Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୪, ୧୯୧୪

ବାହ୍ୟ କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟାପୃତ ରହି ଅନେକ ଦିନ ନୀରବ ରହିବା ପରେ ଅବଶେଷରେ ପୁଣି ମୋତେ ଅବସର ଦିଆ ହେଲା ଏହି ପୃଷ୍ଠାଗୁଡ଼ିକ ଲେଖିବା ନିମନ୍ତେ, ଭଗବାନଙ୍କ ସଙ୍ଗେ ପୁନର୍ବାର ବାକ୍ୟାଳାପ କରିବା ସକାଶେ, ଯାହା ମୋ ପକ୍ଷରେ ଅତ୍ୟନ୍ତମଧୁମୟ ।…

କିନ୍ତୁ ତୁ ମୋର ସମସ୍ତ ପ୍ରକାର ଅଭ୍ୟାସ ଭାଙ୍ଗି ଦେଇଛୁ, କାରଣ ତୁ ମୋତେ ସବୁପ୍ରକାର ମାନସିକ ଗଠନାବଳୀରୁ ମୁକ୍ତ ହେବା ନିମନ୍ତେ ପ୍ରସ୍ତୁତ କରିବାକୁ ଚାହୁଁ ।ଏପରି ଅବଶ୍ୟ ଅନେକ ମାନସିକ ଗଠନାବଳୀ ଅଛି ଯାହା ବ୍ୟକ୍ତିଗତ ପ୍ରକୃତି ପକ୍ଷେ ଉପଯୁକ୍ତ, ଶକ୍ତିଶାଳୀ ଏବଂ ଊର୍ଦ୍ଧ୍ୱତମ ଉପଲବ୍ଧି ଦିଗରେ ନିଶ୍ଚୟହିଁ ପଥନିର୍ଦେଶକ । କିନ୍ତୁ ଥରେ ସେହିସବୁ ଉପଲବ୍ଧି ପ୍ରାପ୍ତ ହେଲେ, ତୁ ଚାହୁଁ ସେସବୁ ଯେପରି ଆଉ କୌଣସି ମାନସିକ ଗଠନରେ ଆବଦ୍ଧ ନ ରହନ୍ତି, ଏହା ଯେତେ ଶୁଦ୍ଧତର, ଯେତେ ଉଚ୍ଚତର ସ୍ତରରହେଉ ନା କାହିଁକି । ସେସବୁର ପ୍ରକାଶ ଯେପରି ହୁଏ ନୂତନତର ସତ୍ୟତର ରୂପରେ, ଅର୍ଥାତ୍, ଅନୁଭୂତି ସଙ୍ଗେ ସେହିସବୁ ରୂପର ଯେପରି ସବୁଠାରୁ ବେଶୀ ମେଳ ରହେ ।

ତେବେ ତୁ ସବୁ ପ୍ରକାର ଚିନ୍ତାର ଗଠନାବଳୀ ଭାଙ୍ଗି ଦେଇଛୁ ଏବଂ ତୋ ସମ୍ମୁଖରେ ଆଜି ମୁଁ ସକଳ ପ୍ରକାର ମାନସିକ ଗଠନାବଳୀରୁ ମୁକ୍ତ, ନବଜାତ ଶିଶୁ ତୁଲ୍ୟ ଜ୍ଞାନହୀନ ।କିନ୍ତୁ ଏହି ଶୂନ୍ୟତାର ଅନ୍ଧକାର ଗହ୍ୱରରେ ଏକ ପରମା ଶାନ୍ତି ରହିଛି – ସେହି ବସ୍ତୁର ଶାନ୍ତି ଯାହାକୁ ବାକ୍ୟରେ ପ୍ରକାଶ କରିହୁଏ ନାହିଁ, କିନ୍ତୁ ଯାହା ନିତ୍ୟ ବର୍ତ୍ତମାନ । ମୁଁ ଅପେକ୍ଷା କରୁଛି, ଆଧୀରତା ନାହିଁ, ଶଙ୍କା ନାହିଁ – ଆତ୍ମସମର୍ପଣ ଓ ଜ୍ୱଳନ୍ତ ନିଷ୍ଠାରେ ନିର୍ମିତ ଏହି ଯନ୍ତ୍ର ମଧ୍ୟରେ ତୋ ଆବିର୍ଭାବକୁ ଅଭିବ୍ୟକ୍ତ କରିବା ନିମନ୍ତେ ଯେଉଁସବୁ ମାନସରୂପାବଳୀ ତୋର ଉପଯୁକ୍ତ ମନେହେବ ତୁ ତାହା ନିଜେ ହିଁ ଅତଳ ଗହ୍ୱର ମଧ୍ୟରୁ ଗଢ଼ି ତୋଳିବୁ ।

ଭାବୀ ସିଦ୍ଧିରେ ପରିପୂର୍ଣ୍ଣ ଏହି ବିରାଟ ରାତ୍ରି ସମ୍ମୁଖରେ ମୁଁ ଅନୁଭବ କରୁଛି ଯାହା ମୁଁ କେବେ ବି ଅନୁଭବ କରି ନ ଥିଲି – ଯେ ମୁଁ ଅନନ୍ତରୂପେ ମୁକ୍ତ ଓ ବିଶାଳ ।

ହେ ଭଗବାନ୍ ! ତୁ ମୋତେ ଯେଉଁ ଅପରୂପ କରୁଣା ଦେଖାଇଛୁ, ତୋ ସମ୍ମୁଖରେ ନବଜାତ ଶିଶୁ ତୁଲ୍ୟ ଯେ ହୋଇଉଠିଛି ସେଥିପାଇଁ ପରମାନନ୍ଦରେ ପରିପୂର୍ଣ୍ଣ ହୋଇ ତୋତେ କୃତଜ୍ଞତା ଜଣାଉଛି ।