Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୧୫, ୧୯୧୪

ମୋ ଚିନ୍ତା ତୋ ଦ୍ୱାରା ପୂର୍ଣ୍ଣ, ପୂର୍ଣ୍ଣ ମୋର ହୃଦୟ, ପରିପୂର୍ଣ୍ଣ ମୋର ସମଗ୍ର ସତ୍ତା ତୋ ସାନିଧ୍ୟରେ; ବଢ଼ିଚାଲିଛି ଶାନ୍ତି, ଏହି ଶାନ୍ତି ଜନ୍ମ ଦେଉଛି ସ୍ଥିର ପ୍ରଶାନ୍ତିର ଏପରି ଏକ ଅବିମିଶ୍ର ସୁଖ, ମନେହୁଏ ତାହା ଯେପରି ବିଶ୍ୱ ତୁଲ୍ୟ ବ୍ୟାପକ ଏବଂ ଅତଳସ୍ପର୍ଶୀ ଗଭୀରତା ତୁଲ୍ୟ ଗମ୍ଭୀର, ଯେଉଁ ଗଭୀରତା ଆମକୁ ତୋ ଆଡ଼କୁ ନେଇଯାଏ ।

ହେ ଭଗବାନ୍, ସେହିସବୁ ରାତ୍ରି କି ନୀରବ କି ନିର୍ମଳ ଯେଉଁ ସମୟରେ ମୋର ପରିପ୍ଳୁତ ହୃଦୟ ତୋ ଦିବ୍ୟପ୍ରେମ ସଙ୍ଗେ ଏକୀଭୂତ ହୁଏ, ସକଳ ବସ୍ତୁ ମଧ୍ୟରେ ପ୍ରବେଶକରେ, ସକଳ ଜୀବନକୁ ଆଲିଙ୍ଗନ କରେ, ସକଳ ଚିନ୍ତାକୁ ଆଲୋକିତ ଓ ସଂଜୀବିତ କରେ, ସକଳ ଭାବାବେଗ ଶୁଦ୍ଧ କରେ, ସକଳ ଚେତନା ମଧ୍ୟରେ ଜାଗ୍ରତ୍ କରେ ତୋ ଅନୁପମ ସାନ୍ନିଧ୍ୟର ଚେତନା ଓ ତନ୍ମଧ୍ୟରୁ ଜାତ ଅନିର୍ବଚନୀୟ ଶାନ୍ତିର ଚେତନା ।

ହେ ପ୍ରଭୁ, ଏହାହିଁ କର, ଏହି ଚେତନା, ଏହି ଶାନ୍ତି ଯେପରି ଆମ୍ଭମାନଙ୍କ ମଧ୍ୟରେ କ୍ରମଶଃ ବୁଦ୍ଧି ପାଏ, ଯଦ୍ଦ୍ୱାରା ଆମ୍ଭେମାନେ ତୋର ଅଦ୍ୱିତୀୟ ଦିବ୍ୟବିଧାନର ଉତ୍ତରୋତ୍ତର ଏକନିଷ୍ଠ ସେବକ ହୋଇପାରୁ ।