Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୮, ୧୯୧୫

ମୋଟ ଉପରେ ଗୋଟିଏ ସ୍ଥିର ଓ ଗଭୀର ଉଦାସୀନତାର ଅବସ୍ଥା ଆସିଛି, ଆଧାର ମଧ୍ୟରେ ବାସନା ବା ବୈରାଗ୍ୟ, ଉତ୍ସାହ ବା ଅବସାଦ, ଦୁଃଖ ବା ଆନନ୍ଦର କୌଣସି ଅନୁଭବ ନାହିଁ । ଜୀବନକୁ ସେ ଏକ ଦୃଶ୍ୟ ପରି ଦେଖୁଛି, ସେଠାରେ ତାହାର ସ୍ଥାନ ଅତି ଅକିଞ୍ଚତ୍କର । ସେ ଦେଖୁଛି କ୍ରିୟା, ପ୍ରତିକ୍ରିୟା, ଶକ୍ତିସକଳର ସଂଘର୍ଷସବୁ ଗୋଟିଏ ଦିଗରୁ ଆଧାରର ଅଙ୍ଗ ଯେଉଁ ଆଧାର କି ତା’ର ସାମୟିକ କ୍ଷୁଦ୍ର ବ୍ୟକ୍ତିତ୍ଵକୁ ଚତୁର୍ଦ୍ଦିଗରୁ ଅତିକ୍ରମ କରିଯାଇଛି, ପୁଣି ଅନ୍ୟ ଦିଗରେ ଏହି ବ୍ୟକ୍ତିତ୍ୱ ପାଖରେ ଏହି ସବୁବସ୍ତୁ ଏକେବାରେ ବିଜାତୀୟ ଓ ପୃଥକ୍ ।

କିନ୍ତୁ ସମୟ ସମୟରେ ଗୋଟାଏ ବିରାଟ ନିଶ୍ଵାସ-ବାୟୁ ପ୍ରବାହିତ ହୁଏ, ବେଦନା, ମର୍ମନ୍ତୁଦ ନିଃସଙ୍ଗତା, ଆଧ୍ୟାତ୍ମିକ ଦୈନ୍ୟର ନିଶ୍ୱାସ-ବାୟୁ ପ୍ରବାହିତ ହୁଏ ଭଗବତ୍ର ପରିତ୍ୟକ୍ତ ପୃଥିବୀର ଏହା ଯେପରି ଆକୁଳ ଆହ୍ୱାନ ।… ଏହି ବେଦନା ଯେତେ ନୀରବ ସେତିକି ମର୍ମନ୍ତୁଦ, ଦୁଃଖରେ ବିନମ୍ର, ଅବିଦ୍ରୋହୀ – ଏହାକୁ ଏଡ଼ାଇ ଦେବା ବା ତା’ମଧ୍ୟରୁ ବାହାରି ଯିବା ନିମନ୍ତେ ଏହି ବେଦନାର କୌଣସି ଇଚ୍ଛା ନାହିଁ ଏବଂ ଏଥିରେ ଭରି ରହିଛି ଗୋଟିଏ ଅସୀମ ମାଧୁର୍ଯ୍ୟ ଯାହା ମଧ୍ୟରେ ଦୁଃଖ ଓ ଆନନ୍ଦ ନିବିଡ଼ ଭାବେ ମିଳିତ ହୋଇ ରହିଛି; ଏହା ଏପରି ଗୋଟାଏ ବସ୍ତୁ ଯାହା ଅସୀମ ଭାବେ ବିଶାଳ, ମହାନ୍, ଗଭୀର, ଏତେ ମହାନ୍, ଏତେ ଗଭୀର ଯେ ମନୁଷ୍ୟର ଧାରଣା ର ବହିର୍ଭୁତ… ଏହା ଏପରି ଏକ ବସ୍ତୁ ଯାହା ଗର୍ଭରେ ରହିଛି ଭବିଷ୍ୟତର ବୀଜ ।