Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୨୪, ୧୯୧୪

କାଲି ମୁଁ ଯେଉଁସବୁ ଚିନ୍ତା କରିଛି ତାହାର ସିଦ୍ଧାନ୍ତ ହେଲା ଏହି ଯେ ମୁଁ ଯେଉଁ ଏକମାତ୍ର ବାଧା ଅନୁଭବ କରେ, ତାହା ଆସେ ଗୋଟିଏ ଭୟରୁ – ସେହି ଭୟ ହେଲା, ହୁଏ ତ ମୁଁ ତୋର ଦିବ୍ୟବିଧାନ ସଙ୍ଗେ ଏକୀଭୂତ ହୋଇପାରି ନାହିଁ ଅଥବା ପୂର୍ଣ୍ଣରୂପେ ଏକୀଭୂତ ହୋଇ ନାହିଁ । ଆଉ ବାସ୍ତବରେ ଏହି ବାଧାବିପତି ଆସେ ଠିକ୍ ଏହି କାରଣରୁ ଯେ ଏକତ୍ଵ ପରିପୂର୍ଣ୍ଣ ହୋଇ ନାହିଁ ଯଦି ଏହା ପୂର୍ଣ୍ଣ ହୋଇ ଥାଆନ୍ତି, ତେବେ ଏହା ପୂର୍ଣ୍ଣ ହୋଇଛି କି ନାହିଁ ଏହି ପ୍ରଶ୍ନ ମୁଁ ନିଜକୁ ପଚାରି ପାରି ନ ଥାନ୍ତି ଏବଂ ଅନ୍ୟ ପକ୍ଷରେ, ମୁଁ ନିଜ ଅନୁଭୂତିରୁ ଜାଣେ ଯେ ସେହି ଅବସ୍ଥାରେ କୌଣସି ବାଧାବିପତ୍ତି ଆସିବା ଏକେବାରେ ସମ୍ଭବ ନୁହେଁ ।

କିନ୍ତୁ ଆମ୍ଭେମାନେ ଯେବେ ଗୋଟାଏ ଭୁଲ କରୁ ବା ଗୋଟାଏ ମିଥ୍ୟା ପଦକ୍ଷେପ ଗ୍ରହଣ କରୁ, ସେତେବେଳେ ଆମ୍ଭମାନଙ୍କର ଯେଉଁ ଯଥାର୍ଥ ଚିନ୍ତା କରିବା ଉଚିତ ତାହା ନ କରି ନିଜକୁ ଏପରି କହିବା ଉଚିତ ନୁହେଁ, “ମୋର ଆହୁରି ଭଲ ଭାବରେ କରିବା ଉଚିତ ଥି, ଏହି କାର୍ଯ୍ୟଟି ନ କରି ସେ କାର୍ଯ୍ୟଟି କରିବା ଉଚିତ ଥିଲା ।” ବରଂ ଏହା କହିବା ଉଚିତ, “ଶାଶ୍ୱତ ଚେତନା ସଙ୍ଗେ ମୋର ପର୍ଯ୍ୟାପ୍ତ ଏକତ୍ୱ ହୋଇ ନ ଥିଲା, ଏହି ଚରମ ଓ ପୂର୍ଣ୍ଣ ମିଳନ ସାଧନ କରିବା ସକାଶେ ମୁଁ ଆହୁରି ବେଶୀ ଚେଷ୍ଟା କରିବି ।”

ଗତକାଲି ଉପରବେଳା ମୁଁ ନୀରବରେ ଦୀର୍ଘ କାଳ ଧରି ଧ୍ୟାନମଗ୍ନ ଥିଲି, ସେତେବେଳେ ଶେଷରେ ମୁଁ ବୁଝିପାରିଲି ଯେଉଁ ବସ୍ତୁ ସମ୍ବନ୍ଧରେ ଚିନ୍ତା କରୁଛି ତାହା ସଙ୍ଗ ଯଥାର୍ଥ ଏକତ୍ଵର ଅର୍ଥ କ’ଣ ? ଏହି ଯେଉଁ ଉପଲବ୍ଧର ସ୍ପର୍ଶ ମୁଁ ପାଇଛି ତାହା କେବଳ ଚିନ୍ତାର ଏକାଗ୍ରତା ଏବଂ ପୂର୍ଣ୍ଣ ସଂଯମ ଦ୍ଵାରା; କୌଣସି ନୈତିକ ଅବସ୍ଥା ଲାଭକରି ନୁହେଁ । ମୁଁ ବୁଝିପାରିଲି ଯେ ଏହି ଉପଲବ୍ଧ ପୂର୍ଣ୍ଣତା ଲାଭ କରିବାକୁ ହେଲେ ଦୀର୍ଘଏବଂ ଖୁବ୍ ଦୀର୍ଘ ସମୟ ଧରି ଧ୍ୟାନ କରିବା ମୋର ଆବଶ୍ୟକ । ହେ ପ୍ରଭୁ, ଏହାହିଁ ମୋର ଅନ୍ୟତମ ଲକ୍ଷ୍ୟ, ମୁଁ ଆଶା କରୁଛି ମୋର ଭାରତ ଯାତ୍ରାରେ ଏହା ମୁଁ ଲାଭ କରିବି, ଅବଶ୍ୟ ଏହା ଯଦି ତୋର ସେବା ସକାଶେ ତୁ ପ୍ରୟୋଜନ ବୋଲି ମନେ କରୁ ।

ମୋର ଅଗ୍ର ଗତି ମନ୍ଥର, ଖୁବ୍ ମନ୍ଥର, ତଥାପି ଆଶା କରୁଛି ଏହାର କ୍ଷତିପୂରଣ ସ୍ୱରୂପ ତାହା ହେବ ସ୍ଥାୟୀ ଏବଂ ସକଳ ଉତ୍‌ଥାନ-ପତନର ଊର୍ଦ୍ଧ୍ୱରେ ।

ହେ ପ୍ରଭୁ, ଏହାହିଁ କର ମୁଁ ଯେପରି ମୋ ଜୀବନବ୍ରତ ଉଦ୍‌ଯାପନ କରିପାରେ, ତୋ ସର୍ବାଙ୍ଗୀନ ଅଭିବ୍ୟକ୍ତିରେ ସହାୟକ ହୋଇପାରେ ।