ନିଜ ଭିତରେ ହିଁ ସକଳ ବାଧା, ନିଜ ଭିତରେ ହିଁ ସକଳ ବିଘ୍ନ, ନିଜ ଭିତରେ ହିଁ ସକଳ ଅନ୍ଧକାର ଓ ଅଜ୍ଞାନ । ଯଦି ଆମକୁ ସାରା ପୃଥିବୀ ବି ଭ୍ରମଣ କରିବାକୁ ହୁଏ, କୌଣସି ନିର୍ଜନ ସ୍ଥାନରେ ଯଦି ଆମେ ନିଜକୁ ନିମଜ୍ଜିତ କରିଦେଉ, ଯଦି ସମସ୍ତ ପୁରାତନ ଅଭ୍ୟାସକୁ ଭାଙ୍ଗିଦେଉ, କଠୋର ତପସ୍ଵୀର ଜୀବନ ଯାପନ କରୁ ତଥାପି ଯଦି କୌଣସି ମାୟାର ବନ୍ଧନ ଆମର ଚେତନାକୁ ତୋର ପୂର୍ଣ୍ଣ ଚେତନାଠାରୁ ଦୂରରେ ପଛକୁ ଟାଣିଧରେ, ଯଦି କୌଣସି ଅହଂଗତ ଆସକ୍ତି ତୋ ଦିବ୍ୟପ୍ରେମ ସହ ଅଖଣ୍ଡ ସଂଯୋଗରୁ ଆମକୁ ବଞ୍ଚିତ କରେ, ତେବେ ବାହ୍ୟ ଅବସ୍ଥା ଯା ହେଉ ନା କାହିଁକି, ଆମ୍ଭେମାନେ କେବେହେଲେ ତୋ ନିକଟବର୍ତ୍ତୀ ହୋଇପାରିବୁ ନାହିଁ । କ’ଣ ଏପରିକିଛି ଅବସ୍ଥା ଅଛି ଯାହାକି କମ୍ ଅନୁକୁଳ ବା ବେଶୀ ଅନୁକୁଳ ? ମୋର ଏ ବିଷୟରେ ସନ୍ଦେହ ହୁଏ । କୌଣସି ଅବସ୍ଥା ଆମ୍ଭମାନଙ୍କୁ ଯେଉଁ ଶିକ୍ଷା ଦିଏ, ସେଥିରେ ଆମ୍ଭମାନଙ୍କର ଲାଭ ହୁଏ କି ନାହିଁ ତାହା ନିର୍ଭର କରେ ସେଇ ଅବସ୍ଥା ସମ୍ପର୍କରେ ଆମ୍ଭମାନଙ୍କର ଯେଉଁ ଧାରଣା ଥାଏ ତାହା ଉପରେ ।
ହେ ପ୍ରଭୁ, ମିନତି କରୁଛି, ଯେଉଁ ଉପାଦାନର ସମଷ୍ଟି ନେଇ ଏହି ବ୍ୟକ୍ତିତ୍ୱଟି ଗଠିତ ତାହା ସମ୍ପର୍କରେ ଯେପରି ମୋର ପୂର୍ଣ୍ଣ ଜ୍ଞାନ ଓ ପୂର୍ଣ୍ଣ କତ୍ୱ ରହେ, ଫଳରେ ମୁଁ ଯେପରି ମୋ ନିଜଠାରୁ ମୁକ୍ତ ହୁଏ ଓ ଏକ ମାତ୍ର ତୁହିଁ ଯେପରି ଏହି ବହୁବିଧ ଉପାଦାନ ମଧ୍ୟରେ ବାସ କରୁ ଏବଂ କାର୍ଯ୍ୟ କରୁ ।
ଭଗବାନ୍, ପ୍ରେମ ମଧ୍ୟରେ, ପ୍ରେମ ସହାୟତାରେ, ପ୍ରେମ ନିମନ୍ତେ ତୋର ଊର୍ଦ୍ଧ୍ୱତମ ପ୍ରକାଶ ସଙ୍ଗରେ ଅଚ୍ଛେଦ୍ୟଭାବେ ସଂଯୁକ୍ତ ହୋଇ ଯେପରି ବାସ କରିପାରେ…
ନିରନ୍ତର ଆହୁରି ଜ୍ୟୋତି, ଆହୁରି ସୌନ୍ଦର୍ଯ୍ୟ, ଆହୁରି ସତ୍ୟ !