତୁମର ଜୀବନକୁ ରୂପାନ୍ତରିତ କରିଦେବା ଲାଗି ଅନୁମତି ଦିଅ । – ଶ୍ରୀମା (୨୬ ସେପ୍ଟେମ୍ବର ୧୯୭୧)
★ ଶ୍ରୀଅରବିନ୍ଦ ସର୍ବଦା ଉପସ୍ଥିତ ରହିଛନ୍ତି ।
ତୁମେ ନିଷ୍ଠାଯୁକ୍ତ ହୁଅ, ବିଶ୍ଵାସର ବିକାଶ କରାଅ ।
ଏହାହିଁ ସର୍ବପ୍ରଥମ ଆବଶ୍ୟକତା ।
ଅନେକ ଆଶୀର୍ବାଦ । – ଶ୍ରୀମା (୨୯ ସେପ୍ଟେମ୍ବର ୧୯୭୧)
୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ସ୍ଵାଧୀନ ଭାରତର ଜନ୍ମ ଦିବସ । ତାହା ପାଇଁ ଏହା ଏକ ପୁରାତନ ଯୁଗର ଅବସାନ ଓ ନୂତନ ଯୁଗର ଆରମ୍ଭ । କିନ୍ତୁ ଆମେ ଏକ ସ୍ଵାଧୀନ ଜାତି ରୂପେ ଆମ ଜୀବନ ଓ କର୍ମଦ୍ବାରା ଏହାକୁ ଏପରି ଏକ ମହତ୍ତ୍ବପୂର୍ଣ୍ଣ ଦିନ ଭାବରେ ରୂପ ଦେବା ଯେ ଯେପରି ଏହା ସମଗ୍ର ପୃଥିବୀ ପାଇଁ ମଣିଷ ଜାତିର ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭବିଷ୍ୟତ ପାଇଁ ଏକ ନୂତନ ଯୁଗର ଉନ୍ମୋଚନ କରିବ।
ଅଗଷ୍ଟ ୧୫ ମୋର ଜନ୍ମଦିବସ ଏବଂ ସ୍ବଭାବତଃ ଏହା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଏହି ଦିବସଟି ଏପରି ବିପୁଳ ତାତ୍ପର୍ଯ୍ୟ ଅର୍ଜନ କରିଛି ଏହି ଯୋଗାଯୋଗକୁ ମୁଁ ଏକ ଆକସ୍ମିକ ଘଟଣାରୂପେ ଗ୍ରହଣ କରୁନାହିଁ । ବରଂ ମୁଁ ମନେକରେ ଯେଉଁ ଭାଗବତ ଶକ୍ତିଙ୍କ ପରିଚାଳନାରେ ମୋ କର୍ମଜୀବନ ଆରମ୍ଭ ହୋଇଥିଲା ଓ ଯାହା ମୋର ପ୍ରତ୍ୟେକ ପଦକ୍ଷେପରେ ପଥପ୍ରଦର୍ଶକ ଏହା ଆଜି ତାଙ୍କର ସ୍ବୀକୃତି ଓ ଅନୁମୋଦନ ଯୋଗୁ ହୋଇଛି ଏବଂ ମୁଁ ଭାବୁଛି କାର୍ଯ୍ୟର ପୂର୍ଣ୍ଣ ସାଫଲ୍ୟର ସମୟ ସମାଗତ । ଏହି ଦିବସଟିରେ ମୁଁ ପ୍ରାୟ ସେହିସବୁ ବିଶ୍ବକ୍ରିୟାବଳୀକୁ ଲକ୍ଷ୍ୟ କରୁଛି ଯେଉଁଗୁଡ଼ିକୁ ମୁଁ ମୋ ଜୀବଦ୍ଦଶାରେ ପୂର୍ଣ୍ଣ ହେବାର ଆଶା କରିଥିଲି। ଯଦିଓ ସେଗୁଡ଼ିକ ସେତେବେଳେ ଦିବାସ୍ବପ୍ନ ସଦୃଶ ପ୍ରତୀୟମାନ ହେଉଥିଲା, ଆଜି କିନ୍ତୁ ଲକ୍ଷ୍ୟ କରୁଛି ସେସବୁ ସଫଳ ହୋଇଛି ଅଥବା ସଫଳତାର ପଥରେ । ଏହିସବୁ କ୍ରିୟାଧାରା ମଧ୍ୟରେ ସ୍ଵାଧୀନ ଭାରତ ଏକ ମହାନ୍ ଭୂମିକା ଏବଂ ଏକ ଗୁରୁତ୍ବପୂର୍ଣ ନେତୃତ୍ବ ଗ୍ରହଣ କରିପାରେ।
