Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୬, ୧୯୧୪

ସେମାନଙ୍କ ଦୁଃଖରେ ଯେତେବେଳେ ମୁଁ ପ୍ରକୃତରେ ଦୁଃଖ ପାଇଲି, ସେତେବେଳେ ସେଇ ଦୁଃଖ ନିରାକରଣର ଚେଷ୍ଟାରେ ତୋର ଅଭିମୁଖୀ ହେଲି ସମସ୍ତ ଶାନ୍ତି ଓ ଆନନ୍ଦର ଉତ୍ସ ତୋର ଦିବ୍ୟପ୍ରେମରୁ ସାମାନ୍ୟ କିଛି ତା’ ମଧ୍ୟରେ ଢାଳି ଦେବାକୁ । ଦୁଃଖ କଷ୍ଟରୁ ଆମେ ପଳାଇଯିବୁ ନାହିଁ ନିଶ୍ଚୟ, କିନ୍ତୁ ତା’ ବୋଲି ତାହାକୁ ଯେ ଭଲ ପାଇବୁ ବା ପୋଷଣ କରିବୁ, ତା’ ମଧ୍ୟ ଠିକ୍ ନୁହେଁ, ଆମ୍ଭମାନଙ୍କୁ ଜାଣିବାକୁ ହେବ କି ଭାବରେ ତା’ର ଗଭୀରରେ ପ୍ରବେଶ କରିବାକୁ ହୁଏ ଓ ତାହାକୁ ଅବଲମ୍ବନ କରି କି ଭାବରେ ଶାଶ୍ୱତ ଚେତନାର ଦ୍ୱାର ଉନ୍ମକ୍ତ କରିବାକୁ ହୁଏ ଓ ତୋର ଅବ୍ୟୟ ଏକତ୍ଵର ପ୍ରଶାନ୍ତି ମଧ୍ୟରେ ପ୍ରବେଶ କରିବାକୁ ହୁଏ ।

ଗୋଟିଏ ଦିଗରୁ ଦେଲେ ଅର୍ଥାତ୍ ଯେତେବେଳେ ବାହ୍ୟ ରୂପର ଅନିତ୍ୟତା ଓ ତୋର ମୂଳ ଏକତ୍ଵର ନିତ୍ୟତା ବିଷୟରେ ଚିନ୍ତା କରୁ ସେତେବେଳେ ଦେହଗତ ବିଛେଦରେ ପ୍ରାଣ ଓ ଦେହର ଆସକ୍ତି ଯୋଗୁଁ ଯେଉଁ ଏକ ପ୍ରକାର ଉତ୍ପାଟନର ବେଦନା ଜନ୍ମେ ତାହା ଏକାନ୍ତ ବାଳସୁଲଭ ବୋଲି ମନେହୁଏ । କିନ୍ତୁ ଅନ୍ୟ ଦିଗରୁ ଏହି ଆସକ୍ତି, ଏଇ ବ୍ୟକ୍ତିଗତ ସ୍ନେହ ମନୁଷ୍ୟର ଅଜ୍ଞାନ ଭାବରେ ଏକ ଚେଷ୍ଟା ନୁହେଁ କି ଯାହାଦ୍ୱାରା ସେ ବାହ୍ୟତଃ ଯେତେଦୂର ସମ୍ଭବ ଉପଲବ୍ଧ କରିପାରିବ ସେଇ ମୂଳ ଏକତ୍ଵ ଯାହା ଆଡ଼କୁ ସେ କ୍ରମାଗତଚାଲିଛି ନିଜର ସମ୍ପୂର୍ଣ୍ଣ ଅଜ୍ଞାତରେ ? ଆଉ ଠିକ୍ ଏହି କାରଣରୁହଁ ଦେହଗତ ବିଚ୍ଛେଦ ନେଇଆସେ ଯେଉଁ ବେଦନା ତାହା କ’ଣ ଅବ୍ୟର୍ଥ ଉପାୟ ନୁହେଁ ଯାହାକୁ ଧରି ବାହ୍ୟ ଚେତନାକୁ ଅତିକ୍ରମ କରିଯାଇହୁଏ ଓ ଏହି ସ୍ଵଗଭୀର ଆସକ୍ତିର ସ୍ଥାନରେ ନେଇଆସି ହୁଏ ତୋ ଶାଶ୍ୱତ ଏକତ୍ଵର ଅଖଣ୍ଡ ଉପଲବ୍ଧ ?

ସେ ସମସ୍ତଙ୍କ ପାଇଁ ମୁଁ ଠିକ୍ ଏହି ଜିନିଷ ହିଁ ଚାହିଁ ଥିଲି, ଏହି ଜିନିଷ ହିଁ ସେହିସମସ୍ତଙ୍କ ପାଇଁ ମୁଁ ଆଗ୍ରହର ସହ ଇଚ୍ଛା କରିଥିଲି । ସେଇଥିପାଇଁ ମୁଁ ତୋର ବିଜୟ ସଂପର୍କରେ ପୂର୍ଣ୍ଣ ସୁନିଶ୍ଚିତ ହୋଇ ସେମାନଙ୍କ ଦୁଃଖର କଥା ତୋତେ କହିଥିଲି ଯାହା ଦ୍ୱାରାକି ସେଥିରେ ତୋର ଆଲୋକ ଢାଳି ସେସବୁକୁ ତୁ ନିରାମୟ କରିପାରିବୁ ।

ହେ ଭଗବାନ୍, ଏଇ ଯେଉଁ ପ୍ରେମ ଓ କୋମଳ ସ୍ପୃହର ସୌନ୍ଦର୍ଯ୍ୟ, ତାହା ଯେପରି ରୂପାନ୍ତରିତ ହୁଏ ତୋର ମହିମମୟ ଜ୍ଞାନରେ ।

କୃପା କର, ପ୍ରତ୍ୟେକ ଜିନିଷ ଭିତରୁ ତାହାର ଯାହାକିଛି ସର୍ବଶ୍ରେଷ୍ଠ ତାହା ଯେପରି ଉତ୍ସାରିତ ହୁଏ ଓ ପୃଥିବୀ ଉପରେ ଯେପରି ବିରାଜ କରେ ତୋର ପ୍ରସନ୍ନ ଶାନ୍ତି ।