Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୨୯, ୧୯୧୩

କାହିଁକି ଏଇ କୋଳାହଳ, ଏଇ ଆନ୍ଦୋଳନ, ଏଇ ବିକ୍ଷୋଭ ? କାହିଁକି ଏହି ଘୂର୍ଣ୍ଣିବାତ୍ୟା ମନୁଷ୍ୟକୁ ନେଇ ଛୁଟିଚାଲିଛି ଝଡ଼ ଭିତରେ ପଡ଼ିଯାଇଥିବା ଦଳେ ମାଛି ପରି । କି କରୁଣ ଦୃଶ୍ୟ, ଶକ୍ତିର କି ଅପବ୍ୟୟ, ଏତେ ପରିଶ୍ରମ କେବଳ ନଷ୍ଟ ! ସୂତାରେ ଟଣା ହୋଇ କଣ୍ଢେଇ ପରି ସେମାନଙ୍କର ଏଇ ଯେଉଁ ନୃତ୍ୟ ଚାଲିଛି ତା’ କେବେ ବନ୍ଦ ହେବ, କ’ଣ ବା କାହାଦ୍ଵାରା ଏଇ ସୂତା ଧରା ହୋଇଛି ସେମାନେ ତାହା ବି ଜାଣନ୍ତି ନାହିଁ । କେବେ ସମୟ କରି ସେମାନେ ଟିକେ ସ୍ଥିର ହୋଇ ବସିବେ, ନିଜ ଭିତର ଆଡ଼କୁ ଦୃଷ୍ଟି ଦେବେ ଓ ଆତ୍ମସ୍ଥ ହୋଇ ଅନ୍ତରର ଦ୍ଵାରକୁ ଖୋଲି ଧରିବେ, ଯାହାକି ଆଢୁଆଳ କରିରଖୁଛି ତୋର ଅମୂଲ୍ୟ ସଂପଦସବୁକୁ, ଅସୀମ କଲ୍ୟାଣସବୁକୁ ।

ଲୋକମାନଙ୍କର ଅଜ୍ଞାନ ଓ ଅନ୍ଧକାରର ଜୀବନ, ସେମାନଙ୍କ ନିର୍ବୋଧ ଉତ୍ତେଜନା ଓ ବ୍ୟର୍ଥ ବିକ୍ଷିପ୍ତତାର ଜୀବନ ମୋର ମନେହୁଏ କି ଦୀନହୀନ, କି ବେଦନାକ୍ଳିଷ୍ଟ । ଅଥଚ ତୋର ପରମଜ୍ୟୋତିଃର ଗୋଟିଏ ମାତ୍ର କଣା, ତୋର ଦିବ୍ୟପ୍ରେମର ଗୋଟିଏ ମାତ୍ର ବିନ୍ଦୁ ଏଇ ବେଦନାକୁ ଆନନ୍ଦର ମହାସାଗରରେ ପରିଣତ କରିପାରେ !

ଭଗବାନ୍, ମୋର ପ୍ରାର୍ଥନା ତୋ ଆଡ଼କୁ ଉଠିଚାଲିଛି, ସେମାନେ ଲାଭ କରନ୍ତୁ ତୋର ଶାନ୍ତି, ଆଉ ସେଇ ସ୍ଥିର ଅଦମ୍ୟ ଶକ୍ତି, ଯାହାର ଉତ୍ସ ହେଲା ଅଟଳ ପ୍ରସନ୍ନତା ଏ ବସ୍ତୁ ସେଇମାନଙ୍କର ରାଜଭାଗ ଯେଉଁମାନଙ୍କର ଆଖି ଖୋଲିଛି ଓ ଯେଉଁମାନେ ସେମାନଙ୍କ ସତ୍ତାର ଆଲୋକିତ ଗଭୀର ପ୍ରକୋଷ୍ଠରେ ତୋତେ ଉପଲବ୍ଧ କରନ୍ତି ।

କିନ୍ତୁ ତୋ ଆବିର୍ଭାବର ସମୟ ତ ହୋଇଛି ।

ଅବିଳମ୍ବେ ଚତୁର୍ଦ୍ଦିଗ ଧ୍ୱନିତ ହୋଇଉଠିବ ଉଲ୍ଲାସ ଓ ଜୟଗାନରେ ।

ସେଇ ଶୁଭ ମୁହୂର୍ତ୍ତର ଗୁରୁତ୍ଵ ଉଦ୍ଦେଶ୍ୟରେ ମୁଁ ଗଭୀର ପ୍ରଣାମ ଜଣାଉଛି ।