Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୨୨, ୧୯୧୪

ହେ ଭଗବାନ୍ ! ତୁ ଅଜ୍ଞୟର ଦ୍ୱାରଦେଶରେ, ତୋତେ ପ୍ରଣାମ କରୁଛି ।

କିନ୍ତୁ ଏପରି କ’ଣ ତୁ ନିଜେ ନିଜକୁ ପ୍ରଣାମ କରୁ ନାହୁଁ – ତୋର ସେହି ପଦବୀରେ ଯେଉଁଠାରେ ତୁ ପରାସତ୍ତାର ଅଚିନ୍ତଃ ସାରସତ୍ତା, ଯାହା ଅପରିମେୟ ଗଭୀରତା ମଧ୍ୟରେ ରହିଛି ଓ ଏପରିକି ତୁ ଯେଉଁଠାରେ ନିଜକୁ ବାହ୍ୟତମରୂପେ ବାସ୍ତବ କରି ଧରିଛୁ, ସେଠାରେ ମଧ୍ୟ ? କାରଣ ତୁହିଁ ପରାସତ୍ତା, ସେ ସତ୍ତାର ଧାରା ଯାହା ହେଉ ନା କାହିଁକି, ଏବଂ ତୁହିଁ ଅଚିନ୍ତା ଶାଶ୍ୱତ, ତାହାହିଁ ତୋର ମୂଳ ତତ୍ତ୍ୱ । ଏହି ଅଖଣ୍ଡ ଚେତନାକୁ ତୁ ଆମ୍ଭମାନଙ୍କ ମଧ୍ୟରେ ସ୍ଥାପିତ କରିଛୁ, ଯେଉଁଥିରେ ଆମ୍ଭେମାନେ ତୁ ହୋଇପାରିବୁ, କେବଳ ମୂଳ ତତ୍ତ୍ୱରେ ନୁହେଁ, ପରନ୍ତୁ ସଚେତନ ଭାବେ ଏବଂ ସକ୍ରିୟ ଭାବେ ମଧ୍ୟ । ଫଳତଃ ସବୁକିଛି ହେଲା ସପ୍ରେମ ଓ ସଭକ୍ତି ଆନନ୍ଦମୟ ଆଦାନପ୍ରଦାନ, ପରସ୍ପର ଅଭିବାଦନ ।ତାହା ହେଲା ମା’ଙ୍କ ତୋ ଆଡ଼କୁ ତୀବ୍ର ଅଭୀପ୍ସା ଏବଂ ତୋର ମା’ଙ୍କ ଆଡ଼କୁ ଅସୀମ ବଳିଷ୍ଠ ପ୍ରତ୍ୟୁତ୍ତର, ଏବଂ ସେହି ଅଭୀପ୍ସା ତୋର ସମଗ୍ର ସତ୍ତାର ତଦଭିମୁଖୀ ଯାହା ଏପର୍ଯ୍ୟନ୍ତ ଅଭିବ୍ୟକ୍ତ ହୋଇ ନାହିଁ, ସେହି ଅଜ୍ଞୟ ଅଭିମୁଖୀ ଯାହାକୁ ଅମ୍ଭେମାନେ ଅଧିକରୁ ଅଧିକତର ଓ ପୂର୍ଣ୍ଣରୁ ପୂର୍ଣ୍ଣତର ଭାବେ ଜାଣିପାରିବୁ, କିନ୍ତୁ ତାହା ଚିରଦିନ ଅଜ୍ଞୟ ହୋଇ ହିଁ ରହିଯିବ ।

ପୂ ନୀରବତା ମଧ୍ୟରେ ସବୁକିଛି ଚିରବର୍ତ୍ତମାନ ଏବଂ ଶାଶ୍ଵତରୂପେ ରହିଛି, ବିଶ୍ଵପ୍ରକାଶ ମଧ୍ୟରେ ସବୁକିଛି ଚିରନ୍ତନ ସମ୍ମୁତି ଧାରାରେ ହୋଇଉଠିବ ।

ଚେତନାର ଏବଂ ଅଖଣ୍ଡ ଜୀବନର ପୂର୍ଣ୍ଣତା ଧାରଣ କରି ସତ୍ତା ଆନନ୍ଦରେ ସ୍ତୁତିଗାନ କରୁଛି ତାହା ନିମନ୍ତେ ଯାହା ଯୁଗପତ୍ର ବିଦ୍ୟମାନ ଏବଂ ଶାଶ୍ଵତରୂପେ ହୋଇଉଠିବ ।

ହେ ବିଶ୍ଵର ଅଧୀଶ୍ଵର, ତୋତେ ପ୍ରଣାମ କରୁଛି । ଯାହା ଅଛି ଏବଂ ଯାହା ହେବ ତୁ ଏହି ଉଭୟର ମଧ୍ୟସ୍ଥ, କାରଣ ତୁହିଁ ଏକାଧାରରେ ଯାହା ଅଛି ଏବଂ ଯାହା ହେବ ।

ହେ ବିରାଟ ଅପରୂପ ! ଯୁଗପତ୍ ତୁହିଁ ଗୋଚର ଏବଂ ଅନିର୍ବଚନୀୟ, ପରିପୂର୍ଣ୍ଣ ଜ୍ଞାନାଲୋକରେ ତୋତେ ପ୍ରଣତି ଜଣାଉଛି ।