ଏହିଗୁଡ଼ିକ ମଧ୍ୟରୁ ମୋର ପ୍ରଥମ ସ୍ବପ୍ନ ଥିଲା ଏକ ବୈପ୍ଳବିକ ଆନ୍ଦୋଳନ ଯାହା ଦ୍ବାରା ଏକ ସ୍ଵାଧୀନ ଓ ଅଖଣ୍ଡ ଭାରତ ପ୍ରତିଷ୍ଠା ହେବ । ଆଜି ଭାରତ ସ୍ଵାଧୀନ କିନ୍ତୁ ତାହା ଏପର୍ଯ୍ୟନ୍ତ ମଧ୍ୟ ଅଖଣ୍ଡତା ଲାଭ କରିପାରିନାହିଁ ବ୍ରିଟିଶ୍ ଶାସନର ଅବ୍ୟବହିତ ପୂର୍ବେ ଭାରତ ଯେପରି ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇ ବିଶୃଙ୍ଖଳିତ ହୋଇପଡ଼ିଥିଲା, ଏକ ସମୟରେ ମନେହେଉଥିଲା ସ୍ଵାଧୀନତା ଦ୍ବାରା ପୁଣି ସେହି ସ୍ତରକୁ ଭାରତ ଖସିପଡ଼ିବ । କିନ୍ତୁ ସୌଭାଗ୍ୟର କଥା, ବର୍ତ୍ତମାନ ବୋଧହେଉଛି ଏହି ବିପଦକୁ ଦୂର କରାଯାଇପାରିବ ଏବଂ ପରିପୂର୍ଣ ଅଖଣ୍ଡତା ପ୍ରତିଷ୍ଠିତ ନହୋଇ ପାରିଲେ ମଧ୍ୟ ଏକ ସୁଦୃଢ଼ ନୀତି ଯୋଗୁ ଦଳିତ ଜାତିର ସମସ୍ୟା, ବିଭେଦ ଓ ମତଭେଦ ବିନା ସବୁକିଛି ସମାଧାନ ହୋଇଯିବାର ସମ୍ଭାବନା ଦେଖାଦେଇଛି କିନ୍ତୁ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଥିବା ପୂର୍ବର ସାମ୍ପ୍ରଦାୟିକ ବିଭେଦ ବର୍ତ୍ତମାନ ଅଧିକତର ଦୃଢ଼ ହୋଇ ଦେଶର ଏକ ସ୍ଥାୟୀ ରାଜନୈତିକ ବିଭକ୍ତିକରଣର ରୂପ ନେଉଥିବା ପରି ମନେହୁଏ। ତଥାପି ଆଶା କରାଯାଏ ଯେ ଏହାକୁ ଚିରକାଳ ପାଇଁ ଏକ ମୀମାଂସିତ ସ୍ଥାୟୀ ଘଟଣାରୂପେ ଗ୍ରହଣ କରାଯିବ ନାହିଁ ଅଥବା ଏକ ସାମୟିକ ବ୍ୟବସ୍ଥା ବ୍ୟତୀତ ଏହାକୁ ଅନ୍ୟ ମୂଲ୍ୟ ଦିଆଯିବା ଉଚିତ ନୁହେଁ କାରଣ ଯଦି ଏହା ସ୍ଥାୟୀ ରହେ ତେବେ ଭାରତ ଶୋଚନୀୟ ଭାବରେ ଶକ୍ତିହୀନ ଏପରିକି ପଙ୍ଗୁ ମଧ୍ୟ ହୋଇଯାଇପାରେ । ସର୍ବଦା ଗୃହବିବାଦର ସମ୍ଭାବନା ଏପରି କି ବିଦେଶୀ ଆକ୍ରମଣ ଓ ରାଜ୍ୟ ଅଧିକାରର ସମ୍ଭାବନା ମଧ୍ୟ ରହିପାରେ । ଜାତି ଓ ଦେଶ ମଧ୍ୟରେ ତାହାର ଆସନ ଦୁର୍ବଳ ହୋଇଯାଇପାରେ ଓ ତାହାର ଭବିତବ୍ୟ ବ୍ୟାହତ ଏପରିକି ବ୍ୟର୍ଥ ମଧ୍ୟ ହୋଇଯାଇପାରେ। ଏହା ଯେପରି କଦାପି ନ ଘଟେ, ଦେଶ ବିଭାଜନ ଯେପରି ଅବଶ୍ୟ ହିଁ ଦୂର ହେବ କେବଳ ଶାନ୍ତି ସହୃଦୟତା ପାଇଁ ନୁହେଁ, ଆହୁରି ମଧ୍ୟ ମିଳିତ କାର୍ଯ୍ୟର ଅଭ୍ୟାସ ଦ୍ବାରା ଏବଂ ସେହି ଉଦ୍ଦେଶ୍ୟର ଆବଶ୍ୟକୀୟ ଉପାୟ ସୃଷ୍ଟି କରିବା ଦ୍ବାରା । ଏହିପରି ଭାବରେ ପରିଶେଷରେ ଏକତା