Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨୩, ୧୯୧୪

ହେ ଭଗବାନ୍, ମୁଁ ଚାହେଁ ନିରନ୍ତର ତୋର ଚେତନା, ଚାହେଁ ମୋ ସତ୍ତାର କ୍ଷୁଦ୍ରତମ କୋଷରେ ତୋର ପ୍ରତିଷ୍ଠା – ତୋତେ ଜାଣିବାକୁ ଚାହେଁ ଠିକ୍ ନିଜ ପରି, ସମସ୍ତ ବସ୍ତୁ ଭିତରେ ତୋର ପ୍ରକାଶ ଦେଖବାକୁ ଚାହେଁ । ତୁ ଜୀବନର ଏକ ମାତ୍ର ସଦ୍‌ବସ୍ତୁ, ଏକ ମାତ୍ର ହେତୁ, ଏକ ମାତ୍ର ଲକ୍ଷ୍ୟ । ତୋ ପ୍ରତି ମୋର ପ୍ରେମ ଯେପରି ବଦ୍ଧିତ ହୋଇଚାଲୁ, ମୁଁ ଯେପରି ହୋଇ ଉଠିପାରେ କେବଳ ପ୍ରେମ, ତୋର ପ୍ରେମ, ଏବଂ ଯେତେବେଳେ ତୋର ପ୍ରେମ ହୋଇଯାଇଛି ସେତେବେଳେ ଯେପରି ତୋ ଭିତରେ ସର୍ବାଙ୍ଗୀନ ଏକୀଭୂତ ହୋଇଯାଇପାରେ । ଏହି ପ୍ରେମ ଯେପରି କ୍ରମଶଃ ହୋଇଉଠୁ ଆହୁରି ତୀବ୍ର, ଆହୁରି ପୂର୍ଣ୍ଣ, ଆହୁରି ଜ୍ୟୋତିର୍ମୟ, ଆହୁରି ଶକ୍ତିମାନ୍ – ହୋଇଉଠୁ ଯେପରି ତୋ ଆଡ଼କୁ ଚାଲିବାର ଅଦମ୍ୟ ପ୍ରବେଗ, ତୋତେ ପ୍ରକାଶ କରିବାର ଅବ୍ୟର୍ଥ ଉପାୟ । ଏହି ସତ୍ତା ମଧ୍ୟରେ ତାହାର ଅତଳ ଗଭୀରତମ ପ୍ରଦେଶରୁ ବାହ୍ୟତମ ଉପାଦାନ ପର୍ଯ୍ୟନ୍ତ, ସବୁ ଯେପରି ହୋଇଉଠେ ଶୁଦ୍ଧ, ପ୍ରଗାଢ଼, ନିଃସ୍ୱାର୍ଥ ଦିବ୍ୟପ୍ରେମ । ଏହି ଆଧାର ମଧ୍ୟରେ ଯେଉଁ ଭଗବାନ୍ ରୂପ ଧରି ନିଜକୁ ପ୍ରକାଶ କରୁଛନ୍ତି, ସେ ଯେପରି ତୋର ପୂର୍ଣ୍ଣାଙ୍ଗ, ମହାନ୍ପ୍ରେମରେ ଗଢ଼ିଉଠନ୍ତୁ, ଯେଉଁ ପ୍ରେମ ଯୁଗପତ୍ ଜ୍ଞାନର ମୂଳ ଉତ୍ସ ଓ ସିଦ୍ଧି । ତୋ ପ୍ରେମର ପ୍ରଭାବରେ ଚିନ୍ତାରାଜି ଯେପରି ପରିଷ୍କୃତ, ସୁବିନ୍ୟସ୍ତ, ଆଲୋକିତ ଓ ରୂପାନ୍ତରିତ ହୋଇଉଠୁ । ସକଳ ପ୍ରାଣଶକ୍ତି କେବଳ ତୋରି ପ୍ରେମରେ ଯେପରି ହୋଇଯାଉ ଅନୁସୃତ ଓ ସଂଗଠିତ, ତାହା ଯେପରି ପରିଣତ ହୋଇଉଠୁ ଅଦମ୍ୟ ଶୁଚିତା, ସ୍ଥିର ଶକ୍ତି, ସାମର୍ଥ୍ୟ ଓ ସରଳତାରେ । ଏହି ଯେଉଁ ସତ୍ତା, – ଯେ ଯନ୍ତ୍ର ସ୍ଵରୂପ, କିନ୍ତୁ ଦୁର୍ବଳ – ସେ ଯେପରି ତା’ର ଦୁର୍ବଳତାର ସୁଯୋଗ ନେଇ ନିଜକୁ ଗଢ଼ି ସଂପୂର୍ଣ୍ଣ ରୂପେ ତୋର ପ୍ରେମଗଢ଼ା ଉପାଦାନରେ । ଏହି ଶରୀର ଜ୍ଵଳନ୍ତ ଅଗ୍ନିକୁଣ୍ଡ ହୋଇ ଯେପରି ତା’ର ପ୍ରତି ଲୋମକୃପ ଦେଇ ବିକୀର୍ଣ୍ଣ କରେ ତୋର ନୈବ୍ୟକ୍ତିକୁ ସମୃଦ୍ଧ ଏକାନ୍ତ ପ୍ରେମ । ମସ୍ତିଷ୍କ ବି ଯେପରି ପୁନର୍ଗଠିତ ହୋଇଉଠେ ତୋର ପ୍ରେମ ଦ୍ଵାରା । ଅବଶେଷରେ ତୋର ପ୍ରେମ, ତା’ର ନିଜସ୍ୱ ଗୁଣ ଯେଉଁ ବୀର୍ଯ୍ୟ, ଦୀପ୍ତି, ମାଧୁର୍ଯ୍ୟ ଓ ସାମର୍ଥ୍ୟ, ତାହା ଦ୍ଵାରା ଯେପରି ସମସ୍ତ ବସ୍ତୁକୁ ପୂର୍ଣ୍ଣ କରୁ, ଆସ୍ତୁତ କରୁ, ପ୍ଳାବିତ କରୁ, ଅନ୍ତରରେ ପ୍ରବେଶ କରୁ, ରୂପାନ୍ତରିତ କରୁ, ନୂତନ ଜନ୍ମ ଓ ନୂତନ ପ୍ରାଣ ଦାନ କରୁ । ତୋର ପ୍ରେମରେ ହିଁ ଶାନ୍ତି, ତୋର ପ୍ରେମରେ ଆନନ୍ଦ, ତୋର ପ୍ରେମ ଭିତରେ ହିଁ ରହିଛି ତୋ ସେବକର ପରମ କର୍ମ ପ୍ରେରଣା ।

ତୋର ପ୍ରେମ ବିଶ୍ୱବ୍ରହ୍ମାଣ୍ଡଠାରୁ ବି ବିଶାଳତର, ଯୁଗଯୁଗାନ୍ତର ଅପେକ୍ଷା ବି ଦୀର୍ଘସ୍ଥାୟୀ; ତାହା ଅନନ୍ତ, ତାହା ଶାଶ୍ୱତ, କାରଣ ସେ ସ୍ଵୟଂ ତୁ । ମୁଁ ହେବାକୁ ଚାହେଁ ତୁ, କାରଣ ତାହାହିଁ ତୋର ବିଧାନ, ତାହାହିଁ ତୋର ଇଚ୍ଛା ।