Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୨୦, ୧୯୧୪

ଯଦି ଲକ୍ଷ୍ୟଟିକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖବାକୁ ହୁଏ, ଯାହାଫଳରେ ଅନ୍ୟସବୁ ଦୃଷ୍ଟିଭଙ୍ଗୀ ମଧ୍ୟ ଆଲୋକ ପାଇବେ, ତା’ହେଲେ ଆନ୍ତର ଆବିଷ୍କାରର ଅନୁଭୂତିକୁ ସର୍ବଦା ପୁନଃ ପୁନଃ ଫେରାଇ ଆଣିବାକୁ ହେବ ଏବଂ ଏହି ପଥଯାତ୍ରାର ଶେଷ କେଉଁଠି ସେ ସମ୍ବନ୍ଧରେ ଆଗରୁ କୌଣସି ପ୍ରକାର ସିଦ୍ଧାନ୍ତ ନ କରି ଚେତନାର ଚରମ ସୀମାକୁ ଉଠିଯିବାକୁ ହେବ ।

କିନ୍ତୁ ଅନ୍ତରତମ ପରମଙ୍କ ସହ ଚେତନାର ଯେଉଁ ଏକ ବା ଏକାଧୁକ ସଂଯୋଗ ଘଟିଥିଲା ସେ କଥା ମନ ସ୍ୱତଃ ସ୍ମରଣ ରଖେ ଏବଂ ନିଜେ ନିଜକୁ କହେ, “ପଥଶେଷରେ ଏହି ବସ୍ତୁ ହିଁ ପ୍ରାପ୍ତ ହୁଏ, କିନ୍ତୁ ସେ ଭୁଲିଯାଏ ଯେ ଏହି ବସ୍ତୁ’ ଯେଉଁ ବିଷୟରେ ସେ ଚିନ୍ତା କରୁଛି ତାହା ହେଲା ଲକ୍ଷ୍ୟଟିକୁ ବିକୃତ କରିବା ବା ବିକୃତ କରିବାର ଅସଂଖ୍ୟ ଧାରାରୁ ଗୋଟିଏ ଧାରା ଏବଂ ଏହି ବୁଦ୍ଧିଗତ ଧାରଣା ଅନୁଭୁତି ପରେ ଆସିବା ଉଚିତ, ପୂର୍ବରୁ ନୁହେଁ ।

ଏକାନ୍ତ ସରଳ ଭାବେ ପୁନର୍ବାର ପଥ ଧରି ଚାଲିବାକୁ ହେବ, ଯେପରି ଆମ୍ଭେମାନେ କେବେ ବି ସେହି ପଥରେ ପୂର୍ବରୁ ଯାତ୍ରା କରି ନାହୁଁ – ଏହାହିଁ ଯଥାର୍ଥ ଶୁଦ୍ଧି, ପୂର୍ଣ୍ଣ ଐକାନ୍ତିକତା ଯାହା ଆଣିଦିଏ ଅବାଧ ଉନ୍ନତି, ଅଖଣ୍ଡ ବୁଦ୍ଧି ଏବଂ ପରିପୂର୍ଣ୍ଣତା ।

ହେ ଅନିର୍ବାଚନୀୟ ଭଗବାନ୍ ! ମୋ ଅନ୍ତରରେ, ଯେଉଁଠାରେ ସମସ୍ତ ପ୍ରକାର ଚିନ୍ତା ନୀରବ ଅର୍ଥାତ୍ ସକଳ ପ୍ରକାର ସଜ୍ଞାନ ସଂଜ୍ଞା ନିରୂପଣ ସ୍ତବ୍ଧ ହୋଇଯାଇଛି ସେଠାରେ ବାକ୍ୟ ଅପେକ୍ଷା କିଛି ଗଭୀରତର, ମୋର ଇଚ୍ଛା-ଅନିଚ୍ଛା ସତ୍ତ୍ୱେ, ଗୋଟିଏ ତୀବ୍ର ଆସ୍ପୃହାସହ ତୋ ଆଡ଼କୁ ଫେରି ରହିଛି; ଏ ସକଳ କ୍ରିୟାବଳୀ ସେ ତୋତେ ସମର୍ପଣ କରେ, ଏହିସବୁ ଉପାଦାନ, ସତ୍ତାର ଏହିସବୁ ବିଭିନ୍ନ ଧାରା, – ଏ ସମସ୍ତ ପାଇଁ ସେ ଭିକ୍ଷା କରେ ତୋର ପରମ ଜ୍ୟୋତି ।

…ହେ ଭଗବାନ୍, ଚିନ୍ତା ଦ୍ଵାରା ମୁଁ ତୋତେ ଜାଣିପାରୁ ନାହିଁ, କିନ୍ତୁ ମୁଁ ନିଶ୍ଚିତରୂପେ ତୋତେ ଜାଣେ !