Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୨୨, ୧୯୧୪

ହେ ଭଗବାନ୍ ! ସତ୍ୟ ନିମନ୍ତେ ହିଁ ମୁଁ ତୋ ପାଖରେ ପ୍ରାର୍ଥନା କରୁଛି ।
ଏ ମନକୁ ପୁନଶ୍ଚ ସକ୍ରିୟ କର, ତୋତେ ସମର୍ପଣ କରିବା ପାଇଁ ସେ ମୌନ ଅବଲମ୍ବନ କରିଥିଲା, କ’ଣ ତୋର ସଂକଳ୍ପ ସେ ଜ୍ଞାନ ଏହାକୁ ପ୍ରଦାନ କର ।

ଏ ମନ ଗ୍ରହଣଶୀଳ ଥିଲା ଏବଂ ସକଳ ପ୍ରକାର ସମ୍ଭାବନାକୁ ନିଜ ମଧ୍ୟରେ ରୂପ ଗ୍ରହଣ କରିବାକୁ ଅନୁମତି ଦେଇଥିଲା; ତା’ପରେ ସେସବୁ ର ବିପରୀତ ଧାରାର ଦ୍ଵନ୍ଦକୁ ବନ୍ଦ କରିବା ସକାଶେ ଏହିସବୁ ଅନାହୃତ ଅତିଥିଙ୍କ ପ୍ରବେଶ ନିଷେଧ କରିଦେଲା, ଏବଂ କହିଲା, ”ହେ ଭଗବାନ୍ ! ଯଦି ମୋ ଭିତର ଦେଇ ତୋ ଶାଶ୍ଵତ ଆଲୋକର କିରଣକୁ ଅବିକୃତଭାବେ ପ୍ରକାଶିତ ହେବାକୁ ଛାଡ଼ି ଦେଇପାରେ ତେବେ ମୋର ସକ୍ରିୟଭାବେ ଜୀବନଯାପନ କରିବାର କୌଣସି ଆବଶ୍ୟକତା ନାହିଁ, ତୋର ଇଚ୍ଛା କ’ଣ ତାହା ଜାଣିବାର କୌଣସି ପ୍ରୟୋଜନ ନାହିଁ ।” କାର୍ଯ୍ୟତଃ ତାହାହିଁ ହେଲା – ଇଚ୍ଛାଶକ୍ତି ହେଲା ଅନୁଗତ, ସରଳ, ସୁସ୍ପଷ୍ଟ, ସମର୍ଥ । କିନ୍ତୁ ବର୍ତ୍ତମାନ ପୁନର୍ବାର ତୁ ଚାହୁଁ ଯେ ମନ ଜାଣିବା ଉଚିତ ଏବଂ ତୁ ତାକୁ କହିଲୁ, ”ଜାଗ୍ରତ୍ ହୁଅ, ସତ୍ୟ ସମ୍ବନ୍ଧରେ ସଚେତନ ହୁଅ ।” ମନ ଆନନ୍ଦରେ ଏହାର ଉତ୍ତର ଦେଲା ଏବଂ ସେ ପରମ ସତ୍ୟର ଜ୍ୟୋତିର୍ମୟ ସୂର୍ଯ୍ୟ ଆଡ଼କୁ ଏବେ ଫେରିଛି ଏବଂ ତାହାକୁ ନିଜ ମଧ୍ୟରେ ଆତ୍ମପ୍ରକାଶ କରିବାକୁ ଆବାହନ କରୁଛି ।

ତୁ ଚାହୁଁ ଗୋଟି ଗୋଟି ହୋଇ ସକଳ ବାଧା ଦୂର ହେଉ ଏବଂ ଆଧାର ପ୍ରକାଶର ସକଳ ସମ୍ଭାବନା ସହ ତା’ର ସର୍ବାଙ୍ଗୀଣ ପରିପୂର୍ଣ୍ଣତା ଲାଭ କରୁ ।

ହେ ଭଗବନ୍ ! ପୃଥିବୀର ସକଳ ବାସନା ଆସି ମୋ ମଧ୍ୟରେ ଏକତ୍ରିତ ହେଉ, ଯେପରି ସେସବୁ ଉପରେ ତୁ ଦୃଷ୍ଟି ପାତ କରିପାରୁ, ଯେପରି ତୋର ଇଚ୍ଛାଶକ୍ତି ଉତ୍ତମରୂପେ, ଅଖଣ୍ଡ, ଚରମ, ପୁଙ୍ଖାନୁପୁଙ୍ଖ ଓ ସମଗ୍ର ଭାବେ କାର୍ଯ୍ୟକାରୀ ହୋଇପାରେ ।
ଏହି ଭାବେ ଅପେକ୍ଷିତ ଦିନ ଆହୁରି ଶୀଘ୍ର ଆସି ଯିବ ।…

ସମଗ୍ର ଆଧାର ତୀବ୍ର ଆନନ୍ଦରେ, ଅତୁଳନୀୟ ପୂର୍ଣ୍ଣତାରେ ଉତଫୁଲ୍ଲ ହୋଇଉଠୁଛି ।