ହେ ଭଗବାନ୍, ଜଗତର ଅଧୀଶ୍ୱର, ତୋତେ ମୁଁ ପ୍ରଣାମ କରୁଛି । କର୍ମ ପ୍ରତି ଆସକ୍ତ ନ ହୋଇ କର୍ମ କରିବାକୁ ଆମ୍ଭମାନଙ୍କୁ ଶକ୍ତି ପ୍ରଦାନ କର, ବ୍ୟକ୍ତିତ୍ଵର ମୋହରେ ବାସ ନ କରି, ବ୍ୟକ୍ତିଗତ ଅଭିବ୍ୟକ୍ତିର ସାମର୍ଥ୍ୟସବୁର ବିକାଶ ସକାଶେ ଶକ୍ତି ପ୍ରଦାନକର । ଆମ୍ଭମାନଙ୍କର ସତ୍ୟଦୃଷ୍ଟିକୁ ସୁଦୃଢ଼ କର, ଏକତ୍ଵର ଉପଲବ୍ଧିକୁ ସ୍ଥିର କର, ସକଳ ଅନ୍ଧକାର ଓ ସକଳ ଅଜ୍ଞାନରୁ ଆମକୁ ମୁକ୍ତ କର ।
ଆମ୍ଭେମାନେ ଯନ୍ତ୍ରର ପୂର୍ଣ୍ଣତା ଦାବି କରୁ ନାହୁଁ, କାରଣ ଆମ୍ଭେମାନେ ଜାଣୁ ଯେଏହି ବସ୍ତୁ -ଆପେକ୍ଷିକ ଜଗତରେ ସମସ୍ତ ପୂର୍ଣ୍ଣତା ହିଁ ଆପେକ୍ଷିକ । ଏହି ଯନ୍ତ୍ରକୁ ପୃଥିବୀରେ କାର୍ଯ୍ୟ କରିବାକୁ ହେବ, ଏବଂ ତାହା କରିବାକୁ ହେଲେ ଏହାକୁ ପୃଥିବୀର ଜଣେ ବ୍ୟକ୍ତି ହେବାକୁ ହେବ । କିନ୍ତୁ ଏହାକୁ ଯେଉଁ ଚେତନା ଅନୁପ୍ରାଣିତ କରୁଛି ତାହା ତୋ ଚେତନାସଙ୍ଗେ ଏକତ୍ଵପ୍ରାପ୍ତ ହେବା ପ୍ରୟୋଜନ, ଏହାହିଁ ସେହି ସର୍ବବ୍ୟାପୀ ଶାଶ୍ୱତ ଚେତନାହେବା ଆବଶ୍ୟକ ଯାହା ନାନା ପ୍ରକାରର ଅସଂଖ୍ୟ ଶରୀରକୁ ସଞ୍ଜୀବିତ କରୁଛି ।
ହେ ଭଗବାନ୍, ଏହାହିଁ କର ଯେପରି ଆମ୍ଭେମାନେ ସାଧାରଣ ଅଭିବ୍ୟକ୍ତ ରୂପରଊର୍ଦ୍ଧ୍ୱରେ ଉଠିଯାଉ, ଯଦ୍ଦ୍ୱାରା ତୁ ତୋର ନୂତନ ପ୍ରକାଶ ସକାଶେ ଉପଯୁକ୍ତ ଯନ୍ତ୍ର ପାଇପାରିବୁ ।
ଏହାହିଁ କର ଯେପରି ଆମ୍ଭେମାନେ ଲକ୍ଷ୍ୟ ଭୁଲି ନ ଯାଉ; ତୋ ଶକ୍ତି ସହିତ ଯେପରି ସର୍ବଦା ସଂଯୁକ୍ତ ରହୁ – ଏହି ଶକ୍ତି ସମ୍ବନ୍ଧରେ ପୃଥିବୀ ଏବେ ବି କିଛି ଜାଣେନାହିଁ ଏବଂ ଏହି ଶକ୍ତିକୁ ପୃଥିବୀରେ ପ୍ରକାଶ କରିବାର ବ୍ରତ ତୁ ଆମ୍ଭମାନଙ୍କୁ ଦେଇଛୁ ।
ଗୋଟିଏ ଗଭୀର ଅନ୍ତର୍ମୁଖୀ ଏକାଗ୍ରତାରେ ସତ୍ତାର ସକଳ ପ୍ରକାର ଅଭିବ୍ୟକ୍ତିର ଉପାୟ ତୋର ପ୍ରକାଶ ସକାଶେ ନିଜକୁ ସମର୍ପଣ କରୁଛି ।