Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୧୫, ୧୯୧୪

ଶିଖର ଦେଶରେ ଛିଡ଼ା ହୋଇ ଚାହିଁଲେ ଦୃଷ୍ଟି ଯେପରି ପଡ଼େ ଦୂରପ୍ରସାରିତ ଚକ୍ରବାଳ ଉପରେ, ସେହିପରି ହେ ଭଗବାନ୍, ତୋର ଏକତ୍ଵ ଏବଂ ଅଭିବ୍ୟକ୍ତ ଜଗତର ମଧ୍ୟରେ ଯେଉଁ ଅନ୍ତର୍ବସ୍ତୀ ଲୋକ ରହିଛି, ତାହା ସଙ୍ଗେ ଚେତନା ଏକ ହୋଇଗଲେ ତୋର ଆନନ୍ତ୍ୟ ଏବଂ ଜଗତ୍ -ସତ୍ତା ଉଭୟରେ ହିଁ ଏକ ସମୟରେ ଅଂଶ ଗ୍ରହଣକରାଯାଇପାରେ । ମନେହୁଏ ଯେପରି ମୁଁ ରହିଛି ଏକ କେନ୍ଦ୍ରସ୍ଥଳରେ ଯେଉଁଠୁ ଚେତନା ତୋର ସାଫଲ୍ୟମୟ ଶକ୍ତିରେ ପରିପ୍ଳୁତ ହୋଇ ତୋ ପ୍ରେରଣାର କିରଣମାଳାକୁ ଏଇ ନିମ୍ନତମ ଯନ୍ତ୍ରଟି ଉପରେ ଢାଳିଦେଉଛି, ଯାହାକି ତା’ର ଅନ୍ୟାନ୍ୟ ସହଚର ଯନ୍ତ୍ରର ଠିକ୍ମଝିରେ ଚାଲୁଛି । ଏଇ ଲୋକାତୀତ ରାଜ୍ୟର ଊର୍ଦ୍ଧ୍ୱ ସୀମାରୁ ସ୍ଥୂଳ ପଦାର୍ଥର ଏକାତ୍ମତା ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ । ତେବେ ବି ଯେଉଁ ଦେହ ଜଡ଼ର ଆୟତନରେ ଏକ ବିଶେଷ ଯନ୍ତ୍ର ହୋଇ କାର୍ଯ୍ୟ କରେ, ତାହା ଅତି ସ୍ପଷ୍ଟ ଓ ପରିଷ୍କାର ହୋଇ ଏହି ସମଗ୍ରତାର ମଝିରେ ଏକ ତେଜୋମୟ ବିନ୍ଦୁ ରୂପେ ଦେଖାଦିଏ – ଯୁଗପତ୍ ଏକ ଅଥଚ ବହୁ, ଯାହା ମଧ୍ୟରେ ସକଳ ଶକ୍ତି ସମାନ ଭାବରେ ବିଚରଣ କରୁଛନ୍ତି ।

ଏହି ବୋଧ କାଲିଠାରୁ ଆଉ ମୋତେ ଛାଡ଼ିଯାଇ ନାହିଁ । ଏହା ମୋ ମଧ୍ୟରେ ସ୍ଥାୟୀ ଭାବରେ ପ୍ରତିଷ୍ଠିତ ହୋଇଯାଇଛି । ବାହ୍ୟ କ୍ରିୟାବଳୀ ଦେଲେ ମନେହୁଏ ସବୁ ଯଥାପୂର୍ବ ଚାଲୁଛି, କିନ୍ତୁ ସେଗୁଡ଼ିକ ଭିତରେ ଆସିଛି ଏକ ଯନ୍ତ୍ରଚାଳିତ ଖେଳନାର ଧାରା, ପ୍ରତି ଅଙ୍ଗ ଊଦ୍ଧାସୀନ, ଚେତନାର ପ୍ରେରଣାରେ ସବଳ ଓ ସଜୀବ – ସେଠାରେ ନାହିଁ ବ୍ୟଷ୍ଟିବୋଧ, ଅଛି ବିଶ୍ଵସତ୍ତା ଅର୍ଥାତ୍ ସତ୍ତା ତୋର ପରମ ଏକତ୍ଵ ଭିତରେ ସମ୍ପୂର୍ଣ୍ଣ ବୁଡ଼ି ଲୀନ ହୋଇଯାଇ ନାହିଁ । ବ୍ୟକ୍ତିଗତ ପ୍ରକାଶର ସକଳ ବିଧାନ ମୋ ନିକଟରେ ସ୍ପଷ୍ଟ ଦେଖାଦେଇଛି, କିନ୍ତୁ ଏପରି ଏକ ସମୟ, ସମଗ୍ରତା ଓ ଯୁଗପତ୍ ଭାବ ନେଇ ଯେ ଆମର ସାଧାରଣ ଭାଷାର ସାମର୍ଥ୍ୟ ନାହିଁ ତାକୁ ପ୍ରକାଶ କରିବାକୁ ।