ହେ ଭଗବାନ୍, ମୂର୍ତ୍ତ ପ୍ରେମ, ମୂର୍ତ୍ତ ଶୁଦ୍ଧତା ! ଏହି ଯନ୍ତ୍ରଟି ତୋର ଯଥାଯୋଗ୍ୟ ସେବା କରିବାକୁ ଚାହେଁ । ସେ ଯେପରି ତା’ର କ୍ଷୁଦ୍ରତମ ପଦକ୍ଷେପରେ, ତୁଚ୍ଛତମ କ୍ରିୟାକର୍ମରେ ବି ସକଳ ଅହଂକାରରୁ, ସକଳ ପ୍ରମାଦରୁ, ସକଳ ଅଜ୍ଞାନରୁ ମୁକ୍ତ ରହେ, ତା’ ମଧ୍ୟରେ ଯେମିତି ଏପରିକିଛି ନ ରହେ ଯାହା ତୋର କର୍ମକୁ ଦୂଷିତ, ବିକୃତ ବା ବ୍ୟାହତ କରିପାରେ । ତୋ ଜ୍ୟୋତିର ପୂର୍ଣ୍ଣ ପ୍ରକାଶଠାରୁ ଦୂରରେ କେତେ କ୍ଷୁଦ୍ର କୋଣସବୁ ଛାୟା ମଧ୍ୟରେ ପଡ଼ିଛନ୍ତି, ସେମାନଙ୍କ ପାଇଁ ମୁଁ ଜ୍ୟୋତିର ସେହି ପରମାନନ୍ଦ ଭିକ୍ଷା କରୁଛି ।
ମୁଁ ଯେପରି ହୁଏ ଖଣ୍ଡ ନିଷ୍କଳଙ୍କ ବିଶୁଦ୍ଧ ସ୍ତଟିକ, ତା’ ଭିତର ଦେଇ ତୋର ଦିବ୍ୟ- ଆଲୋକ ଯେପରି ବିକୃତ, ବିରୂପ ଓ ରଞ୍ଜିତ ନ ହୋଇ ଆସି ପାରେ । ମୁଁ ଏହା ଚାହେଁ, ମୋ ନିଜର ସିଦ୍ଧି କାମନାରେ ନୁହେଁ, କିନ୍ତୁ ଯେଉଁଥିରେ ତୋ କର୍ମ ଯଥାସମ୍ଭବ ପୂର୍ଣ୍ଣ ଭାବରେ ସମ୍ପନ୍ନ ହେବ ସେଇଥିପାଇଁ ।
ମୁଁ ଯେତେବେଳେ ତୋଠାରୁ ଏ ଜିନିଷ ଚାହେଁ, ସେତେବେଳେ ଯେଉଁ ‘ମୁଁ’ ତୋ ସଙ୍ଗେ କଥା କହେ ତାହା ହେଲା ସମଗ୍ର ପୃଥିବୀର । ତା’ର ଆସ୍ପୃହା ସେ ହେବ ଏପରି ବିଶୁଦ୍ଧ ହୀରକଖଣ୍ଡ ଯେଉଁଥିରେ ତୋର ପରାଜ୍ୟୋତି ନିଦୋଷ ଭାବରେ ପ୍ରତିଫଳିତ ହେବ । ସକଳ ମନୁଷ୍ୟଙ୍କ ହୃଦୟ ମୋ ହୃଦୟ ମଧ୍ୟରେ ସ୍ପନ୍ଦିତ, ସେମାନଙ୍କ ସମସ୍ତ ଚିନ୍ତା ମୋ ଚିନ୍ତା ମଧ୍ୟରେ ସ୍ଫୁରିତ, ତୁଚ୍ଛ ପଶୁଟିର କି କ୍ଷୁଦ୍ର ଗଛଟିର ସାମାନ୍ୟ ଆକାଂକ୍ଷା ବି ମୋର ବିପୁଳ ଆସ୍ପୃହା ସଙ୍ଗେ ସଂଯୁକ୍ତ – ସବୁ ମିଳିତ ହୋଇ ତୋ ଆଡ଼କୁ ଉଠିଚାଲୁଛି ତୋର ପ୍ରେମ, ତୋର ଜ୍ୟୋତି ଅଧିକାର କରିବା ପାଇଁ, ପରାସତ୍ତାର ଶିଖରସବୁ ଅତିକ୍ରମକରି ତୋର ସାନ୍ନିଧ୍ୟରେ ପହଞ୍ଚିବାକୁ, ତୋତେ ତୋର ଅଚଳ ଆରତିରୁ ଫେରାଇଆଣି ବେଦନାର ଅନ୍ଧକାର ମଧ୍ୟରେ ପ୍ରବେଶ କରାଇଦେବାକୁ ଯଦ୍ଦ୍ୱାରା ତାହା ରୂପାନ୍ତରିତ ହୋଇଉଠିବ ପରମ ଶାନ୍ତି ଓ ଦିବ୍ୟ-ଆନନ୍ଦରେ । ଏହି ଯେଉଁ ପ୍ରଚଣ୍ଡ ଅନୁପ୍ରେରଣା, ତାହା ଗଠିତ ଅସୀମ ପ୍ରେମ ଦ୍ଵାରା ଯାହାର ଧର୍ମ ହେଉଛି ଆମଦାନ ଓ ଏପରି ନିର୍ଭରତାପୂର୍ଣ୍ଣ ପ୍ରଶାନ୍ତି ଯାହା ତୋର ଅଖଣ୍ଡ ଏକତ୍ଵର ନିଶ୍ଚୟବୋଧ ସହ ହାସ୍ୟ-ମଧୁର ।
ହେ ମୋର ମଧୁମୟ ପ୍ରଭୁ, ତୁହିଁ ବିଜୟୀ, ତୁ ବିଜୟ, ତୁ ପୁସିଦ୍ଧ, ତୁହିଁ ପୂର୍ଣ୍ଣ ସିଦ୍ଧି ।