ହେ ଭଗବାନ୍ ! ସେବକ ଓ ଯନ୍ତ୍ରର ଭୂମିକା ଗ୍ରହଣ କରି ମୁଁ କ’ଣ ତୋ ଆଡ଼କୁ ଫେରି ତୋର ସ୍ତୁତିଗାନ କରିବି ନା ତୋର ସନାତନ ସଦ୍ବସ୍ତୁ ଏବଂ ଅସୀମ ଆନନ୍ଦ ମଧ୍ୟରେ ତୋ ସଙ୍ଗେ ଏକୀଭୂତ ହୋଇ ମନୁଷ୍ୟକୁ ସେହି ସୁଖଶାନ୍ତିର କଥା କହିବି ଯାହା ସେମାନେ ଜାଣନ୍ତି ନାହିଁ ? … ଏହି ଦୁଇଟି ମନୋଭାବ ଏକ ସଙ୍ଗେ ରହିଛି, ଦୁଇଟି ଚେତନା ସମାନ୍ତରାଳ ଭାବେ ଚାଲୁଛି, ଆଉ ଏହି ଘନିଷ୍ଠ ଏବଂ ଅଚ୍ଛେଦ୍ୟ ଐକ୍ୟ ମଧ୍ୟରେ ହିଁ ପରିପୂର୍ଣ୍ଣତା ।
ନିଃସନ୍ଦେହରେ ସ୍ଵର୍ଗ ଜୟ ହୋଇଛି – କୌଣସି ବସ୍ତୁ ବା କୌଣସି ବ୍ୟକ୍ତିର କ୍ଷମତା ନାହିଁ ତାକୁ ମୋଠାରୁ କାଢ଼ି ନେବା ପାଇଁ । କିନ୍ତୁ ପୃଥିବୀର ବିଜୟ ଏବେ ବି ବାକୀ ଅଛି; ଏହି କାର୍ଯ୍ୟ ଚାଲିଛି ସତ, ମାତ୍ର ଦୁର୍ଯୋଗ ମଧ୍ୟଦେଇ – ଆଉ ବିଜୟ ଲାଭ ହେଲେ ମଧ୍ୟ ତାହା ହେବ ଆପେକ୍ଷିକ; ଏହି ଜଗତରେ ଯେତେସବୁ ବିଜୟ ତାହା କେବଳ ସୋପାନ ମାତ୍ର, ତାହା କ୍ରମଶଃ ଆହୁରି ବୃହତ୍ତର ବିଜୟ ଆଡ଼କୁ ନେଇ ଚାଲେ । ତୋ ସଂକଳ୍ପ ମୋ ମନରେ ଯେଉଁ ଲକ୍ଷ୍ୟରେ ପହଞ୍ଚିବାକୁ ହେବ, ଯେଉଁ ବିଜୟ ଲାଭ କରିବାକୁ ହେବ ସେ ସମ୍ପର୍କରେ ଯେଉଁ ଧାରଣା ଜନ୍ମାଏ ତାହା ତୋ ଶାଶ୍ୱତ ପରିକଳ୍ପନାର କେବଳ ଗୋଟିଏ ସାମାନ୍ୟ ଅଙ୍ଗ ମାତ୍ର । କିନ୍ତୁ ତୋ ସଙ୍ଗେ ଯେତେବେଳେ ମୋର ପୂର୍ଣ୍ଣ ସାଯୁଜ୍ୟ, ସେତେବେଳେ ମୁଁ ନିଜେ ହିଁ ତ ଏହି ପରିକଳ୍ପନା, ଏହି ସଂକଳ୍ପ, ଏବଂ ସେତେବେଳେ ମୁଁ ଅସୀମର ପରମାନନ୍ଦ ଉପଭୋଗ କରେ ଯେତେବେଳେ ଏହି ଭେଦମୟ ଜଗତରେ ଯେଉଁ ବିଶେଷ ଭୂମିକା ତୁ ମୋ ଉପରେ ନ୍ୟସ୍ତ କରିଛୁ ତାହା ମୁଁ ଯଥାଯଥ ଭାବେ, ଉତ୍ସାହର ସହ ଉଦ୍ୟମର ସହ ଅଭିନୟ କରିଚାଲେ ।
ମୋ ଅନ୍ତରରେ ତୋ ଶକ୍ତି ସୁଫଳ ଓ ସବଳ ଉତ୍ସ ତୁଲ୍ୟ; ପାହାଡ଼ କୋଳରେ ତାହା ଗର୍ଜନ କରୁଛି, ବାଧାସକଳ ଭାଙ୍ଗି ଦେବାକୁ, ବାହାରେ ମୁକ୍ତଭାବେ ପ୍ରବାହିତ ହେବାକୁ, ଚତୁର୍ଦିଗର ସମତଳ ଭୂମିକୁ ଊର୍ଦ୍ଧ୍ୱର କରିବା ସକାଶେ ଏହା ସମସ୍ତ ସାମର୍ଥ୍ୟ ଏକତ୍ରିତ କରୁଛି । କିନ୍ତୁ କେବେ ଏହି ଉତ୍ସାରଣ ଘଟିବ ? ସମୟ ଯେତେବେଳେ ଆସିବ, ସେତେବେଳେ ତାହା ଘଟିବ, କାରଣ ଅନନ୍ତକାଳ ମଧ୍ୟରେ ବିଶେଷ ମୁହୂର୍ତ୍ତ କିଛି ବି ନୁହେଁ । ଆଗାମୀ କାଲି ତୋର ଯେଉଁ ସଂକଳ୍ପ ପ୍ରକଟ ହେବ ତା’ର ଅନୁଗତ ହୋଇସମସ୍ତ ଶକ୍ତି ଚାଲୁଛନ୍ତି, ସମଗ୍ର ସୃଷ୍ଟି ଉପରେ ବିସ୍ତୃତ ହେବାକୁ ତୟାରି ହୋଇ ଉଠୁଛନ୍ତି, ଯାହା କିଛି ତୋର ପୁରାତନ ସଂକଳ୍ପକୁ ଚିରକାଳ ପ୍ରକାଶ କରି ଚାଲିବାକୁ ଚାହେଁ, ସର୍ବଜୟୀ ପରିପ୍ଲାବନରେ ତାହାକୁ ବୁଡ଼ାଇ ଦେବାକୁ ଚାଲୁଛନ୍ତି ଯଦ୍ଦ୍ୱାରା ପରିଶେଷରେ ତୋ ନାମରେ ସେମାନେ ସମଗ୍ର ପୃଥିବୀକୁ ଅଧୀକାର କରିପାରନ୍ତି ଏବଂ ତୋ ପାଖରେ ତାହାକୁ ତୋରି ପୂର୍ଣ୍ଣତର ରୂପରେ ସମର୍ପଣ କରିପାରନ୍ତି – ଶକ୍ତି ସମୂହଙ୍କର ଏହି ଯେଉଁ ଆନ୍ତର ଆତ୍ମସଞ୍ଚୟ, ଏହି ଯେଉଁ ଆତ୍ମନିବିଷ୍ଟତା, ତା’ ମଧ୍ୟରେ ରହିଛି ଯେଉଁ ବିପୁଳ ଆନନ୍ଦ, କେଉଁ କଥାରେ ତାହା ବ୍ୟକ୍ତ କରିହେବ ?
ତୁ କହିଛୁ ଯେ ପୃଥିବୀର ମୃତ୍ୟୁ ହେବ, ଏବଂ ତାହାର ସେତିକି ମୃତ୍ୟୁ ଘଟିବ ଯେତିକି ସେ ତାହାର ପ୍ରାଚୀନ ଅଜ୍ଞାନ ମଧ୍ୟରେ ରହିଛି ।
ତୁ କହିଛୁ ଯେ ପୃଥିବୀ ବଞ୍ଚିବ, ଏବଂ ସେ ସେତିକି ବଞ୍ଚି ରହିବ ଯେତିକି ସେ ତୋର ମହାଶକ୍ତି ମଧ୍ୟରେ ନବ ଜୀବନ ଲାଭ କରିବ ।
କେଉଁ ବାକ୍ୟ ତୋର ଦିବ୍ୟ ଧର୍ମର ଔଜ୍ଜ୍ୱଲ୍ୟ ଏବଂ ତୋ ମହିମାର ଐଶ୍ଵର୍ଯ୍ୟ ପ୍ରକାଶ କରିପାରିବ ! କେଉଁ ଶବ୍ଦ ତୋ ଚେତନାର ପୂର୍ଣ୍ଣତା, ତୋ ଅସୀମ ପ୍ରେମର ଆନନ୍ଦ ବ୍ୟକ୍ତ କରିପାରିବ !
କେଉଁ ବାକ୍ୟରେ ସଙ୍ଗୀତ ହୋଇପାରିବ ତୋର ଅନିର୍ବଚନୀୟ ଶାନ୍ତି, କୀର୍ତ୍ତିତ ହୋଇପାରିବ ତୋ ନୀରବତାର ମାହାତ୍ମ୍ୟ, ତୋର ସର୍ବଶକ୍ତିମୟ ସତ୍ୟର ମହତ୍ତ୍ୱ?
ସମଗ୍ର ବ୍ୟକ୍ତ ବିଶ୍ଵ ତୋ ଐଶ୍ଵର୍ଯ୍ୟର ବର୍ଣ୍ଣନା ଦେବାକୁ, ତୋ ଅତ୍ୟାଶ୍ଚର୍ଯ୍ୟ କୃତିର ବିବରଣୀ ଦେବାକୁ ଯଥେଷ୍ଟ ନୁହେଁ । କାଳର ଅନନ୍ତଧାରା ମଧ୍ୟରେ ସେ ଏଥି ନିମନ୍ତେ ଚେଷ୍ଟା କରି ଚାଲୁଛି ଅଧିକରୁ ଅଧିକତର ଉତ୍ତମ ଭାବେ ଏବଂ ଚିରକାଳ ଧରି ।