Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୩, ୧୯୧୨

କାଲି ରାତିରେ ମୁଁ ଅନୁଭବ କଲି – ନିର୍ଭରତା ସହ ତୋ ଚାଳନାରେ ନିଜକୁ ଛାଡ଼ିଦେଲେ ତାହା କିପରି ଫଳପ୍ରଦ ହୁଏ । ଯେତେବେଳେ ଯାହା ଜାଣିବା ଆବଶ୍ୟକହୁଏ ତା’ ଠିକ୍ ସେତେବେଳେ ଜାଣିହୁଏ, ତୋର ଜ୍ୟୋତିଃ ଆଡ଼କୁ ମନ ଯେତେ ବେଶୀ ନିଶ୍ଚଳ ହୁଏ, ସତ୍ୟର ପ୍ରକାଶ ତା’ ମଧ୍ୟରେ ହୁଏ ସେତେ ଅଧିକ ସ୍ପଷ୍ଟ ଓ ପର୍ଯ୍ୟାପ୍ତ ।

ତୁ ମୋ ଭିତରେ କଥା କହୁଥିଲୁ ମୁଁ ତାହା ଶୁଣିଛି, ଇଚ୍ଛା ହେଉଥିଲା ଯାହା କହୁଥିଲୁ, ତାହା ଲେଖି ରଖିବାକୁ, ତା’ ହେଲେ ତୋର ଯଥାଯଥ ବାକ୍ୟଟି ଟିକିଏ ବି ନଷ୍ଟ ହୋଇ ନ ଥାନ୍ତା; କାରଣ ତୁ ଯାହା କହୁଥିଲୁ ଏବେ ତାହାକୁ ଠିକ୍ ଭାବରେ ପୁନରୁକ୍ତି କରିବା ମୋ ପକ୍ଷେ ଅସମ୍ଭବ । ପରେ ମୁଁ ଭାବି ଦେଖିଲି ଯେ ଲେଖି ରଖିବାର ଏହି ଆସ୍ପୃହା ତୋ ଉପରେ ନିର୍ଭରତାର ଅଭାବ, ଏଥିରେ ତୋତେ ଅପମାନିତ କରାହୁଏ, କାରଣ ମୋତେ ଯାହା ହେବାକୁ ହେବ, ତାହା ମୋ ଦ୍ୱାରା ତୁ କରାଇ ନେଇପାରୁ; ଯେଉଁ ପରିମାଣରେ ମୋର ମତିଗତି ତୋତେ ମୋ ଉପରେ ଓ ମୋ ଭିତରେ କାର୍ଯ୍ୟ କରିବାକୁ ପଥ ଛାଡ଼ିଦିଏ, ସେହି ପରିମାଣରେ ତୁ ଅବାଧରେ ସର୍ବଶକ୍ତିମାନ୍ ହୋଇଉଠୁ । ଏହି ଜ୍ଞାନ ରହିବା ଆବଶ୍ୟକ ଯେ ପ୍ରତି ମୁହୂର୍ତ୍ତରେ ଯାହା ହେବା ଉଚିତ ତାହାହିଁ ହୁଏ, ଯଥାସମ୍ଭବ ପୂର୍ଣ୍ଣ ଓ ନିଶ୍ଚିତ ଭାବରେ, ଅବଶ୍ୟ ସେହିମାନଙ୍କ ପକ୍ଷରେ ଯେଉଁମାନେ ସକଳ ବସ୍ତୁରେ ସର୍ବତ୍ର ତୋତେ ଦେଖୁପାରନ୍ତି । ସେତେବେଳେ ଆଉ ଭୟ ନାହିଁ, ଉଦ୍‌ବେଗ ନାହିଁ, କ୍ଷୋଭ ନାହିଁ, ଅଛି କେବଳ ପରମ ପ୍ରସନ୍ନତା, ଚରମ ନିର୍ଭରତା ଓ ଅବିଚଳ ପ୍ରଶାନ୍ତି ।