ହେ ପ୍ରଭୁ, ଅବଧାରଣୀୟ ସଦ୍ବସ୍ତୁ, ଆମ୍ଭେମାନେ ଯେତେ ବିଜୟୀ ହୋଇ ଆଗେଇ ଚାଲୁ ଏବଂ ତାହା ଯେତେ ଫଳପ୍ରସୂ ହେଲେ ମଧ, ତୁ ସର୍ବଦା ସେତେହିଁ ଦୂରକୁ ପଳାଇଯାଉ । ତୋତେ ଆମ୍ଭେମାନେ ଯେତେ ଜାଣିଲେ ସୁଦ୍ଧା, ତୋର ଶାଶ୍ୱତ ରହସ୍ୟଠାରୁ ଯେତେ କିଛି ଆମ୍ଭେମାନେ ଆହରଣ କଲେ ସୁଦ୍ଧା, ତୁ ସର୍ବଦା ହିଁ ଅଜ୍ଞାତ ରହିଯିବୁ । ପରିପୂର୍ଣ୍ଣ ଓ ଅବିଚ୍ଛିନ୍ନ ଉଦ୍ୟମ ସହ ତୋ ଆଡ଼କୁ ଗତି କରୁଥିବା ବିବିଧ ଧାରା ସକଳକୁ ଏକତ୍ର କରି ଆମ୍ଭେମାନେ ତୋ ଆଡ଼କୁ ଗୋଟିଏ କ୍ରମସ୍ଫୀତ, ଅଦମ୍ୟ ସ୍ରୋତ ତୁଲ୍ୟ ଅଗ୍ରଗତି କରିବୁ ସକଳ ବାଧାବିଘ୍ନକୁ ଚୂର୍ଣ୍ଣ କରି, ପ୍ରତିବନ୍ଧକ ଅତିକ୍ରମ କରି, ଆବରଣ ଉନ୍ମୋଚନ କରି, ମେଘ ଦୂର କରି, ସକଳ ଅନ୍ଧକାର ଭେଦ କରି । ଆମ୍ଭେମାନେ ତୋ ଦିଗରେ, ସର୍ବଦା ହିଁ ତୋ ଦିଗରେ ଅଗ୍ରସର ହେବୁ, ଏପରି ତୀବ୍ର ଏବଂ ଏପରି ଅବାଧବେଗ ସହ ଯେ ଆମ୍ଭର ପଶ୍ଚାତରେ ଥିବା ଏକ ବିଶାଳ ସଂଘକୁ ଟାଣି ନେଇପାରିବୁ, ଏବଂ ପୃଥିବୀ ତୋର ଅଭିନବ, ତୋର ଶାଶ୍ୱତ ସାନିଧ୍ୟରେ ସଜାଗ ହୋଇ ହୃଦୟଙ୍ଗମ କରିବ ତା’ର ଯଥାର୍ଥ ଲକ୍ଷ୍ୟ କ’ଣ ଏବଂ ତୋତେ ପୂର୍ଣ୍ଣଭାବେ ଲାଭ କରି ସୁସଙ୍ଗତି ଏବଂଶାନ୍ତି ମଧ୍ୟରେ ବାସ କରିପାରିବ ।
ଆମ୍ଭମାନଙ୍କୁ ଆହୁରି ଅଧିକ ଜ୍ଞାନ ପ୍ରଦାନ କର,
ଆମ୍ଭମାନଙ୍କୁ ବେଶୀ ବେଶୀ ଆଲୋକିତ କର,
ଆମ୍ଭର ଅଜ୍ଞାନତା ଦୂର କର,
ଆମ୍ଭର ମନକୁ ଉଦ୍ଭାସିତ କର,
ଆମ୍ଭର ହୃଦୟକୁ ରୂପାନ୍ତରିତ କର ।
ଦିଅ ଆମ୍ଭମାନଙ୍କୁ ସେହି ପ୍ରେମ ଯାହା କେବେ ବି ଶୁଷ୍କ ହୁଏ ନାହିଁ, ପ୍ରସ୍ତୁତ କର ସକଳ ହୃଦୟରେ ତୋର ସେହି ମଧୁର ବିଧାନ ।
ଭଗବାନ୍, ଆମ୍ଭେମାନେ ଅନନ୍ତକାଳ ନିମିତ୍ତ ତୋରି ।