ଖାତା ଖଣ୍ଡିକ ଖୋଲି ବହୁ ସମୟରୁ ବସିଛି, କ’ଣ ଲେଖିବି କିଛି ସ୍ଥିର କରିପାରୁନାହିଁ – ଦେଖୁଛି ସବୁକିଛି ମୋ ମଧ୍ୟରେ ଅତି ସାଧାରଣ, ମୂଲ୍ୟହୀନ, ପ୍ରାଣହୀନ, ଏତେ ତୁଚ୍ଛ ଯେ କହିବା କଥା ନୁହେଁ । ମୋ ମସ୍ତିଷ୍କରେ କୌଣସି ବିଚାର ନାହିଁ, ହୃଦୟରେ କୌଣସି ଅନୁଭବ ନାହିଁ, ସବୁ ବସ୍ତୁ ପ୍ରତି ରହିଛି ପୂର୍ଣ୍ଣ ଉଦାସୀନତା ଓ ଅନତିକ୍ରମଣୀୟ ଜଡ଼ତା ।
ଏପରି ଅବସ୍ଥାର କ’ଣ ବା ଉପଯୋଗିତା ?
ସଂସାରରେ ମୁଁ ଯେପରି ପୂରା ଶୂନ୍ୟ ।
ଅବଶ୍ୟ ଏସବୁର କିଛି ମହତ୍ତ୍ୱ ନାହିଁ । ଯଦି ତୋ କାର୍ଯ୍ୟ ସମ୍ପନ୍ନ ହୁଏ, ତୋ ଆବିର୍ଭାବ ଯଦି ଘଟେ, ପୃଥିବୀ ଯଦି କ୍ରମଶଃ ତୋର ହିଁ ସୁସମୃଦ୍ଧ, ସୁସମଞ୍ଜସ ସାମ୍ରାଜ୍ୟ ହୁଏ, ତେବେ ସେହି କାର୍ଯ୍ୟ ମୋ ଦ୍ୱାରା ହେଉ ବା ନ ହେଉ ସେଥିରେ କିଛି ଯାଏ ଆସେନାହିଁ ।
କାରଣ ଏହା ନିଶ୍ଚିତ ଯେ ଏହା ଅବଶ୍ୟ ହେବ, ମୋର ଚିନ୍ତା କରିବାର କୌଣସି କାରଣ ନାହିଁ, ଯଦିଓ ସେଥିପାଇଁ ମୋର ଇଚ୍ଛା ଓ ପ୍ରବୃତ୍ତି ରହିଛି । ଅତି ଗଭୀରତମ ପ୍ରଦେଶରୁ ଅତି ବାହ୍ୟତମ ପ୍ରଦେଶ ପର୍ଯ୍ୟନ୍ତ ମୋର ଏହି ସମସ୍ତ ସତ୍ତା ସାମାନ୍ୟ ଧୂଳିକଣାଟିଏ ମାତ୍ର, ତେଣୁ ଏହା ସ୍ଵାଭାବିକ ଯେ କୌଣସି ଚିହ୍ନବର୍ଣ୍ଣ ନ ରଖି ଏହା ବାୟୁ ଦ୍ଵାରା କୁଆଡ଼େ ଉଡ଼ି ଉଭେଇଯିବ ।