ମୁଁ ଏତେ ଆଶା କରିସାରିଲା ପରେ, ମୋର ବାହ୍ୟ ସତ୍ତ ଯେ ତୋ ଉଦ୍ଦେଶ୍ୟ ସାଧନର ଉପଯୋଗୀ ଯନ୍ତ୍ର ହୋଇପାରେ ଏହି ବିଶ୍ଵାସ ହୋଇସାରିଲା ପରେ, ଅବଶେଷରେ ଅହଂକାରର ଅନ୍ଧ ଗୁରୁଭାରରୁ ମୁକ୍ତ ହୋଇଛି ଏ ଆଶା ହୋଇସାରିଲା ପରେ ମଧ୍ୟ ମୋର ଏବେ ବି ମନେହେଉଛି ମୁଁ ପୂର୍ବେ ଲକ୍ଷ୍ୟଠାରୁ ଯେତେ ଦୂରରେ ଥୋ, ଆଜି ବି ଠିକ୍ ସେତିକି ଦୂରରେ ଅଛି, ଏହି ବିପୁଳ ଆଶାର ପୂର୍ବେ ଯେପରି ଅଜ୍ଞାନାଚ୍ଛନ୍ନ ଥିଲି ଆଜି ବି ଠିକ୍ ସେହିପରି ଅଛି । ଆଉ ବି ପୂର୍ବପରି ଅଚେତନାର ମଧ୍ୟଦେଇ ଅନ୍ତହୀନପଥ ପ୍ରସାରିତ ହୋଇଚାଲିଛି । ସେହି ଅପରୂପ ଦ୍ଵାର ପୁନଶ୍ଚ ବନ୍ଦ ହୋଇଯାଇଛି, ପୁଣି ମନ୍ଦିରର ଦ୍ୱାର ଦେଶରେ ଉପସ୍ଥିତ ହୋଇଛି ଅଥଚ ଭିତରେ ପ୍ରବେଶ କରିବାର ସାମର୍ଥ୍ୟନାହିଁ । କିନ୍ତୁ ସମସ୍ତ ବସ୍ତୁ ମୁଁ ସହାସ୍ୟ ମୁଖରେ ଓ ଶାନ୍ତ ହୃଦୟରେ ଗ୍ରହଣ କରିବାକୁ ଶିଖୁଛି । ତେବେ ମୁଁ ଏହି ଅନୁରୋଧ କରେ, ହେ ମୋର ଦିବ୍ୟପ୍ରଭୁ, ମୁଁ ଯେପରି ଆଉ ଭୁଭ୍ରାନ୍ତି ନ କରେ; ଏପରିକି ଯଦିଓ କିଛିକାଳ ନିମିତ୍ତ ଯନ୍ତ୍ରଟି ଅଚେତନା ମଧ୍ୟରେ ପଡ଼ିବାକୁ ବାଧ୍ୟ ହୋଇଛି, ତଥାପି ଏହାହିଁ କର, ତାହା ଯେପରି ବିଶ୍ୱାସ ସହ, ଅନୁଗତଭାବେ ତୋର ଦିବ୍ୟବିଧାନ ଦ୍ୱାରା ପରିଚାଳିତ ହୋଇପାରେ ।
ହେ ଭଗବାନ୍, ଗଭୀର ନିର୍ମଳ ଭକ୍ତି ସହ ତୋତେ ପ୍ରଣତି ଜଣାଉଛି । ହେ ପ୍ରଭୁ, ତୁ ସକଳ ହୃଦୟର ଏକଚ୍ଛତ୍ର ଅଧୀଶ୍ଵର ହୁଅ ।