ହେ ପ୍ରଭୁ, ତୁ ମୋର ଜୀବନ ଉପର ଦେଇ ଚାଲିଗଲୁ ପ୍ରେମର ଏକ ବିପୁଳ ତରଙ୍ଗ ପରି, ମୁଁ ଯେତେବେଳେ ତା’ ଭିତରେ କୁଆଡ଼େ ବିଲୀନ ହୋଇଗଲି ସେତେବେଳେ ଜାଣିପାରିଲି ଅଖଣ୍ଡ ଓ ନିବିଡ଼ ଭାବରେ ଯେ ମୁଁ ତୋ ପାଖରେ ନିଜକୁ ସମର୍ପଣ କରିଦେଇଛି; ଠିକ୍ କେଉଁ ଦିନ ଜାଣେନା, ହୁଏ ତ କୌଣସି ନିର୍ଦିଷ୍ଟ ମୁହୂର୍ତ୍ତରେ ନୁହେଁ, ନିଃସନ୍ଦେହ ଭାବରେ ଚିରକାଳ ଧରି ମୋର ମନ, ମୋର ହୃଦୟ, ମୋର ଶରୀର, ସବୁକିଛି ତୋ ଉଦ୍ଦେଶ୍ୟରେ ଏକ ଜୀବନ୍ତ ପୂର୍ଣ୍ଣାହୁତି ।
ଏହି ଯେଉଁ ବିପୁଳ ପ୍ରେମ ମୋତେ ଘେରି ରହିଛି, ଆତ୍ମୋତ୍ସର୍ଗର ଏହି ଯେଉଁ ଚେତନା, ତା’ ଭିତରେ ଭରିରହିଥିଲା ଏକ ବିପୁଳ ସ୍ନିଗଧ ପ୍ରଶାନ୍ତି, ବିଶ୍ଵଠାରୁ ବି ଆହୁରି ବିପୁଳ; ତା’ ଭିତରେ ଭରିରହିଥିଲା ଏକ ଅପୂର୍ବ ମାଧୁର୍ଯ୍ୟ ଯାହା ଏପରି ତୀବ୍ର ଓ ଅନନ୍ତ କରୁଣାରେ ଏପରି ପରିପୂର୍ଣ୍ଣ ଯେ ମୋର ଚକ୍ଷୁରୁ ଧୀରେ ଧୀରେ ଝରି ଆସିଲା ଏକ ଅଶ୍ରୁଧାର । ସେ ଅନୁଭୂତି ଥିଲା ଦୁଃଖ ଓ ସୁଖର ଅନେକ ଦୂରରେ; ତାହା ଥିଲା ଏକ ଅନିର୍ବଚନୀୟ ଶାନ୍ତିର ଅନୁଭୂତି ।
ହେ ମହାପ୍ରେମ, ଆମ ଜୀବନର ମର୍ମ, ସକଳ ବିସ୍ମୟର ବିସ୍ମୟ, ତୋତେ ଶେଷରେ ପୁଣି ଫେରି ପାଇଛି, ଏବଂ ପୁଣି ଥରେ ତୋ ରି ଭିତରେ ମୁଁ ଜୀବନ ବିତାଉଛି, କିନ୍ତୁ ପୂର୍ବାପେକ୍ଷା କେତେ ଅଧିକ ଶକ୍ତି ସହ, କେତେ ଅଧିକ ଚେତନା ସହ ! ବର୍ତ୍ତମାନ ତୋତେ କେତେ ଅଧିକ ଜାଣେ, କେତେ ଅଧିକ ବୁଝେ ! ଯେତେଥର ମୁଁ ତୋତେ ଫେରିପାଏ, ସେତେଥର ତୋ ସହିତ ମୋ ସଂଯୋଗ ହୋଇଉଠେ ଆହୁରି ପରିପୂର୍ଣ୍ଣ, ଆହୁରି ଅଖଣ୍ଡ, ଆହୁରି ସ୍ଥାୟୀ ।
ଅନିର୍ବଚନୀୟ ସୌନ୍ଦର୍ଯ୍ୟର ହେ ଜାଗ୍ରତ୍ ସାନ୍ନିଧ, ତୁ ପରମ ପରିତ୍ରାଣର ଚେତନା, ମୁକ୍ତିଦାତା, ମହାଶକ୍ତି ତୁ । ମୋର ସମଗ୍ର ସତ୍ତା ଉତ୍ଫୁଲ୍ଲ ହୋଇଉଠୁଛି ଓ ଜୀବନ୍ତଭାବେ ତୋତେ ଅନୁଭବ କରୁଛି ତା’ ଭିତରେ । ତା’ ଜୀବନର, ବିଶ୍ଵ – ଜୀବନର ଏକ ମାତ୍ର ମୂଳତତ୍ତ୍ଵ ହେଲୁ ତୁ; ସମସ୍ତ ଚିନ୍ତା, ସମସ୍ତ ସଂକଳ୍ପ, ସମସ୍ତ ଚେତନାର ତୁହିଁ ହେଲୁ ଅନୁପମ ନିର୍ମାତା । ଏଇ ଯେଉଁ ଭ୍ରାନ୍ତିମୟ ଜଗତ୍, ଏଇ ଯେଉଁ ଘୋର ବିଭୀଷିକା, ତ ହିଁ ରେ ତୁ ଆଣିଦେଇଛୁ ତୋର ଦିବ୍ୟସଦ୍ବସ୍ତୁ, ତେଣୁ ଜଡ଼ର ପ୍ରତିଟି କଣା ଧାରଣ କରେ ତୋର ନିତ୍ୟତାରୁ କିଛି ।
ତୁ ସନ୍ମୟ, ତୁ ପ୍ରାଣମୟ, ତୁ ଜ୍ୟୋତିର୍ମୟ, ତୋରହିଁ ରାଜତ୍ୱ ।