Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୭, ୧୯୧୪

କାଲି ତୁ ଆମ ନିକଟକୁ ଆସିଥିଲୁ ଆଶ୍ଚର୍ଯ୍ୟ ଅଭୟରୂପେ । ଏପରିକି ଅତି ସ୍ଥୂଳ ପ୍ରକାଶ ମଧ୍ୟ ତୋର ବିଧାନକୁ ଜୟୀ ହେବାକୁ ଦେଇଥିଲା । ତୁ ହିଂସ୍ରତାକୁ ଜୟ କରିଛୁ ପ୍ରଶାନ୍ତି ଦ୍ଵାରା, ପଶୁକୁ ଜୟ କରିଛୁ ସୌମ୍ୟତା ଦ୍ଵାରା, ଏବଂ ଯେଉଁଠି ଏପରି ଦୁର୍ଗତି ଘଟି ପାରିଥା’ନ୍ତା ଯାହାର କୌଣସି ପ୍ରତିକାର ନାହିଁ, ସେଠାରେ ତୋର ଶକ୍ତିର ମହିମା ପ୍ରକଟ ହୋଇଛି । ହେ ଭଗବାନ୍ ! କୃତଜ୍ଞତାରେ ପରିପୂର୍ଣ୍ଣ ହୃଦୟ ନେଇ ତୋର ସାନ୍ନିଧ୍ୟକୁ ସ୍ଵାଗତ କରୁଛି । ମୋ ପାଇଁ ଏହା ଏକ ଅଭ୍ରାନ୍ତ ଚିହ୍ନ ଯେ ଆମ୍ଭେମାନେ ତୋ ନାମ ନେଇ ତୋ ସକାଶେ ଜୀବନ ଧାରଣ କରିବା ର, ଚିନ୍ତା କରିବା ର ଓ କର୍ମ କରିବାର ଶକ୍ତି ଲାଭକରିବୁ, କେବଳ ଭିତରର ଭାବରେ ନୁହେଁ ବା ଇଚ୍ଛାରେ ନୁହେଁ, ବରଂ କାର୍ଯ୍ୟତଃ, ଏକ ଅଖଣ୍ଡ ସିଦ୍ଧି ମଧ୍ୟରେ ।

ଆଜି ପ୍ରଭାତରେ ମୋର ପ୍ରାର୍ଥନା ସେହି ଗୋଟିଏ ଆସ୍ପୃହା ନେଇ ତୋ ଆଡ଼କୁ ଉଠିଚାଲୁଛି : ତୋ ପ୍ରେମକୁ ଜୀବନରେ ଫଳିତ କରିବାକୁ ହେବ, ଚତୁର୍ଦ୍ଦିଗରେ ବିକୀର୍ଣ୍ଣ କରିବାକୁ ହେବ ଏପରି ପ୍ରବଳ ଭାବେ ଓ ସାଫଲ୍ୟର ସହିତ ଯେ ଯେଉଁମାନେ ଆମର ସଂସ୍ପର୍ଶରେ ଆସିବେ, ସେମାନେ ସମସ୍ତେ ପାଇବେ ବଳବୀର୍ଯ୍ୟ, ନବ ଜୀବନ ଓ ଜ୍ଞାନର ଆଲୋକ । ଶକ୍ତିର ପ୍ରୟୋଜନ – ଜୀବନକୁ ନିରାମୟ କରିବା ପାଇଁ, ଦୁଃଖକଷ୍ଟରୁ ମୁକ୍ତ କରିବା ପାଇଁ, ଶାନ୍ତି ଓ ଅଟଳ ବିଶ୍ଵାସ ଜନ୍ମାଇବା ପାଇଁ, ବେଦନାକୁ ମୂଳପୋଛ କରି ତା’ସ୍ଥାନରେ ଯଥାର୍ଥ ସୁଖ ପ୍ରତିଷ୍ଠା କରିବା ନିମନ୍ତେ, ଯେଉଁ ସୁଖ ରହିଛି ତୋ ମଧ୍ୟରେ ଓ ଯାହା ଚିରକାଳ ଅମ୍ମାନ… ହେ ଭଗବାନ୍, ହେ ଅନୁପମ ବନ୍ଧୁ, ସର୍ବଶକ୍ତିମାନ୍ ପ୍ରଭୁ, ଆମ୍ଭମାନଙ୍କ ସମଗ୍ର ସତ୍ତା ମଧ୍ୟରେ ପ୍ରବେଶ କର, ତାହାକୁ ରୂପାନ୍ତରିତ କରି ଚାଲ, ଯେତେଦିନ ପର୍ଯ୍ୟନ୍ତ ଏକ ମାତ୍ର ତୁହିଁ ଆମ ଅନ୍ତରରେ ଆମକୁ ଅବଲମ୍ବନ କରି ବାସ ନ କରିଛୁ !