ପ୍ରତିଷ୍ଠିତ ହେବ, ତାହା ଯେକୌଣସି ରୂପ ନେଉନା କାହିଁକି – ନିର୍ଦ୍ଦିଷ୍ଟ ରୂପର ମୂଲ୍ୟ କେବଳ ବ୍ୟବହାରିକ ହେବ, ତାହାର କୌଣସି ମୌଳିକ ଗୁରୁତ୍ବ ନାହିଁ । କିନ୍ତୁ ଯେକୌଣସି ଉପାୟରେ ହେଉ ଯେ କୌଣସି ପନ୍ଥାରେ ହେଉ, ଦେଶ ବିଭାଜନ ନିଶ୍ଚୟ ଦୂର କରିବାକୁ ହେବ, ଏକତା ଅବଶ୍ୟ ପ୍ରତିଷ୍ଠିତ ହେବ କାରଣ ଭାରତର ଭବିଷ୍ୟତ ମହାନତା ପାଇଁ ଏହା ଅତ୍ୟନ୍ତ ପ୍ରୟୋଜନ
ଅନ୍ୟ ଏକ ସ୍ଵପ୍ନ ହେଲା ଏସିଆବାସୀଙ୍କ ପୁନରୁତ୍ଥାନ ଓ ମୁକ୍ତି ଏବଂ ମାନବ ସଭ୍ୟତାର ବିକାଶ ଦିଗରେ ତାହାର ମହତ୍ତର ଭୂମିକା ଗ୍ରହଣ । ଏସିଆ ଆଜି ଜାଗ୍ରତ, ତାହାର ଏକ ବିରାଟ ଅଂଶ ମୁକ୍ତ ହୋଇସାରିଛି କିମ୍ବା ବର୍ତ୍ତମାନ ମୁକ୍ତି ହେବା ପଥରେ । ଏହାର ଏପର୍ଯ୍ୟନ୍ତ ପରାଧୀନ ଥିବା ବା ଆଂଶିକ ପରାଧୀନ ଥିବା ଅନ୍ୟାନ୍ୟ ଅଂଶକୁ କୌଣସି ନା କୌଣସି ସଂଗ୍ରାମ ଚଳାଇ ସ୍ଵାଧୀନତା ଦିଗରେ ଆଗେଇ ଚାଲିଛନ୍ତି । କେବଳ ସାମାନ୍ୟ ମାତ୍ର କରିବାକୁ ବାକି ଅଛି ଏବଂ ଆଜି ହେଉ ବା କାଲି ହେଉ ତାହା ନିଶ୍ଚିତ ରୂପେ ହେବ । ସେଥିରେ ଭାରତର ନିଜସ୍ବ ଭୂମିକା ରହିଛି ଏବଂ ଶକ୍ତି ଓ ସାମର୍ଥ୍ୟର ସହିତ ସେ ଏହି ଭୂମିକା ଗ୍ରହଣ କରିବାକୁ ଆରମ୍ଭ କରିଛି । ଏଥିରୁ ସୂଚିତ ହେଉଛି ତାହାର ଭବିଷ୍ୟତ ସମ୍ଭାବନା ଓ ରାଷ୍ଟ୍ରମାନଙ୍କ ସଭାରେ ସେ କେଉଁ ଆସନ ଗ୍ରହଣ କରିବ।
ତୃତୀୟ ସ୍ଵପ୍ନ ହେଲା ବିଶ୍ବସଂଘର ପ୍ରତିଷ୍ଠା – ଯାହା ସମଗ୍ର ମାନବଜାତି ପାଇଁ ଏକ ଅଧିକ ସୁନ୍ଦରତର, ଉଜ୍ଜଳତର ଓ ମହତ୍ତର ଜୀବନର ବାହ୍ୟ ଭିତ୍ତି ଗଠନ କରିବ । ମାନବ ସମାଜର ସେହି ଏକତା ବର୍ତ୍ତମାନ ପ୍ରସ୍ତୁତି ପଥରେ; ଏ ଦିଗରେ ଏକ ପ୍ରାରମ୍ଭିକ କାର୍ଯ୍ୟ ସଙ୍ଗଠିତ ହୋଇସାରିଛି ଯଦିଓ ଏହା ତ୍ରୁଟିପୂର୍ଣ; ତାହାକୁ ବହୁ ବାଧାବିଘ୍ନ ବିରୁଦ୍ଧରେ ମଧ୍ୟ ସଂଗ୍ରାମ କରିବାକୁ ହେଉଛି । କିନ୍ତୁ ତାହା ମଧ୍ୟରେ ରହିଛି ଏକ ପ୍ରବେଗ ଓ ଏହା ଅନିବାର୍ଯ୍ୟ ଭାବରେ ବୃଦ୍ଧିପାଇବ ଏବଂ ଅବଶ୍ୟ ବିଜୟ ହାସଲ କରିବ। ଏଠାରେ ମଧ୍ୟ ଭାରତ ଏକ ପ୍ରଧାନ ଭୂମିକା ନେବାକୁ ଆରମ୍ଭ କରିଛି; ଯଦି ସେ ସେହି ଧରଣର ବିଶାଳତର ରାଷ୍ଟ୍ରନୀତିକୁ ବିକଶିତ କରିପାରନ୍ତା। ଯାହାକି ବର୍ତ୍ତମାନ ଘଟଣା ଓ ଆଶୁ ସମ୍ଭାବନା ଦ୍ବାରା ସୀମାବଦ୍ଧ ନୁହେଁ, ବରଂ ଭବିଷ୍ୟତ ଦିଗରେ ଦୃଷ୍ଟିନିବନ୍ଧ କରେ ଏବଂ ସେହି ଭବିଷ୍ୟତକୁ ନିକଟତର କରାଏ । ତେବେ ଭାରତର ଉପସ୍ଥିତିର ପ୍ରଭାବ ଫଳରେ ଏ ଦିଗରେ ଅଗ୍ରଗତି ମନ୍ଥର ଓ ଶଙ୍କାକୁଳ ନହୋଇ ନିର୍ଭୀକ ଓ କ୍ଷିପ୍ର ହେବ । ହୁଏତ ଏକ ବିପର୍ଯ୍ୟୟ ମଧ୍ୟ ଆସିପାରେ ଏବଂ ତାହା ଏହି କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ବା ଏହାକୁ ସମ୍ପୂର୍ଣ ଧ୍ବଂସ ମଧ୍ୟ କରିପାରେ । କିନ୍ତୁ ତଥାପି ମଧ୍ୟ ଶେଷଫଳ ସ୍ଥିର ନିଶ୍ଚିତ । କାରଣ ଏକତା ପ୍ରକୃତିର ଏକ ପ୍ରୟୋଜନ ଓ ଏକ ଅନିବାର୍ଯ୍ୟ ପ୍ରକ୍ରିୟା । ଦେଶ ଓ ଜାତିମାନଙ୍କ ପାଇଁ ଏହାର ପ୍ରୟୋଜନୀୟତା ବିପକ୍ଷରେ ଚିରତର ତିଷ୍ଠି ପାରିବ ନାହିଁ । କିନ୍ତୁ ଏକ ବାହ୍ୟଭିରି ଯଥେଷ୍ଟ ନୁହେଁ ଏକ ଆନ୍ତର୍ଜାତିକ ଭାବ ଓ ଦୃଷ୍ଟିକୋଣର ବିକାଶ ଦରକାର । ଆନ୍ତର୍ଜାତିକ ବ୍ୟବସ୍ଥା ଓ ଅନୁଷ୍ଠାନ ମଧ୍ୟ ସୃଷ୍ଟି ହେବା ଦରକାର; ଆଉ ମଧ୍ୟ ଏପରି ବିକାଶ ଯଥା, ଦ୍ବୈତ ବା ବହୁନାଗରିକତ୍ବର ପ୍ରତିଷ୍ଠା, ବିଭିନ୍ନ ସଂସ୍କୃତି ମଧ୍ୟରେ ସ୍ବେଚ୍ଛାକୃତ ଆଦାନପ୍ରଦାନ ଓ ମିଳନ ମଧ୍ୟ ଆବଶ୍ୟକ ସେତେବେଳେ ଜାତୀୟତା ତାହାର ପୂର୍ଣ୍ଣତା ଲାଭ କରିଥିବ, ତାହାର ଯୁଦ୍ଧପ୍ରବୃତ୍ତ ହରାଇଥିବ ଏବଂ ନିଜ ଦୃଷ୍ଟିକୋଣର ପୂର୍ଣତା ଓ ଆତ୍ମସଂରକ୍ଷଣ ସହିତ ସେଗୁଡ଼ିକୁ ଅସଙ୍ଗତ ଅନୁଭବ କରିବ ନାହିଁ । ଏକତାର ଏକ ନୂତନ ଚେତନା ସମଗ୍ର ମାନବ ଜାତିକୁ ଅଧିକାର କରିବ ।
ଅନ୍ୟ ଏକ ସ୍ଵପ୍ନ ହେଲା ପୃଥିବୀକୁ ଭାରତର ଆଧ୍ୟାତ୍ମିକ ଅବଦାନ – ଇତି ମଧ୍ୟରେ ତାହା ଆରମ୍ଭ ହୋଇସାରିଲାଣି। ଭାରତର ଆଧ୍ୟାତ୍ମିକତା ଇଉରୋପଖଣ୍ଡ ଓ ଆମେରିକା ମଧ୍ୟକୁ କ୍ରମଶଃ ଅଧିକ ଭାବରେ ପ୍ରବେଶ କରୁଛି । ସେହି ଆନ୍ଦୋଳନ ପ୍ରସାର ଲାଭ କରିବ । ଏ ଯୁଗର ବିପର୍ଯ୍ୟୟ ମଧ୍ୟରେ ଅଧିକରୁ ଅଧିକ ବ୍ୟକ୍ତି ଭାରତ ଆଡ଼କୁ ଆଶାର ଦୃଷ୍ଟି ନେଇ ଚାହିଁ ରହିଛନ୍ତି । ସେମାନେ କେବଳ ତାହାର ଶିକ୍ଷାପ୍ରତି ନୁହେଁ, ତାହାର ଅନ୍ତରାତ୍ମା ଓ ଆଧ୍ୟାତ୍ମିକ ସାଧନାର ଆଶ୍ରୟ ଖୋଜୁଛନ୍ତି ।
