Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୬, ୧୯୧୪

ମୋ ଜୀବନର ଏକ ମାତ୍ର ଲକ୍ଷ୍ୟ, ମୋ ଅଭୀପ୍‌ସାର ମୂଳ ବସ୍ତୁ, ମୋଚିନ୍ତାର କେନ୍ଦ୍ର, ମୋ ସମନ୍ୱୟର ଚାବି । ତୁହିଁ ସକଳ ଅନୁଭବ, ସକଳ ଆବେଗ, ସକଳ ଚିନ୍ତାର ଊର୍ଦ୍ଧ୍ୱରେ, ଆଉ ତୁହିଁ ଜୀବନ୍ତ କିନ୍ତୁ ଅନିର୍ବଚନୀୟ ଅନୁଭୂତି, ସେହି ସଦ୍‌ବସ୍ତୁ ଯାହାଙ୍କୁ ସତ୍ତାର ଗଭୀରରେ ଉପଲବ୍ଧ କରାଯାଏ କିନ୍ତୁ ତୁଚ୍ଛ ବାକ୍ୟର ମାଧ୍ୟମରେ ଯାହାଙ୍କୁ ବ୍ୟକ୍ତ କରାଯାଇପାରେ ନାହିଁ । ଆଉ ମନୁଷ୍ୟର ବୁଦ୍ଧି ତୋତେ କୌଣସି ସୂତ୍ରରେ ଆବଦ୍ଧ କରିବାକୁ ଅକ୍ଷମ ବୋଲି ବହୁ ଲୋକ ତାଚ୍ଛଲ୍ୟଭାବେ ତୋ ଉପଲବ୍ଧିର ସମ୍ଭାବନାକୁ “ଭାବାବେଗ” ନାମରେ ଉଡ଼ାଇଦିଅନ୍ତି; କିନ୍ତୁ ତାହା ଭାବାବେଗ ଠାରୁ ଯେତିକି ଦୂର, ମସ୍ତିଷ୍କଗତ ଚିନ୍ତାଠାରୁ ସେତିକି ଦୂର । ଯେତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ ଏହି ପରମ ଜ୍ଞାନକୁ ଲାଭ କରି ନାହୁଁ, ସେତେଦିନ ପର୍ଯ୍ୟନ୍ତ କୌଣସି ସୁଦୃଢ଼ ଭିତ୍ତି ନାହିଁ, ମନୋଗତ ଓ ଭାବଗତ ସମନ୍ୱୟର ସ୍ଥାୟୀ କେନ୍ଦ୍ର ଗଢ଼ାଯାଇ ନାହିଁ, ଏବଂ ଏହାଛଡ଼ା ଅନ୍ୟ ସମସ୍ତ ବୁଦ୍ଧିଗତ ରଚନା କୃତ୍ରିମ, ଯଥେଚ୍ଛାଚାରୀ ଓ ନିରର୍ଥକ ।

ଯେତେଦୂର ଅମ୍ଭେମାନେ ତୋତେ ଉପଲବ୍ଧ କରିପାରୁ, ତୁହିଁ ଶାଶ୍ଵତ ନୀରବତା, ପୂର୍ଣ୍ଣ ଶାନ୍ତି ।

ଯେଉଁ ପୂର୍ଣ୍ଣତା ଆମ୍ଭମାନଙ୍କୁ ଅର୍ଜନ କରିବାକୁ ହେବ, ଯେଉଁସବୁ ମହେଶ୍ଵର୍ଯ୍ୟ ଆମ୍ଭମାନଙ୍କୁ ଲାଭ କରିବାକୁ ହେବ, ଯେଉଁସବୁ ଅଖଣ୍ଡ ମହିମା ବ୍ୟକ୍ତ କରିବାକୁ ହେବ, ସେସବୁ ହିଁ ତୁ ।

ତୋ ସମ୍ବେନ୍ଧ ଆମ୍ଭେମାନେ ଯେତେବେଳେ କିଛି କହିବାକୁ ଦୁଃସାହସ କରୁ, ସେତେବେଳେ ସେହିସବୁ ଶବ୍ଦ ଶିଶୁର କାକଳି ତୁଲ୍ୟ ବୋଧହୁଏ ।

ନୀରବତା ମଧ୍ୟରେହିଁ ଚରମ ସମ୍ମାନ ।