Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୧୧, ୧୯୧୫

ମାନସ ସତ୍ତାର ଅଭୀପ୍ସା ପୂର୍ବାପେକ୍ଷା ପ୍ରବଳ ଆଗ୍ରହ ସହ ତୋ ଆଡ଼କୁ ଉଠିଚାଲୁଛି ।… ସର୍ବଦା ହିଁ ସେଠାରେ ଅନନ୍ତ ଓ ଶାଶ୍ଵତଙ୍କ ଉପଲବ୍ଧି ବିଦ୍ୟମାନ । କିନ୍ତୁ ମନେହୁଏ ଯେପରି ତୁ ମୋତେ ସକଳ ଭାଗବତ ତନ୍ମୟତା, ସକଳ ଆଧ୍ୟାତ୍ମିକ ଭାବାବେଶରୁ ପୃଥକ୍ କରି ରଖିବାକୁ ଚାହୁଁ ଯେପରି ମୁଁ ଏକାନ୍ତ ନିବିଡ଼ ଜଡ଼ ଅବସ୍ଥା ମଧ୍ୟରେ ବୁଯାଇପାରେ । ହେ ଭଗବାନ୍ ! ତୋର ପୂର୍ଣ୍ଣ ଆନନ୍ଦ ସର୍ବତ୍ର ବିଦ୍ୟମାନ, ଆଉ ତୁ ଯେଉଁ ମହତ୍ ବସ୍ତୁ ମୋତେ ଦାନ କରିଛୁ, ତାହା କେହି ମୋଠାରୁ ଛଡ଼ାଇ ନେଇପାରିବ ନାହିଁ;ସକଳ ଅବସ୍ଥାରେ, ସକଳ ସ୍ଥାନରେ ତାହା ମୋ ସହ ରହିଛି – ତାହା ହିଁ ମୁଁ, ଯେପରି ମୁଁ ହିଁ ତୁ । କିନ୍ତୁ ଯାହା ହେବ ତା’ ତୁଳନାରେ ଏସବୁ କିଛି ନୁହେଁ । ତୁ ଚାହୁଁ, ଏହି ଭାରାକ୍ରାନ୍ତ ତମସାଗ୍ରସ୍ତ ଜଡ଼ ମଧ୍ୟରୁ ମୁଁ ଉତ୍ସାରିତ କରେ ତୋ ପ୍ରେମର, ତୋ ଜ୍ୟୋତିଃର ଆଗ୍ନେୟ ସ୍ରାବ; ତୁ ଚାହୁଁ ପ୍ରକାଶର ସକଳ ପ୍ରାଚୀନ ବିଧିବିଧାନ ଭାଙ୍ଗିଦେଇ ଏପରି ବାକ୍ ଉତ୍ଥିତ ହେଉ ଯାହା ତୋତେ ବ୍ୟକ୍ତ କରିବା ପାଇଁ ସକ୍ଷମ ହେବ, ଯାହା କେବେ ବି କେହି ଶୁଣି ନାହିଁ; ତୁ ଚାହୁଁ, ନିମ୍ନର ତୁଚ୍ଛତମ ବସ୍ତୁ ସଙ୍ଗେ ଊର୍ଦ୍ଧ୍ୱର ବୃହତ୍ତମ ବସ୍ତୁର ଅଖଣ୍ଡ ମିଳନ ସାଧିତ ହେଉ । ସେଥିପାଇଁ ତ ଭଗବାନ୍, ସକଳ ତନ୍ମୟତା, ସକଳ ଆନନ୍ଦ, ସକଳ ଆଧ୍ୟାତ୍ମିକ ଭାବାବେଶରୁ ମୋତେ ବିଚ୍ଛିନ୍ନ କରି, ଅନନ୍ୟ ଭାବେ ତୋ ଉପରେ ଏକାଗ୍ର ହେବାର ସକଳ ସ୍ଵାତନ୍ତ୍ର୍ୟରୁ ମୋତେ ବଞ୍ଚିତ କରି ତୁ ମୋତେ କହିଛୁ, “ସାଧାରଣ ମଣିଷ ମଧ୍ୟରେ ସାଧାରଣ ହୋଇ ତୁ କାର୍ଯ୍ୟ କରନ୍ତ; ଏହି ବିଶ୍ୱପ୍ରକାଶ ମଧ୍ୟରେ ସେମାନଙ୍କ ଠାରୁ ତୁ ଅତିରିକ୍ତ କିଛି ନୁହେଁ, ତୋ ଜୀବନଧାରାରେ ଏହି ଶିକ୍ଷା ଲାଭ କର; ସେମାନଙ୍କ ଜୀବନଧାରାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ମିଶାଇ ଦେ । କାରଣ ସେମାନେ ଯାହା ଜାଣନ୍ତି, ଯେତେ ଟିକେ ହୋଇଛନ୍ତି, ସେସବୁକୁ ଅତିକ୍ରମ କରି ତୋ ମଧ୍ୟରେ ତୁ ବହନ କରିଛୁ ଚିରଭାସ୍କର, ଅବିକମ୍ପିତ ଅଗ୍ନିଶିଖା – ସେମାନଙ୍କ ସହ ନିଜକୁ ମିଶାଇ ଦେଇ ସେ ଶିଖାକୁ ତୁ ସେମାନଙ୍କ ମଧ୍ୟକୁ ନେଇଆସିବୁ।

ତୁ ଯଦି ଆଲୋକ ବିଚ୍ଛୁରଣ କରୁ, ତା’ହେଲେ ତାହା ତୁ ଉପଭୋଗ କରିବା ର କ’ଣ ପ୍ରୟୋଜନ ଅଛି ? ମୋର ପ୍ରେମ ଯଦି ତୁ ବିତରଣ କରୁ, ତା’ହେଲେ ତା’ର ସ୍ପନ୍ଦନ ତୋ ଅନ୍ତରରେ ଅନୁଭବ କରିବା ର ପ୍ରୟୋଜନ ଅଛିକି ? ସେ ସମସ୍ତଙ୍କ ପାଇଁ ତୁ ହେବୁ ମୋର ଆନନ୍ଦମୟ ସାମୀପ୍ୟର ବାହକ, ତା’ହେଲେ ତୋର କ’ଣ ପ୍ରୟୋଜନ ତାହାକୁ ସର୍ବ ତୋ ଭାବେ ଆସ୍ୱାଦନ କରିବା ?
ହେ ଭଗବାନ୍ ! ସର୍ବତୋଭାବେ ତୋ ଇଚ୍ଛା ହିଁ ପୂର୍ଣ୍ଣ ହେଉ !

ତୋ ଇଚ୍ଛା ହିଁ ମୋର ସୁଖ, ମୋର ଶାସ୍ତ୍ର ।