Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୯, ୧୯୧୪

ହେ ଭଗବାନ୍, ତୋତେ ଯେ ଯେଉଁ ନାମ ଦେଉ ନା କାହିଁକି, ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯେଉଁମାନେ ଏକ ଚରମ ସତ୍ୟ ପାଇଁ ପିପାସିତ, ସେମାନେ ତୋତେ ହିଁ ପରମ ଆଗ୍ରହ ସହିତ ଖୋଜନ୍ତି । ଏପରିକି ଯେଉଁମାନେ ତୋଠାରୁ ବହୁଦୂରକୁ ଚାଲିଯାଇଛନ୍ତି ବୋଲି ମନେହୁଏ, ଯେଉଁମାନେ କେବଳ ସର୍ବଦା ନିଜକୁ ନେଇ ବ୍ୟସ୍ତ, ସେମାନେ ମଧ୍ୟ କ’ଣ ଇନ୍ଦ୍ରିୟାନୁଭୂତି ଭିତରେ ଖୋଜୁ ନାହାନ୍ତି ଗୋଟିଏ ଚରମ ସତ୍ୟ, ତୃପ୍ତିର ଏକ ଚରମସତ୍ୟ, ଏବଂ ତାହା ଯେତେ ନିରର୍ଥକ ହେଉ ନା କାହିଁକି, ସେଇ ସନ୍ଧାନ ହିଁ ଦିନେ ସେମାନଙ୍କୁ ତୋ ଆଡ଼କୁ ନେଇଯିବ ନାହିଁକି? ତୁ ସକଳ ବସ୍ତୁର ମର୍ମସ୍ଥଳରେ, ହୃଦେଶରେ ଏତେ ବେଶୀ ଭାବରେ ରହିଛୁ ଯେ ଘୋର ଅହଙ୍କାର ମଧ୍ୟ ତୋର କଲ୍ୟାଣରୁ ଅଭୀପ୍ସାରେ ରୂପାନ୍ତରିତ ହୁଏ … କିନ୍ତୁ ଏକ ମାତ୍ର ଯେଉଁ ବସ୍ତୁ ଭୟର କାରଣ ଏବଂ ବର୍ଜନୀୟ, ତା’ହେଉଛି ନିଶ୍ଚେତନାର ଜଡ଼ତ୍ୱ ଓ ଅଜ୍ଞାନର ଅନ୍ଧ ଗୁରୁଭାର । ସେ ଅବସ୍ଥା ହେଉଛି ଯେଉଁ ଅନନ୍ତ ସୋପାନଶ୍ରେଣୀ ତୋ ଦିଗରେ ଚାଲିଯାଇଛି ତାହାର ନିମ୍ନତମ ସୋପାନ । ତୋର ସକଳ ପ୍ରୟାସ ହେଲା ପଦାର୍ଥକୁ ଏଇ ଆଦି ତମିସ୍ରାର ଗର୍ଭରୁ ତୋଳିଧାରିବା ଯାହାଦ୍ୱାରା ସେ ଚେତନା ମଧ୍ୟରେ ଜନ୍ମ ଗ୍ରହଣ କରିପାରେ । ପ୍ରାଣାବେଗ ମଧ୍ୟ ନିଶ୍ଚେତନାଠାରୁ ଶ୍ରେୟ । ଆମ୍ଭମାନଙ୍କୁ ତେଣୁ ନିରନ୍ତର ଆଗେଇ ଚାଲିବାକୁ ହେବ ନିଶ୍ଚେତନାର ଏଇ ବିଶ୍ୱବ୍ୟାପୀ ଦୃଢ଼ ଭିଭିକୁ ଜୟ କରିବା ପାଇଁ – ଆମ୍ଭମାନଙ୍କ ଆଧାରକୁ ଯନ୍ତ୍ରରୂପେ ଗଢ଼ିବାକୁ ହେବ ଏବଂ ତାହାକୁ ଧୀରେ ଧୀରେ ଜ୍ୟୋତିର୍ମୟ ଚେତନାରେ ରୂପାନ୍ତରିତ କରିବାକୁ ହେବ ।

ହେ ଭଗବାନ୍ ! ପ୍ରେମର ମଧୁର ସ୍ଵାମି, ସକଳଙ୍କ ମଧ୍ୟରେ ତୋତେ ଏତେ ଜୀବନ୍ତ, ଏତେ ସଚେତନ ଭାବେ ମୁଁ ଦେଖେ, ଅସୀମ ଭକ୍ତି ନେଇ ମୁଁ ତୋର ପୂଜାକରେ ।