Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୨୦, ୧୯୧୪

ଏକ ମାତ୍ର ଯେଉଁ ବସ୍ତୁ ଗୁରୁତ୍ୱପୂର୍ଣ୍ଣ, ଏକ ମାତ୍ର ବସ୍ତୁ ଯାହାର ମୂଲ୍ୟ ଅଛି, ତାହା ହେଲା ଅଧିକରୁ ଅଧିକତର ଭାବେ ତୋ ସଙ୍ଗେ ଏକ ହୋଇଯିବାକୁ ସଂକଳ୍ପ କରିବା, ତୋ ପରା ଚେତନା ସଙ୍ଗେ ଆମ୍ଭମାନଙ୍କ ଚେତନାକୁ ଯୁକ୍ତ କରିବା, ତୋର ଐଶୀ ବିଧାନ, ତୋର ପ୍ରେମପୂର୍ଣ୍ଣ ଇଚ୍ଛାଶକ୍ତିର ଅଧିକରୁ ଅଧିକ ପ୍ରଶାନ୍ତ, ସ୍ଥିର, ନିଃସ୍ୱାର୍ଥପର ଓ ସମର୍ଥ ସେବକ ହୋଇଉଠିବା ।

ହେ ଭଗବାନ୍, ମୋତେ ପରିପୂର୍ଣ୍ଣ ନିଃସ୍ୱାର୍ଥତାର ସେହି ଶାନ୍ତି ପ୍ରଦାନ କର ଯାହା ତୋର ସାନ୍ନିଧ୍ୟକୁ ସଫଳ କରେ, ତୋର ହସ୍ତସ୍ପର୍ଶକୁ ସାର୍ଥକ କରେ – ସେହି ଶାନ୍ତି ଯାହାସକଳ ଦୁଃସଂକଳ୍ପ, ସକଳ ଅନ୍ଧକାର ଉପରେ ନିତ୍ୟ ବିଜୟୀ ।

ହେ ଭଗବାନ୍, ମୋର ଏକାନ୍ତ ବିନୀତ ପ୍ରାର୍ଥନା ଏହି ଯେ କର୍ତ୍ତବ୍ୟପାଳନର ଉପଯୁକ୍ତ ସାମର୍ଥ୍ୟ ଯେପରି ମୁଁ ଲାଭ କରେ, ଜ୍ଞାନରେ ହେଉ ବା ଅଜ୍ଞାନରେ ହେଉ ମୋ ଭିତରେ କୌଣସି କିଛି ଯେପରି ତୋର ପୁଣ୍ୟବ୍ରତର ସେବାରେ ଅବହେଳା ନ କରେ ବା ଅବିଶ୍ଵାସୀ ନ ହୋଇପଡ଼େ ।

ହେ ଭଗବାନ୍, ନୀରବ ଭକ୍ତି ସହ ମୁଁ ତୋତେ ପ୍ରଣାମ କରୁଛି ।