Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୧୪, ୧୯୧୪

ମୁଁ ବୋଲି ଆଉ କିଛି ନାହିଁ, ନାହିଁ ବ୍ୟକ୍ତିତ୍ଵ, ନାହିଁ ବ୍ୟକ୍ତିଗତ ସୀମାବନ୍ଧନ । ଅଛନ୍ତି କେବଳ ଆମ୍ଭମାନଙ୍କ ଜଗଜନନୀ, ଏହି ବିରାଟ ବିଶ୍ୱବ୍ରହ୍ମାଣ୍ଡ, ଏହା ଶୁଦ୍ଧିର ଜ୍ଵଳନ୍ତ ଅଗ୍ନିରେ ତୋ ଉଦ୍ଦେଶ୍ୟରେ ଅର୍ଘ୍ୟଦାନ ପାଇଁ ଜଳୁଛି । ହେ ଭଗବାନ୍, ହେ ଦିବ୍ୟ ଅଧୁଜ, ହେ ପରମ ସଂକଳ୍ପ, ଏହି ସଂକଳ୍ପ ସିଦ୍ଧି ଲାଭ କରିବାରେ ଯେପରି କୌଣସି ବାଧା ନଆସେ ।

ହେ ଭଗବାନ୍ ! ତୋ ଆଡ଼କୁ ଉଠିଯାଉଛି ତୀବ୍ର ପ୍ରେମର ମହୋଲ୍ଲାସମୟ ଏକ ବିପୁଳ ସଙ୍ଗୀତ, ଏବଂ ସମଗ୍ର ପୃଥିବୀ ଏକ ଅନିର୍ବଚନୀୟ ଆନନ୍ଦ ମଧ୍ୟରେ ତୋସହ ଏକ ହୋଇଯାଉଛି ।

ତୋର ପ୍ରବଳ ନିଃଶ୍ଵାସ ଅଗ୍ନିକୁଣ୍ଡକୁ ପ୍ରଜ୍ଜଳିତ କରୁ ଯେପରି ତାହା ହୋଇ ଉଠିବା ଅଧିକରୁ ଅଧିକତର ବିଶାଳ ଓ ଦୁର୍ଦ୍ଧମନୀୟ; ସକଳ ତିମିର, ସକଳ ଅନ୍ଧ ବାଧାକୁ ତାହା ଯେପରି ଆତ୍ମସାତ୍ କରେ, ଦହନ କରେ, ତୋର ଶୁଦ୍ଧିଦାତ୍ରୀ ଅପରୂପ ଶିଖାର ଜ୍ୟୋତିରେ ରୂପାନ୍ତରିତ କରେ ।

ହେ ପ୍ରଭୁ ! ତୋର ପାବକଶକ୍ତିର କି ଶାନ୍ତିଦାୟୀ ଔଚ୍ଛଲ୍ୟ !