ସର୍ବଶେଷ ସ୍ଵପ୍ନ ହେଲା ବିବର୍ତ୍ତନରେ ଏକ ଅଗ୍ର ପଦକ୍ଷେପ ଯାହାକି ମନୁଷ୍ୟକୁ ଏକ ଉଚ୍ଚତର ଓ ବିଶାଳତର ଚେତନା ମଧ୍ୟକୁ ଉନ୍ନୀତ କରିବ ଏବଂ ବ୍ୟକ୍ତିଗତ ପୂର୍ଣତା ଓ ସାମାଜିକ ପୂର୍ଣତାର ବିଷୟରେ ଚିନ୍ତାକରିବା ଓ ସ୍ଵପ୍ନ ଦେଖିବା ଦିନଠାରୁ ମନୁଷ୍ୟକୁ ଯେଉଁ ସବୁ ସମସ୍ୟାଗୁଡ଼ିକ ବ୍ୟସ୍ତ ଓ ବିଚଳିତ କରିଛି ସେହିସବୁ ସମସ୍ୟାର ସମାଧାନ ଆଣିଦେବ । ତଥାପି ମଧ୍ୟ ଏହା ଏକ ବ୍ୟକ୍ତିଗତ ଆଶା, ବିଚାର ଓ ଆଦର୍ଶ ମାତ୍ର ଯାହା ଭାରତ ଓ ପାଶ୍ଚାତ୍ୟର ଦୂରଦୃଷ୍ଟି ସମ୍ପନ୍ନ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ଅଧିକାର କରିବାକୁ ଆରମ୍ଭ କରିଛି । ପ୍ରଚେଷ୍ଟାର ଅନ୍ୟକୌଣସି କ୍ଷେତ୍ର ଅପେକ୍ଷା ଏହି କ୍ଷେତ୍ରରେ ପ୍ରତିବନ୍ଧକ ଅଧିକ ଶକ୍ତିଶାଳୀ; କିନ୍ତୁ ପ୍ରତିବନ୍ଧକ ଗୁଡ଼ିକ ଅତିକ୍ରମ କରିବା ପାଇଁ ହିଁ ସୃଷ୍ଟି ହୋଇଥାନ୍ତି ଏବଂ ଯଦି ଭଗବାନଙ୍କ ଇଚ୍ଛା ଏହାର ପଶ୍ଚାତ୍ରେ ଥାଏ, ତେବେ ସେଗୁଡ଼ିକ ଅତିକ୍ରମ କରିହେବ। ପୁନଶ୍ଚ ଯଦି ବିବର୍ତ୍ତନର ଏହି ପଦକ୍ଷେପ ଗ୍ରହଣ କରିବାକୁ ହୁଏ ଯେହେତୁ ଏହା କେବଳ ସଂଘଟିତ ହେବ ଆତ୍ମା ଓ ଆନ୍ତର ଚେତନାର ବିକାଶ ଦ୍ବାରା, ତେଣୁ ଏ କ୍ଷେତ୍ରରେ ମଧ୍ୟ ଭାରତ ପ୍ରଥମ ଉଦ୍ୟମ ଆରମ୍ଭ କରିବ। ଯଦି ଏଥିପାଇଁ ସୁଯୋଗର ପରିସର ବିଶ୍ବବ୍ୟାପକ, ତଥାପି କେନ୍ଦ୍ରୀୟ ପ୍ରକ୍ରିୟା ଭାରତରୁ ହିଁ ଆରମ୍ଭ ହେବା ସମ୍ଭବ।
ଭାରତର ଏହି ସ୍ଵାଧୀନତା ଦିବସକୁ ମୁଁ ଏହି ତାତ୍ପର୍ଯ୍ୟ ପ୍ରଦାନ କରୁଛି। ମୋର ଏହି ଆଶା କେତେଦୂର ସଫଳ ହେବ ତାହା ନିର୍ଭର କରେ ନୂତନ ଓ ସ୍ଵାଧୀନ ଭାରତ ଉପରେ।
ମୋର ତିନୋଟି ପାଗଳାମୀ ଅଛି। ପ୍ରଥମ ପାଗଳାମୀ : ମୋର ଦୃଢ଼ ବିଶ୍ବାସ ଭଗବାନ ଯେଉଁ ଗୁଣ, ଯେଉଁ ପ୍ରତିଭା, ଯେଉଁ ଉଚ୍ଚଶିକ୍ଷା ଓ ବିଦ୍ୟା, ଯେଉଁ ଧନ ଦେଇଛନ୍ତି, ସବୁକିଛି ଭଗବାନଙ୍କର, ଯାହା ପରିବାରର ଭରଣପୋଷଣରେ ଲାଗେ, ଆଉ ଯାହା ନିତାନ୍ତ ଆବଶ୍ୟକ ତାହାହିଁ ନିଜ ନିମିତ୍ତ ଖର୍ଚ୍ଚ କରିବାର ଅଧିକାର ଅଛି; ଯାହା ବାକି ରହିଲା ତାହା ଭଗବାନଙ୍କୁ ଫେରାଇ ଦେବା ଉଚିତ । ମୁଁ ଯଦି ସବୁକିଛି ନିଜ ନିମିତ୍ତ, ନିଜର ସୁଖ, ବିଳାସ ନିମିତ୍ତ ଖର୍ଚ୍ଚ କରେ, ତାହାହେଲେ ମୁଁ ଚୋର । ହିନ୍ଦୁ ଶାସ୍ତ୍ର କହେ, ଯେ ଭଗବାନଙ୍କ ନିକଟରୁ ଧନ ନେଇ ତାହା ଫେରାଇ ଦିଏ ନାହିଁ, ସେ ଚୋର ଏପର୍ଯ୍ୟନ୍ତ ଭଗବାନଙ୍କୁ ଦୁଇ ଅଣା ଦେଇ ବାକି ଚୌଦ ଅଣା ନିଜ ସୁଖରେ ଖର୍ଚ୍ଚ କରି ହିସାବ ନିକାଶ କରି ସାଂସାରିକ ସୁଖରେ ମତ୍ତ ଅଛି । ଜୀବନର ଅର୍ଦ୍ଧାଂଶଟା ବୃଥା କଟିଗଲା; ପଶୁ ମଧ୍ୟ ନିଜର ଓ ନିଜ ପରିବାରର ଉଦର ପୂରଣ କରି କୃତାର୍ଥ ହୁଏ।
ମୁଁ ଏତେଦିନ ପଶୁବୃତ୍ତ ଓ ଚୌର୍ଯ୍ୟବୃଦ୍ଧି କରି ଆସିଛି, ଏହି କଥା ବୁଝିପାରିଛି । ବୁଝି କରି ବଡ଼ ଅନୁତାପ ଓ ନିଜ ଉପରେ ବିଶେଷ ଘୃଣା ଆସିଛି । ଆଉ ଏପରି ହେବ ନାହିଁ, ଏ ଜନ୍ମରେ ଏ ପାପ ଏତିକି । ଭଗବାନଙ୍କୁ ଦେବାର ଅର୍ଥ କ’ଣ ? ଏହାର ଅର୍ଥ ଧର୍ମକାର୍ଯ୍ୟରେ ବ୍ୟୟ କରିବା । ଯେଉଁ ଟଙ୍କା ସରୋଜିନୀ ଓ ଉଷାକୁ ଦେଇଛି ସେଥିପାଇଁ କୌଣସି ଅନୁତାପ କରିବାକୁ ହେବ ନାହିଁ । ପରୋପକାର ଧର୍ମ, ଆଶ୍ରିତଙ୍କୁ ରକ୍ଷା କରିବା ମହାଧର୍ମ । କିନ୍ତୁ କେବଳ ଭାଇଭଉଣୀଙ୍କୁ ଦାନ କଲେ ହିସାବ ନିକାଶ ହୁଏ ନାହିଁ । ଏହି ଦୁର୍ଦ୍ଦିନରେ ସମସ୍ତ ଦେଶ ମୋ ଦ୍ବାରରେ ଆଶ୍ରିତ, ମୋର ତିରିଶି କୋଟି ଭାଇଭଉଣୀ ଏହି ଦେଶରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଅନାହାରରେ ମରୁଛନ୍ତି, ଅଧିକାଂଶହିଁ ଦୁଃଖକଷ୍ଟରେ ଜର୍ଜରିତ ହୋଇ କୌଣସି ମତେ ବଞ୍ଚି ରହିଛନ୍ତି, ସେମାନଙ୍କ କଲ୍ୟାଣ ସାଧନ କରିବାକୁ ହିଁ ହେବ।
କ’ଣ କହୁଛ, ଏ ବିଷୟରେ ତୁମେ ମୋର ସହଧର୍ମିଣୀ ହେବ ? କେବଳ ସାଧାରଣ ଲୋକଙ୍କ ପରି ଭୋଜନ କରି, ସାମାନ୍ୟ ପରିଧାନ କରି ଏବଂ ଯାହା ଅତ୍ୟାବଶ୍ୟକ ତାହା କିଣି, ବାକି ସବୁକିଛି ଭଗବାନଙ୍କୁ ଅର୍ପଣ କରିବି, ଏହାହିଁ ମୋର ଇଚ୍ଛା, ତୁମେ ସମ୍ମତି ଦେଲେ, ତ୍ୟାଗ ସ୍ବୀକାର କରିପାରିଲେ, ମୋର ଲକ୍ଷ୍ୟ ପୂର୍ଣ୍ଣ ହୋଇପାରିବ । ତୁମେ ଲେଖିଛ, ‘ମୋର କୌଣସି ଉନ୍ନତି ହେଉ ନାହିଁ, ଏହି ଯେ ଗୋଟିଏ ଉନ୍ନତିର ପଥ ଦେଖାଇ ଦେଲି, ସେ ପଥରେ ଯାତ୍ରା କରିପାରିବ କି?
