Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୧୭, ୧୯୧୪

ହେ ମହିମମୟୀ ମା ! ତୋତେ ସହ୍ୟ କରିବାକୁ ନ ପଡ଼େ ! ଯେତେଥର ତୋର ସଚେତନ ଇଚ୍ଛାଶକ୍ତି ପ୍ରକଟିତ ହେବାକୁ ଚେଷ୍ଟା କରେ ଭୁଲସବୁ ସଂଶୋଧନ କରିବାକୁ, ନିଜ ଜ୍ଞାନବିଭ୍ରାନ୍ତିରେ ପଥହରା ବ୍ୟକ୍ତିର ଅନିଶ୍ଚିତ ଗତିକୁ ତ୍ୱରାନ୍ବିତ କରିବାକୁ, ସୁନିଶ୍ଚିତପଥ ନିର୍ଦେଶ କରିବାକୁ, ସେହି ପଥରେ ଝୁଣ୍ଟି ନ ପଡ଼ି ଚାଲିବା ସକାଶେ ସାମର୍ଥ୍ୟ ଦାନ କରିବାକୁ, ପ୍ରାୟ ସେତେଥର ସେ ସର୍ବଦା ହିଁ ତୋତେ ଏକ ଛିଦ୍ରାବୈଷୀ ଅଦୂରଦର୍ଶୀ ଉପଦେଷ୍ଟା ଭାବି ଫେରାଇ ଦିଏ । ସେ ତୋତେ ତଥ୍ୟତଃ ଭଲ ପାଇବାକୁ ଚାହେଁ ଗୋଟିଏ ଅସ୍ପଷ୍ଟ ଏବଂ ଅସଂଲଗ୍ନ ପ୍ରେମ ଦ୍ଵାରା, କିନ୍ତୁ ତା’ର ଅହଂଗତ ମନ ତୋ ଉପରେ ନିର୍ଭର କରିବାକୁ ଚାହେଁ, ବରଂ ସେ ଏକାକୀ ବିପଥରେ ଘୂରିବୁଲିବ କିନ୍ତୁ ତାର ସାହାଯ୍ୟ ନେଇଆଗେଇ ଯିବାକୁ ଚାହେଁ ନାହିଁ ।

ତୁ କିନ୍ତୁ ସଦାସର୍ବଦା ସହାସ୍ୟ ଓ ସ୍ତ୍ରୀୟ ଅପରିସୀମ କରୁଣା ନେଇ ଉତ୍ତରଦେଉ : “ଏହି ଯେଉଁ ବୁଦ୍ଧିବୃତି ମନୁଷ୍ୟକୁ ଗର୍ବାନ୍ବିତ କରେ ଏବଂ ଭୁଲଭ୍ରାନ୍ତିରେ ପକାଏ, ସେହି ବୃତ୍ତି ଯଦି ଥରେ ବିଶୁଦ୍ଧ ଓ ପ୍ରଦୀପ୍ତ ହୁଏ ତା’ ହେଲେ ତାହା ମନୁଷ୍ୟକୁ ଅନେକଦୂର ଏପରିକି ବିଶ୍ୱପ୍ରକୃତିର ଆହୁରି ଊର୍ଦ୍ଧ୍ୱକୁ ଆଗେଇ ନେଇ ଯାଇପାରେ ଓ ନିଖୁଳ ବିଶ୍ଵର ଅଧୀଶ୍ୱର, ସକଳ ବିଶ୍ଵକୁ ଅତିକ୍ରମ କରି ରହିଛନ୍ତି ଯେଉଁ ଭଗବାନ୍ ତାଙ୍କ ସଙ୍ଗେ ସଚେତନ ଓ ସାକ୍ଷାତ୍ ସମ୍ପର୍କ ସ୍ଥାପନ କରାଇପାରେ । ଏହି ଯେଉଁ ବିଭାଜନୀ ବୁଦ୍ଧି ମନୁଷ୍ୟକୁ ମୋଠାରୁ ପୃଥକ୍ କରି ଧରେ ତାହା ପୁଣି ମନୁଷ୍ୟକୁ ଶିଖରରୁ ଶିଖର ଆରୋହଣ କରିବାକୁ ସହାୟତା କରେ, ବିଶ୍ଵର ସମଗ୍ର ଭାର ତା’ ଗତିରେ ଆଉ ବିଘ୍ନ ଓ ବିଳମ୍ବ ଘଟାଇ ପାରେ ନାହିଁ ।ଏହି ବିଶ୍ୱ ଏତେ ବିଶାଳ ଏବଂ ଜଟିଳ ଯେ ତା’ ପକ୍ଷରେ ଏତେ ସହଜରେ ଏ କ୍ଷିପ୍ର ଆରୋହଣ ସମ୍ଭବ ନୁହେଁ ।”

ହେ ଦିବ୍ୟଜନନୀ ! ସର୍ବଦା ତୋ ବାଣୀ ସାନ୍ତ୍ୱନା ଓ ଆଶିଷ, ଶାନ୍ତି ଓ ଜ୍ୟୋତି ଆଣିଦିଏ, ଏବଂ ତୋର ଉଦାର ହସ୍ତ ସେହି ପର୍ଦାର କିୟଦଂଶ ଉନ୍ମକ୍ତ କରେ ଯାହା ଲୁଚାଇ ରଖୁଛି ଅନନ୍ତ ଜ୍ଞାନ ।

ତୋର ପରିପୂର୍ଣ୍ଣ ଧ୍ୟାନର ଜୋତି କି ପ୍ରଶାନ୍ତ, କି ମହିମମୟ, କି ପରିଶୁଦ୍ଧ !