Divine Light Online

ଧ୍ୟାନ ଓ ପ୍ରାର୍ଥନା

ଏପ୍ରିଲ୍ ୭, ୧୯୧୪

ତେବେ ମୋର ସାହସ କାହିଁ, ଯଦି ସବୁବେଳେ ମୁଁ ଯୁଦ୍ଧକୁ ଏଡ଼ାଇ ଦେଇ ଯିବାକୁ ଚେଷ୍ଟା କରେ ? ତେବେ ମୋର ଶକ୍ତି କାହିଁ, ଯଦି ମୁଁ ସ୍ଵାଭାବିକରୂପେ ନୂତନ ଉଦ୍ୟମ କରିବାକୁ ଭୟ କରେ ଏବଂ ଅଜ୍ଞାତ ସାରରେ ଅତୀତ ପ୍ରଯତ୍ନର ଫଳାଫଳକୁ ଯଥେଷ୍ଟ ମନେକରି ନିଷିୟଭାବେ ନିଦ୍ରାଯାଏ ? କାର୍ଯ୍ୟ କରିବାକୁ ହେଲେ ମୋତେ ବାଧ୍ୟ ହୋଇ ତାହା କରିବାକୁ ହୁଏ ଏବଂ ମୋର ନୀରବ ଧ୍ୟାନ ଅଂଶତଃ ଆଳସ୍ୟରେ ଗଠିତ… ଏସବୁ ମୁଁ ଆହୁରି ପରିଷ୍କାରଭାବେ ଦେଖପାରୁଛି । ଆଜି ପର୍ଯ୍ୟନ୍ତ ଯାହା କରିଛି, ମନେହୁଏ ସେସବୁ କିଛି ବି ନୁହେଁ । ହେ ଭଗବାନ୍, ତୋ ସେବାରେ ମୁଁ ଯେଉଁ ଯନ୍ତ୍ରଟି ନିଯୁକ୍ତ କରିଛି, ତାହାର କ୍ଷୁଦ୍ର ତା ଓ ସଂକୀର୍ଣ୍ଣତା ମୋ ପାଖରେ ସ୍ପଷ୍ଟ । ଦୁଃଖର ସହିତ ମୋତେ ଏହି ଧାରଣା ସକାଶେ ଆଜି ବି ହସ ଲାଗୁଛି ଯେ ସମୟ ସମୟରେ ନିଜ ସମ୍ବନ୍ଧରେ, ନିଜଚେଷ୍ଟା ଓ ନିଜର ସଫଳତା ସମ୍ବନ୍ଧେ ଖୁବ୍ ଭଲ ଧାରଣା ପୋଷଣ କରିଥିଲି । ଯଥାର୍ଥ ଜୀବନର ଦ୍ୱାରଦେଶରେ ମୁଁ ପହଞ୍ଚାଇଛି ବୋଲି ସର୍ବଦା ଭାବୁଥିଲି, କିନ୍ତୁ ବାସ୍ତବରେଏହା ଲାଭ କରିଥିଲି ଗୋଟିଏ ଆଶାରୂପେ, ସ୍ଥୂଳ ସିଦ୍ଧିରୂପେ ନୁହେଁ, ଏହା ଥିଲା ଯେପରି ଶିଶୁକୁ ଖେଳନାର ଲୋଭ ଦେଖାଇବା ଅଥବା ଦୁର୍ବଳ ପାଖରେ ପୁରସ୍କାରର ଲୋଭ ଦେଖାଇବା ।

