ତୁ ରହିଛୁ, ସନାତନ ଓ ଅକ୍ଷୟ; ତୁ ପୁଣି ଏହି ଜଗତ୍ ମଧ୍ୟରେ ହୋଇ ଉଠିଛୁ, – ସେଠାରେ ଏକ ଅଭିନବ ଜ୍ୟୋତି, ପ୍ରେରଣା ନେଇ ଆସିବା ନିମନ୍ତେ । ତୁ ରହିଛୁ;ପୂର୍ଣ୍ଣତରଭାବେ, ସୁଚାରୁଭାବେ ନିଜକୁ ପ୍ରକାଶ କରି ଚାଲ। ଯନ୍ତ୍ରଟି ନିଜକୁ ଦେଇ ଦେଇଛି, ଉଦ୍ଦୀପ୍ତ ନିଷ୍ଠା ନେଇ ଅଖଣ୍ଡ ସମର୍ପଣଭାବ ସହିତ ଦେଇଚାଲିଛି । ତୁ ତାକୁ ଧୂଳିକଣାରେପରିଣତ କରିପାରୁ ଅଥବା ତାକୁ ପୂର୍ଣ୍ଣ ସୂର୍ଯ୍ୟମଣ୍ଡଳରେ ରୂପାନ୍ତରିତ କରିପାରୁ, ତୋ ଇଚ୍ଛାରେ ସେ କୌଣସି ବାଧା ଦେବ ନାହିଁ, ଏହି ଆନୁଗତ୍ୟରେ ହିଁ ତ ତା’ର ପ୍ରକୃତ ଶକ୍ତି ଓ ତୃପ୍ତି ।
କିନ୍ତୁ ଦେହର ଯେଉଁ ପ୍ରାଣିଧର୍ମ ତା’ ପ୍ରତି ତୋର ଏକ କୋମଳ ବ୍ୟବହାର କାହିଁକି ? ତୁ କ’ଣ ଚାହୁଁ ଯେ ତୋ ଶକ୍ତଲୀଳାର ଯେଉଁ ଅପରୂପ ଜଟିଳତା, ଯେଉଁ ଅନନ୍ତ ବୈଚିତ୍ର୍ୟ ତା’ ସହ ଅଭ୍ୟସ୍ତ ହେବା ପାଇଁ ସେ ଯେପରି ଯଥେଷ୍ଟ ସମୟ ପାଏ ? ତୋ ଇଚ୍ଛାଶକ୍ତି କ’ଣ ଚାହେଁ ନିଜେ ନିଜେ ପ୍ରସନ୍ନ ପ୍ରଶାନ୍ତ ହୋଇ ଦେଖା ଦେବାକୁ, ହଠାତ୍ତ୍ ଜୋର୍ କରି କିଛି କରିବାକୁ ଚାହେଁ ନା, ସେ ଚାହେଁ ଉପାଦାନସବୁ ଯେପରି ନିଜକୁ ମିଳାଇ ଧରିବାର ଅବକାଶ ପାଆନ୍ତି… ମୋର ଜିଜ୍ଞାସା, ଏହି ପ୍ରକାର କରିବା କ’ଣ ସବୁଠାରୁ ଭଲ ନା ଅନ୍ୟ ପ୍ରକାର ହେବା ଅସମ୍ଭବ ? ତୁ କ୍ଷେତ୍ରବିଶେଷର ଅଭାବକୁ କୃପାକରି ସହ୍ୟ କରି ଚାଲିଛୁ ନା ଏଇଟି ହେଲା ଗୋଟିଏ ସର୍ବସାଧାରଣ ନିୟମ, ଯାହାକିଛି ରୂପାନ୍ତର କରିବାକୁ ହେବ, ସେ ସମସ୍ତଙ୍କ ପକ୍ଷେ ପ୍ରଯୋଜ୍ୟ ?
ଏ ସମ୍ବନ୍ଧରେ ଆମେ କ’ଣ ଭାବୁ, ସେଥିରେ କ’ଣ ଯାଏ ଆସେ ? ଘଟଣାଟି ଯଦି ଏପରି, ସେତେବେଳେ ପ୍ରଧ୍ୟାନ କଥା ହେଲା ଭିତରର ମନୋଭାବ –ଯୁଦ୍ଧ କରିବାକୁ ହେବ ନା ତାକୁ ମାନିନେବାକୁ ହେବ ? ଆଉ ସେ ମନୋଭାବ ତୁ କହିଦେଉ, ତା’ ସହ ତୋ ଇଚ୍ଛା ପ୍ରତି ମୁହୂର୍ତ୍ତରେ ନିର୍ଦେଶ କରେ । ଭବିଷ୍ୟତ୍ ଜାଣିବା, ଆଗରୁ ଗତିବୁଦ୍ଧି ଠିକ୍କରି ରଖିବା କ’ଣ ଦରକାର ? କ’ଣ ଘଟୁଛି ତା’ ଦେବା ଏବଂ ସଂପୂର୍ଣ୍ଣଭାବେ ମାନିନେବାତ ଯଥେଷ୍ଟ।
ଦେଖୁଛି ସ୍ଥୂଳ ଦେହ କୋଷର ଗଢ଼ଣ ମଧ୍ୟରେ କାର୍ଯ୍ୟ ଚାଲିଛି, ସେମାନେ ସବୁ ବିପୁଳ ଶକ୍ତି ସହ ଓ ଓତପ୍ରୋତ ହୋଇ ଉଠିଛନ୍ତି, ମନେହୁଏ ଯେପରି ଫୁଲିଉଠିଛନ୍ତି, ଲଘୁ ହୋଇ ଚାଲିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମସ୍ତିଷ୍କ ଭାରଗ୍ରସ୍ତ, ସୁଷୁପ୍ତ… । ହେ ଭଗବାନ୍, ମୁଁ ଏହି ଶରୀର ସହ ସଂଯୁକ୍ତ ହୋଇ ଉଚ୍ଚ କଣ୍ଠରେ ତୋତେ ଚାହିଁ କହେ, ମୋତେ ଆଉ ଦୟା କର ନା, ତୋର ସର୍ବଶକ୍ତି ନେଇ ପୂର୍ଣ୍ଣଭାବେ କାର୍ଯ୍ୟ କର । ତୁ ଯେ ମୋ ଭିତରେ ଅଖଣ୍ଡ ରୂପାନ୍ତରର ଆକାଂକ୍ଷା ସ୍ଥାପନ କରିଛୁ ।