Divine Light Online

ଧ୍ୟାନ ଓ ପ୍ରାର୍ଥନା

ଏପ୍ରିଲ୍ ୧୭, ୧୯୧୪

ହେ ସର୍ବଶକ୍ତିମାନ୍ ଅଧୀଶ୍ୱର, ଏକ ମାତ୍ର ସବସ୍ତୁ, ଏହାହିଁ କର ଯେପରି ମୋ ହୃଦୟ ମଧ୍ୟରେ କୌଣସି ଭୁଲ୍, କୌଣସି ଆବରଣ, କୌଣସି ମାରାତ୍ମକ ଅଜ୍ଞାନତା ଲୁଚି ପ୍ରବେଶ ନ କରେ ।…

କର୍ମ ମଧ୍ୟରେ ବ୍ୟକ୍ତିତ୍ୱ ହିଁ ହେଲା ତୋର ଇଚ୍ଛା ଓ ତୋ ଶକ୍ତିରାଜିର ଅପରିହାର୍ଯ୍ୟ ଓ ଅବଶ୍ୟମ୍ଭାବୀ ମାଧ୍ୟମ ।

ବ୍ୟକ୍ତିତ୍ଵ ଯେତେ ସମର୍ଥ, ଯେତେ ବହୁମୁଖୀ, ଯେତେ ଶକ୍ତିମାନ୍, ଯେତେ ବ୍ୟଷ୍ଟିତ୍ୱମୟ ଓ ଯେତେ ସଚେତନ ହେବ, ଯନ୍ତ୍ରର ସେବା ସେତେ ସତେଜ ଓ ସଫଳ ହୋଇଉଠିବ । କିନ୍ତୁ ବ୍ୟକ୍ତିତ୍ୱର ଧର୍ମ ହିଁ ବ୍ୟକ୍ତିତ୍ଵକୁ ଗୋଟିଏ ଭୟଙ୍କର ଭ୍ରମ ଆଡ଼କୁ ଟାଣି ନେଇଯାଏ ଯେ ତାହାର ଗୋଟିଏ ସ୍ୱତନ୍ତ୍ର ସତ୍ତା ଅଛି, ଫଳତଃ ଧୀରେ ଧୀରେ ତାହା ଗୋଟିଏ ଆବରଣରୂପେ ଦଣ୍ଡାୟମାନ ହୁଏ ତୋର ଏବଂ ତୁ ଯାହା ଉପରେ କାର୍ଯ୍ୟ କରିବାକୁ ଚାହୁଁ ତା’ ମଧ୍ୟରେ । ଆରମ୍ଭରୁ ଆବରଣ ହୁଏ ନାହିଁ, ଅଭିବ୍ୟକ୍ତି ର ସମୟରେ ନୁହେଁ, କିନ୍ତୁ ଫେରିବା ପଥରେ; ଅର୍ଥାତ୍ ତୋର ଏକ ନିଷ୍ଠ ସେବକ ନ ହୋଇ, ଯନ୍ତ୍ର ନ ହୋଇ, ତୋର ପ୍ରାପ୍ୟାକୁ ଯଥାଯଥ ଭାବରେ ତୋତେ ଫେରାଇ ନ ଦେଇ ଅର୍ଥାତ୍ ତୋର କର୍ମାନୁସାରେ ଶକ୍ତିର ସ୍ଫୁରଣ ହେବାକୁ ନ ଦେଇ ବ୍ୟକ୍ତିତ୍ୱର ପ୍ରବୃତ୍ତି ହେଲା ଏହି ଶକ୍ତିର କିଛି ଅଂଶକୁ ନିଜ ସକାଶେ ରଦେବା, ଏହି ଧାରଣା ସହ ଯେ, ମୁଁ ଏହି କାର୍ଯ୍ୟ କରୁଛି, ସେହି କାର୍ଯ୍ୟ କରୁଛି, ” ମୁଁ” ହିଁ ପ୍ରଶଂସାର ପାତ୍ର । ହେ ଦୁଷ୍କର୍ମୀ ମାୟା, ହେ ତାମସୀ ମିଥ୍ୟା, ଆଜି ତୁମେ ସବୁ ଧରାପଡ଼ିଛି, ତୁମମାନଙ୍କର ମୁଖା ଖସିପଡ଼ିଛି । ଏହାହିଁ ସେହି କରାଳ କୀଟ ଯେ କର୍ମର ଫଳ ଖାଇଯାଏ, ତା’ର ସମସ୍ତ ପରିଣାମ ବ୍ୟର୍ଥ କରେ ।
ହେ ଭଗବାନ୍, ପ୍ରେମମୟ ପ୍ରଭୁ, ଅଦ୍ୱିତୀୟ ସବସ୍ତୁ, ‘ମୁଁ’ ଏହି ବୋଧକୁ ଦୂର କର । ବର୍ତ୍ତମାନ ବୁଝିପାରୁଛି ଯେତେଦିନ ପର୍ଯ୍ୟନ୍ତ ଏହି ଅଭିବ୍ୟକ୍ତ ବିଶ୍ଵ ରହିବ ସେତେଦିନ ପର୍ଯ୍ୟନ୍ତ ତୋର ଅଭିବ୍ୟକ୍ତି ସକାଶେ ଏହି ‘ମୁଁ’’ର ପ୍ରୟୋଜନ ହେବ; ଏହି ‘ମୁଁ’’କୁ ଲୋପ କରିଦେବା, ତାହାକୁ ଖର୍ବ ବା ଦୁର୍ବଳ କରିଦେବାର ଅର୍ଥ ଅଭିବ୍ୟକ୍ତିର ଯନ୍ତ୍ରରୁ ଅଂଶତଃ ବା ସମଗ୍ରତଃ ତୋତେ ବଞ୍ଚିତ କରିବା । କିନ୍ତୁ ଯେଉଁ ବସ୍ତୁକୁ ସଂପୂର୍ଣ୍ଣ ରୂପେ ଓ ନିଃଶେଷରେ ନିର୍ମୂଳ କରିବାକୁ ହେବ ତାହା ହେଲା ଏହି ମାୟାମୟ ଅନୁଭବ, ଏହି ମାୟାମୟ ବୋଧ ଯେ ‘ମୁଁ’ଏକ ପୃଥକ୍ ବସ୍ତୁ । କୌଣସି ମୁହୂର୍ତ୍ତରେ, କୌଣସି ଘଟଣାରେଏକଥା ଭୁଲିଲେ ଚଳିବ ନାହିଁ ଯେ ତୋ ବାହାରେ ଏହି ‘ମୁଁ’ର କୌଣସି ସତ୍ୟ ନାହିଁ ।