ତାହାହେଲେ, କେବେ ମୁଁ ଯଥାର୍ଥରେ ସବଳ ହୋଇଉଠିବି – ସାହସ, ସାମର୍ଥ୍ୟ, ବୀର୍ଯ୍ୟ ଓ ପ୍ରଶାନ୍ତ ଧୈର୍ଯ୍ୟରେ ଗଢ଼ିଉଠିବି ? କେବେ ମୁଁ ମୋର ବ୍ୟକ୍ତିତ୍ୱ ବୋଧକୁ ସଂପୂର୍ଣ୍ଣରୂପେ ଭୁଲିଯିବି, ହୋଇପାରିବି କେବଳ ତୋର ଯନ୍ତ୍ର ଯାହା ଗଠିତ ହେବ କେବଳ ସେହି ସକଳ ଶକ୍ତି ଦ୍ୱାରା ଯାହାକୁ ଏହି ଯନ୍ତ୍ର ପ୍ରକାଶ କରିବ ? କେବେ ମୋର ଏକତ୍ଵବୋଧର ଚେତନାରେ କୌଣସି ଜଡ଼ତା ଆସି ମିଶିବ ନାହିଁ, ଆଉ କେବେ ମୋର ଦିବ୍ୟପ୍ରେମର ଅନୁଭୂତି ସହ କୌଣସି ଦୁର୍ବଳତା ମିଶିବ ନାହିଁ ?

ହେ ପ୍ରଭୁ, ଏହିସବୁ ପ୍ରଶ୍ନ ଉତ୍ଥାପନ ପରେ ମନେ ହେଉଛି, ମୋ ଭିତରେ ଯେପରି ସକଳ ଚିନ୍ତା ଲୁପ୍ତ ହୋଇଛି । ମୋର ସଚେତନ ମାନସ ସତ୍ତାକୁ ଖୋଜୁଛି, ତାକୁ ପାଉ ନାହିଁ; ବ୍ୟକ୍ତିତ୍ୱକୁ ଖୋଜୁଛି, ତାକୁବି କେଉଁଠି ପାଉ ନାହିଁ, ମୋର ବ୍ୟକ୍ତିଗତ ଇଚ୍ଛାକୁ ଖୋଜୁଛି କିନ୍ତୁ ତାହା ମଧ୍ୟ ଅନ୍ତର୍ହିତ । ମୁଁ ତୋତେ ଖୋଜୁଛି, କିନ୍ତୁ କୌଣସି ଉତ୍ତର ପାଉନାହିଁ … ନୀରବତା, କେବଳ ନୀରବତା ।

ମନେହୁଏ, ବର୍ତ୍ତମାନ ମୁଁ ତୋର ଦିବ୍ୟବାଣୀ ଶୁଣି ପାରୁଛି : ତୁ କେବେ ବି ନିଜକୁ ସର୍ବାଙ୍ଗୀନ ରୂପେ ଲୋପ କରିଦେଇ ପାରି ନାହୁଁ । ସର୍ବଦା ହିଁ ତୋ ଭିତରେ ଏପରିକିଛି ରହିଛି ଯାହା ଇଚ୍ଛା କରୁଛି ଜାଣିବାକୁ, ବୁଝିବାକୁ ଏବଂ ଦେଖବାକୁ । ସଂପୂର୍ଣ୍ଣ ରୂପେ ନିଜକୁ ସମର୍ପଣ କର, ଶିଖ କିପରି ନିଜକୁ ହରେଇ ଦେବାକୁ ହୁଏ, ଅବଶେଷରେ ତୋ ମୋ ଭିତରେ ଯେଉଁ ପ୍ରାଚୀର ରହିଛି, ତାକୁ ଭାଙ୍ଗି ପକାଅ, ନିଃଶେଷରେ ତୋ ଆତ୍ମଦାନକୁ ପୂର୍ଣ୍ଣ କର ।’ ହାୟ, ହେ ପ୍ରଭୁ, କେତେ ଦୀର୍ଘକାଳରୁ ମୁଁ ଏହାହିଁ କରିବାକୁ ଚାହୁଁଥିଲି, କିନ୍ତୁ ଏହା କରିବାକୁ ସମର୍ଥ ହୋଇ ନ ଥିଲି । ହେ ଭଗବାନ୍ ! ଏହାହିଁ କରିବାକୁ ମୋତେ ଶକ୍ତି ଦେବୁ କି ?

ହେ ଭଗବାନ୍, ଶାଶ୍ୱତ ପ୍ରେମମୟ ପ୍ରଭୁ, ଏହି ବାଧାବିଘ୍ନକୁ ଭାଙ୍ଗିଦେ ଯାହାମୋତେ ଦୁଃଖତାପରେ ଭରିଦିଏ ।… ମୋତେ ମୋଠାରୁ ଉଦ୍ଧାର କର ।