Divine Light Online

ଧ୍ୟାନ ଓ ପ୍ରାର୍ଥନା

ଏପ୍ରିଲ୍ ୨୮, ୧୯୧୪

ତୁହିଁ ଜଗତର ଅଧୀଶ୍ୱର, ଆମ୍ଭମାନଙ୍କ ସମ୍ମୁଖରେ ତୋର ବିଧାନ ହିଁ ସ୍ପଷ୍ଟରୂପେ ଫୁଟିଉଠୁଛି । ମୁଁ ଭାବିଲି, ନା, ବରଂ ତୁ ମୋତେ ବୁଝାଇ ଦେଇଥି, – ପ୍ୟାରିସ୍ଛାଡ଼ିବା ପୂର୍ବରୁ – ଯାହା ଘଟିଛି ତାହାଠାରୁ ଅଧିକ ଭଲ କିଛି ଘଟି ନ ପାରେ, କାରଣ, ଯାହା ଘଟିଛି ତାହା ଦ୍ଵାରା ହିଁ ତୋ କାର୍ଯ୍ୟ ଜଗତରେ ସବୁଠାରୁ ଉତ୍ତମରୂପେ ସାଧିତ ହେବ ।

ନିବିଡ଼ ଆନନ୍ଦ ମଧ୍ୟରେ ତୋ ଶକ୍ତି ସଙ୍ଗରେ ମୋର ସଂଯୋଗ ହୋଇଛି, ସେହି ଶକ୍ତି ଅନ୍ଧକାର ଓ ପ୍ରମାଦକୁ ବଶୀଭୂତ କରେ ଏବଂ କପଟଶକ୍ତି ଓ ତାହାର ଆପାତ ସଫଳତାର କମରାଶି ଉପରେ ଏହା ଏକ ଐଶ୍ୱର୍ଯ୍ୟମୟ ଓ ଚିରନ୍ତନ ଉଷା ତୁଲ୍ୟ ରଶ୍ମିସଂପାତ କରେ । ସବୁ କିଛି ହିଁ ବର୍ତ୍ତମାନ ଆଲୋକ ସମ୍ମୁଖରେ ଅଣା ହୋଇଛି, ଆନ୍ତରିକତାର ପୂର୍ଣ୍ଣ ଜ୍ୟୋତି ଆଡ଼କୁ ଆମ୍ଭେମାନେ ଏକ ପାଦ ଅଗ୍ରସର ହୋଇଛୁ ଏବଂ ଏହି ପୂର୍ଣ୍ଣ ଜ୍ୟୋତଃ ହିଁ ପୃଥିବୀ ଉପରେ ତୋ ରାଜତ୍ଵର ପ୍ରଥମ ସୋପାନ ହେବ ।

ହେ ଭଗବାନ୍, ଅଚିନ୍ତନୀୟ ଜୋତି, ସକଳ ଅଜ୍ଞାନ ତୁ ଜୟ କର, ଜୟ କର ସକଳ ଅହଂକାର, ଆମ୍ଭମାନଙ୍କର ହୃଦୟ ଆଲୋକିତ କର, ମନ ଜ୍ୟୋତିର୍ମୟ କର; ତୁହିଁ ଜ୍ଞାନ, ତୁହିଁ ପ୍ରେମ, ତୁହିଁ ପରମ ସତ୍ତା । ଏହାହିଁ କର ମୁଁ ଯେପରି ସର୍ବଦା ତୋର ଏକତ୍ର ଚେତନାରେ ବାସ କରେ, ତୋର ଇଚ୍ଛାନୁସାରେ ଯେପରି ନିରନ୍ତର ଚାଲେ ।

ଶ୍ରଦ୍ଧାପୂର୍ଣ୍ଣ ନୀରବ ଭକ୍ତିଭରେ ତୋତେ ପ୍ରଣାମ କରୁଛି ବିଶ୍ୱର ଏକଚ୍ଛତ୍ର ଅଧୀଶ୍ୱରରୁପେ ।