ହେ ମଧୁମୟ ରାଜରାଜ, ଦିବ୍ୟପ୍ରଭୁ, ମୋ ହୃଦୟରୁ ଏହି ମାୟାକୁ ଉତ୍ପାଟନ କରିଦେ ଯେଉଁଥିରେ ତୋର ସେବକ ଶୁଦ୍ଧ ଓ ଏକ ନିଷ୍ଠ ହୋଇ ତା ପାଖରେ ତୋର ସମସ୍ତ ପ୍ରାପ୍ୟକୁ ସଂପୂର୍ଣ୍ଣ ଫେରାଇ ଦେଇପାରେ । ଏହାହିଁ କର, ମୁଁ ନୀରବରେ ଯେପରି ଏହି ପରମ ଅଜ୍ଞାନକୁ ବୁଝିପାରେ ଏବଂ ଚିରକାଳ ସକାଶେ ଏହାକୁ ଦୂର କରିପାରେ । ମୋ ହୃଦୟରୁ ଏହି ଅଜ୍ଞାନର ଛାୟାକୁ ଅପସାରିତ କରି ଏବଂ ତାହା ସ୍ଥାନରେ ତୋ’ର ଆଲୋକ ଏକଚ୍ଛତ୍ର ଅଧୀଶ୍ୱର ରୂପେ ରାଜତ୍ଵ କରୁ ।