Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୯, ୧୯୧୪

ଯେଉଁମାନେ ତୋରି ପାଇଁ ଓ ତୋ ମଧ୍ୟରେ ବାସ କରନ୍ତି, ସେମାନେ ସେମାନଙ୍କର ସ୍ଥୂଳ ପାରିପାର୍ଶିକ ଅବସ୍ଥା, ସେମାନଙ୍କର ଦୈନନ୍ଦିନ କର୍ମସୂଚୀ, ଅଭ୍ୟାସ, ଜଳବାୟୁ, ଆବେଷ୍ଟନୀସବୁ ପରିବର୍ତ୍ତନ କରିପାରନ୍ତି, କିନ୍ତୁ ତଥାପି ସର୍ବତ୍ର ସେମାନେ ପାଆନ୍ତି ସେଇଏକ ବାତାବରଣ । ସର୍ବତ୍ର ହିଁ ସେମାନେ ଅନୁଭବ କରନ୍ତି ନିଜ ଘରେ ଥିଲା ପରି, କାରଣ ସର୍ବତ୍ର ସେମାନେ ରହିଥାଆନ୍ତି ତୋରି ଘରେ । ବସ୍ତୁରାଜି ଓ ଦେଶର ନୂତନତ୍, ସେମାନଙ୍କର ଅଭାବନୀୟତ୍ଵ ଓ ସୌନ୍ଦର୍ଯ୍ୟ ଦେଖି ସେମାନେ ଆଉ ଚମକୃତ ହୁଅନ୍ତି ନାହିଁ । କାରଣ, ସେମାନେ ଦେଖନ୍ତି ସକଳ ଙ୍କ ମଧ୍ୟରେ ତୁହିଁ ବିଦ୍ୟମାନ ଏବଂ ସେମାନଙ୍କ ସଙ୍ଗରେ ତୋର ଯେଉଁ ଚିର ଅକ୍ଷୟ ଐଶ୍ଵର୍ଯ୍ୟ ସର୍ବଦା ରହିଥାଏ, କ୍ଷୁଦ୍ର ତମ ଧୂଳିକଣା ମଧ୍ୟରେ ବି ତାହା ପରିସ୍କୁଟ । ସମସ୍ତ ପୃଥିବୀ ତୋର ଜୟଗାନ କରେ; ସମସ୍ତ ଅନ୍ଧକାର, ଦୈନ୍ୟ ଓ ଅଜ୍ଞାନସତ୍ତ୍ୱେ ବି ଏସବୁ ମଧ୍ୟରେ ଆମେ ପ୍ରତ୍ୟକ୍ଷ କରୁ ତୋର ଦିବ୍ୟପ୍ରେମର ମହିମା ଏବଂ ତା’ସଙ୍ଗେ ସଂଯୋଗ ସ୍ଥାପନ କରିପାରୁ ନିରନ୍ତର ଓ ସର୍ବତ୍ର ।

ହେ ଭଗବାନ୍, ହେ ମଧୁର ପ୍ରଭୁ, ଏଇ ଜାହାଜ ଉପରେ ହିଁ ମୋର ଏ ସମସ୍ତ ଉପଲବ୍ଧ ହୋଇଛି । ମନେହୁଏ ଜାହାଜଟି ଯେପରି ଏକ ଶାନ୍ତିର ଧାମ, ପୁଣ୍ୟ ମନ୍ଦିର, ତୋତେ ହିଁ ପୂଜା ଦେଇ ଯେପରି ସେ ଚାଲିଛି ନିଷ୍କ୍ରିୟ ଅବ ଚେତନାର ତରଙ୍ଗ ରାଶି ଭେଦକରି । ସେ ଅବଚେତନାକୁ ଆମକୁ ଜୟ କରିବାକୁ ହେବ, ତାହାକୁ ତୋର ଦିବ୍ୟସତ୍ତାର ଚେତନାରେ ଜାଗ୍ରତ୍ କରିବାକୁ ହେବ ।

ସେହି ଦିନଟି କେତେ ପୁଣ୍ୟମୟ ଯେଉଁ ଦିନ ମୁଁ ତୋତେ ଜାଣିପାରିଲି, ହେ ଅନିର୍ବଚନୀୟ ଶାଶ୍ୱତ !

ସମସ୍ତ ଦିନ ମଧ୍ୟରେ ପୁଣ୍ୟତମ ସେହି ଦିନ ଯେଉଁଦିନ ଅବଶେଷରେ ପୃଥିବୀ ଜାଗ୍ରତ୍ ହୋଇ ତୋତେ ଜାଣିପାରିବ ଓ କେବଳ ତୋ ପାଇଁ ଜୀବନଧାରଣ କରିବ ।<