Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୮, ୧୯୧୪

ଅତି ସହଜ ଯେଉଁ ମାର୍ଗ, ଯେଉଁଠାରେ ଚେଷ୍ଟା କରିବାକୁ ହୁଏ ନାହିଁ, ତାହା ଆମ୍ଭମାନଙ୍କୁ ବର୍ଜନ କରିବାକୁ ହେବ; ସେହିସବୁ ମାର୍ଗ ଆମ୍ଭମାନଙ୍କ ମଧ୍ୟରେ ଏହି ଭୁଲଧାରଣା ଜନ୍ମାଏ ଯେ ଆମ୍ଭେମାନେ ଲକ୍ଷ୍ୟରେ ପହଞ୍ଚାଇଛୁ । ଆମ୍ଭମାନଙ୍କୁ ପରିତ୍ୟାଗ କରିବାକୁ ହେବ ସେହି ଅନବଧାନତା, ଯାହା ପତନର ଦ୍ଵାର ଖୋଲିଦିଏ; ସେହି ପ୍ରୀତିକର ଆତ୍ମଶ୍ଲାଘାକୁ ତ୍ୟାଗ କରିବାକୁ ହେବ, ଯାହା ଆମ୍ଭମାନଙ୍କୁ ଅତଳ ଗହ୍ମର ଆଡ଼କୁ ନେଇଯାଏ । ଆମ୍ଭମାନଙ୍କୁ ମନେରଖିବାକୁ ହେବ ଯେ ଯେତେ ଚେଷ୍ଟା, ଯେତେ ସଂଗ୍ରାମ, ଏପରିକି ଯେତେ ବିଜୟ ହୋଇଥାଉ ନା କାହିଁକି, ବର୍ତ୍ତମାନ ଯେତେ ପଥ ଆମ୍ଭେମାନେ ଚାଲିଆସିଛୁ ଏହା, ଆଉ ଯେତେ ପଥ ଚାଲିବାକୁ ହେବ, ତାହା ତୁଳନାରେ କିଛି ବି ନୁହେଁ ଏବଂ ଶାଶ୍ଵତଙ୍କ ସମ୍ମୁଖରେ ତାହା ଅଗଣିତ ଧୂଳିକଣା ଅଥବା ଅଭିନ୍ନରୂପ ନକ୍ଷତ୍ରରାଜି ସହିତ ସମାନ ।

କିନ୍ତୁ ତୁହିଁ ସକଳ ବିଘ୍ନବିଜୟୀ, ତୋ ଜ୍ୟୋତି ଅଜ୍ଞାନର ଅନ୍ଧକାରକୁ ଆଲୋକିତ କରେ, ତୋ ପ୍ରେମ ସକଳ ଅହଂକାରକୁ ଦମନ କରେ । ତୋ ସମ୍ମୁଖରେ କୌଣସି ପ୍ରମାଦ ସ୍ଥାୟୀ ହୋଇପାରେ ନାହିଁ ।