ଦ୍ବିତୀୟ ପାଗଳାମି ଅଳ୍ପଦିନ ହେଲା ମୋତେ ଚାପିଧରିଛି । ପାଗଳାମିଟା ଏହି– ଯେ କୌଣସି ପ୍ରକାରରେ ଭଗବାନଙ୍କର ସାକ୍ଷାତ୍ ଦର୍ଶନ ଲାଭ କରିବାକୁ ହେବ । ଆଜିକାଲିର ଧର୍ମ-କଥା କଥାରେ ଭଗବାନଙ୍କର ନାମ ନେବା, ସମସ୍ତଙ୍କ ସମକ୍ଷରେ ପ୍ରାର୍ଥନା କରିବା, ଧାର୍ମିକ ବୋଲି ଲୋକଙ୍କୁ ଦେଖାଇ ହେବା ! ତା’ ମୁଁ ଚାହେଁ ନାହିଁ । ଈଶ୍ବର ଯଦି ଥା’ନ୍ତି, ତେବେ ତାଙ୍କର ଅସ୍ତିତ୍ବ ଅନୁଭବ କରିବା ଏବଂ ତାଙ୍କ ସଙ୍ଗେ ସାକ୍ଷାତ୍ କରିବାର କୌଣସି ନା କୌଣସି ପଥ ନିଶ୍ଚୟ ଥିବ। ସେ ପଥ ଯେତେ ଦୁର୍ଗମ ହେଉ ନା କାହିଁ କି, ମୁଁ ସେ ପଥରେ ଯିବାର ଦୃଢ଼ସଂକଳ୍ପ କରି ବସିଛି । ହିନ୍ଦୁଧର୍ମ କହେ, ସେ ପଥ ନିଜ ଶରୀର ଓ ନିଜ ମନ ମଧ୍ୟରେ ଅଛି । ଯିବାର ପଥ ଦେଖାଇ ଦେଇଛି, ମୁଁ ସେହିସବୁ ପାଳନ କରିବାକୁ ଆରମ୍ଭ କରିଛି । ମାସକ ମଧ୍ୟରେ ଅନୁଭବ କରିପାରିଲି ଯେ ହିନ୍ଦୁଧର୍ମର କଥା ମିଥ୍ୟା ନୁହେଁ, ଯେଉଁ ସୂଚନା ଓ ଚିହ୍ନର କଥା ରହିଛି, ସେସବୁ ଉପଲବ୍ଧି କରିଛି । ବର୍ତ୍ତମାନ ମୋର ଇଚ୍ଛା ତୁମକୁ ସେହି ପଥରେ ନେଇଯିବାକୁ, ଠିକ୍ ମୋ ସଙ୍ଗେ ସଙ୍ଗେ ତୁମେ ଯାଇପାରିବ ନାହିଁ, କାରଣ ତୁମର ଏତେ ଜ୍ଞାନ ନାହିଁ, କିନ୍ତୁ ମୋ ପଛେ ପଛେ ଆସିଲେ କୌଣସି ବାଧା ନାହିଁ । ସେହି ପଥରେ ସମସ୍ତେ ସିଦ୍ଧି ଲାଭ କରିପାରନ୍ତି, କିନ୍ତୁ ପ୍ରବେଶ କରିବା ଇଚ୍ଛା ଉପରେ ନିର୍ଭର କରେ, କେହି ତୁମକୁ ଧରି ନେଇ ଯାଇପାରିବ ନାହିଁ, ଯଦି ତୁମର ଏଥିରେ ମତ ଥାଏ ତେବେ ଏ ବିଷୟରେ ମୁଁ ଆହୁରି ଲେଖିବି।
ତୃତୀୟ ପାଗଳାମିଟା ଏହି ଯେ ଅନ୍ୟ ଲୋକମାନେ ସ୍ବଦେଶକୁ ଗୋଟାଏ ଜଡ଼ ପଦାର୍ଥ, କେତେଗୁଡ଼ିଏ ପଡ଼ିଆ ଜମି, ଶସ୍ୟକ୍ଷେତ୍ର, ବଣ ପର୍ବତ, ନଦୀ ବୋଲି ଜାଣନ୍ତି; ମୁଁ କିନ୍ତୁ ସ୍ବଦେଶକୁ ମା’ ବୋଲି ଜାଣେ, ଭକ୍ତି କରେ, ପୂଜା କରେ । ମା’ଙ୍କ ଛାତି ଉପରେ ବସି ଯଦି ଏକ ରାକ୍ଷସ ରକ୍ତପାନରେ ଉଦ୍ୟତ ହୁଏ, ତା’ହେଲେ ପୁଅ କ’ଣ କରେ ? ନିଶ୍ଚିତ ଭାବରେ ଆହାର କରିବାକୁ ବସି, ସ୍ତ୍ରୀ-ପୁତ୍ରଙ୍କ ସଙ୍ଗେ ଆମୋଦ କରିବାକୁ ବସେ, ନା ମା’ଙ୍କୁ ଉଦ୍ଧାର କରିବା ନିମିତ୍ତ ଦୌଡ଼ିଯାଏ ? ମୁଁ ଜାଣେ ଏହି ପତିତଜାତିକୁ ଉଦ୍ଧାର କରିବା ନିମିତ୍ତ ବଳ ମୋ ଶରୀରରେ ଅଛି, ଶାରୀରିକ ବଳ ନୁହେଁ, ତରବାରି ବା ବନ୍ଧୁକ ନେଇ ମୁଁ ଯୁଦ୍ଧ କରିବାକୁ ଯାଉ ନାହିଁ, ଜ୍ଞାନର ବଳ। କ୍ଷାତ୍ରତେଜ ଏକମାତ୍ର ତେଜ ନୁହେଁ, ବ୍ରହ୍ମତେଜ ମଧ୍ୟ ଅଛି, ସେହି ତେଜ ଜ୍ଞାନ ଉପରେ ପ୍ରତିଷ୍ଠିତ । ଏହି ଭାବ ନୂତନ ନୁହେଁ, ଆଜିକାଲିର ନୁହେଁ । ଏହି ଭାବ ନେଇ ମୁଁ ଜନ୍ମଗ୍ରହଣ କରିଛି, ଏହି ଭାବ ମୋର ମଜ୍ଜାଗତ; ଭଗବାନ୍ ଏହି ମହାବ୍ରତ ସାଧନ କରିବାକୁ ମୋତେ ପୃଥିବୀକୁ ପଠାଇଛନ୍ତି । ଚଉଦ ବର୍ଷ ବୟସରେ ବୀଜଟି ଅଙ୍କୁରିତ ହେବାକୁ ଲାଗିଲା, ଅଠର ବର୍ଷ ବୟସରେ ସେହି ପ୍ରତିଷ୍ଠା ଦୃଢ଼ ଓ ଅଚଳ ହେଲା ତୁମେ ମାଉସୀଙ୍କ କଥା ଶୁଣି ଭାବିଥିଲ ଯେ, କୌଣସି ବଦପ୍ରକୃତିର ଲୋକ ତୁମର ସରଳ ଓ ଉତ୍ତମ ସ୍ବଭାବ ବିଶିଷ୍ଟ ସ୍ବାମୀଙ୍କୁ କୁପଥରେ ଟାଣି ନେଇଛି। କିନ୍ତୁ ତୁମର ଉତ୍ତମ ସ୍ବାମୀ ହିଁ ସେହି ଲୋକଙ୍କୁ ଓ ଆହୁରି ଶତ ଶତ ଲୋକଙ୍କୁ ସେହି ପଥରେ, କୁପଥ ବା ସୁପଥ ହେଉ, ପ୍ରବେଶ କରାଇଛନ୍ତି ଏବଂ ଆହୁରି ସହସ୍ର ସହସ୍ର ଲୋକଙ୍କୁ ସେଥିରେ ପ୍ରବେଶ କରାଇବେ । ମୁଁ ବଞ୍ଚିଥିବା ସମୟ ମଧ୍ୟରେ ଯେ କାର୍ଯ୍ୟସିଦ୍ଧି ହେବ, ଏକଥା ମୁଁ କହୁ ନାହିଁ, କିନ୍ତୁ ହେବ ନିଶ୍ଚୟ ।