Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୭, ୧୯୧୩

ତିନି ମାସ ଅନୁପସ୍ଥିତି ପରେ, ହେ ଭଗବାନ୍ ତୋ ନାମରେ ଉତ୍ସର୍ଗୀକୃତ ଏହି ଗୃହକୁ ଫେରି ମୋର ଦୁଇଟି ଉପଲବ୍ଧ ହେଲା । ପ୍ରଥମତଃ, ମୋର ବାହ୍ୟ ସତ୍ତାରେ, ମୋର ସ୍ଥୂଳ ଚେତନାରେ ମୁଁ ଆଉ ଆଦୌ ଅନୁଭବ କରୁ ନାହିଁ ଯେ ମୁଁ ମୋ ନିଜ ଘରେ ରହିଛି, ଅଥବା ସେଠାରେ ମୁଁ କୌଣସି କିଛିର ମାଲିକ । ମୁଁ ଯେପରି ବିଦେଶରେ ଜଣେ ବିଦେଶିନୀ – ଲୋକାଳୟର ବାହାରେ ବନସ୍ଥଳୀର ତରୁଲତା ମଧ୍ୟରେ ଯେପରି ବିଦେଶ ପରି ମନେହୁଏ, ତା’ଠାରୁ ବି ଅଧିକ । ବର୍ତ୍ତମାନ ମୋତେ ହସ ଲାଗୁଛି, ଯେଉଁ ବିଷୟ ଜାଣି ନ ଥିଲି ତାହା ଜାଣି, ଏହା ମନେ ପକାଇ ମୋତେ ହସ ଲାଗୁଛି ଯେ ଏ ଘର ଛାଡ଼ିବାର ପୂର୍ବ ପର୍ଯ୍ୟନ୍ତ ମଧ୍ୟ ମୁଁ ବୋଧ କରୁଥିଲି ମୁଁ ଏହି ଘରର କର୍ତ୍ତ୍ରୀ ବୋଲି । ମୋର ଅହଂବୋଧ ଭାଙ୍ଗି ଚୂରି ପେଷି ହୋଇଯାଉ ଚିରକାଳ ପାଇଁ, ଏହାହିଁ ତ ପ୍ରୟୋଜନ ଥିଲା, ଯାହାଫଳରେ ମୁଁ ବୁଝିପାରିବି, ଦେଖିପାରିବି, ଅନୁଭବ କରିପାରିବି ବସ୍ତୁର ଯଥାର୍ଥ ସ୍ଵରୂପକୁ । ହେ ଭଗବାନ୍, ଏହି ଗୃହ ମୁଁ ତୋତେ ଅର୍ପଣ କରିଥିଲି ସତ ଯେପରି ନିଜର ବୋଲି କିଛି ରହିବା ସମ୍ଭବ ଯାହାକି ମୁଁ ତୋତେ ଉତ୍ସର୍ଗ କରିପାରେ । ହେ ପ୍ରଭୁ, ସବୁକିଛି ତ ତୋହରି, ତୁହିଁ ସବୁକିଛିକୁ ଆମ ହାତରେ ଦେଇଛୁ ବ୍ୟବହାର କରିବାକୁ । ଆମେ ସତେ କେତେବଡ଼ ଅନ୍ଧ, ଯେତେବେଳେ ମନେ କରୁ ଆମେ କିଛିର ମାଲିକ । ମୁଁ ତ ଅତିଥି ମାତ୍ର, ଏଠାରେ ଯେପରି ସର୍ବତ୍ର ସେହିପରି, ପୃଥିବୀରେ ମୁଁ ତୋତେ ବାର୍ତ୍ତାବହ, ତୋର ସେବକ, ମନୁଷ୍ୟମାନଙ୍କ ମଧ୍ୟରେ ବିଦେଶିନୀ ମୁଁ, ତଥାପି ସେମାନଙ୍କ ଜୀବନର ପ୍ରାଣ, ହୃଦୟର ପ୍ରେମ ମୁଁ…

ଦ୍ୱିତୀୟତଃ, ଗୃହଟିର ସମସ୍ତ ବାତାବରଣରେ ମିଶି ରହିଛି ଗୋଟିଏ ପୁଣ୍ୟ ଗାମ୍ଭୀର୍ଯ୍ୟ, ସେଠାରେ ପ୍ରବେଶ କରିବା ମାତ୍ରେ ଯେପରି ଗଭୀରକୁ ଡୁବିଯାଏ, ଧ୍ୟାନ ସେଠାରେ ହୁଏ ନିବିଡ଼ତର ଓ ମହତ୍ତର, ବିକ୍ଷିପ୍ତତା ଚାଲିଯାଏ, ଆସେ ଏକାଗ୍ରତା – ଆଉଏହି ଏକାଗ୍ରତା, ମୁଁ ସ୍ପଷ୍ଟରୂପେ ଅନୁଭବ କରୁଛି ଯେ ତାହା ମସ୍ତକରୁ ଓହ୍ଲାଇ ହୃଦୟ ମଧ୍ୟରେ ପ୍ରବେଶ କରେ, ଆଉ ମନେହୁଏ ଯେପରି ହୃଦୟ ଲାଭ କରେ ମସ୍ତିଷ୍କ ଅପେକ୍ଷା ଅଧିକତର ଗଭୀରତା । ତିନି ମାସ ହେଲା ମୁଁ ଅନୁଭବ କରୁଛି ଯେପରି ଏତେଦିନ ମୁଁ କେବଳ ମସ୍ତିଷ୍କ ଦେଇ ପ୍ରେମ କରୁଥିଲି, ବର୍ତ୍ତମାନ ଆରମ୍ଭ କରିଛି ହୃଦୟ ଦେଇ ପ୍ରେମ କରିବାକୁ, ଏହାର ଅର୍ଥ ଏକ ଅନୁପମ ଭାବଗାମ୍ଭୀର୍ଯ୍ୟ ଓ ଭାବମାଧୁର୍ଯ୍ୟ ।

ମୋର ଆଧାରରେ ଏକ ନୂତନ ଦ୍ଵାର ଖୋଲିଯାଇଛି, ଏକ ବିଶାଳତା ଆସି ଦେଖାଦେଇଛି ।

ଦରଜା ମୁଁ ପାର ହୋଇ ଆସିଛି ଗଭୀର ଭକ୍ତିର ସହ, ତଥାପି ଏପର୍ଯ୍ୟନ୍ତ ମୁଁ ଏପଥରେ ଚାଲିବା ପାଇଁ ନିଜକୁ ଉପଯୁକ୍ତ ବୋଲି ଠିକ୍ ମନେ କରିପାରୁ ନାହିଁ । ପ୍ରଚ୍ଛନ୍ନ ଏହି ପଥ, ବାହ୍ୟଦୃଷ୍ଟି ପାଇଁ ଆବୃତ କିନ୍ତୁ ଅନ୍ତରରେ ଅଦୃଶ୍ୟଭାବେ ଜ୍ୟୋତିଃର୍ମୟ ।

ସବୁକିଛି ପରିବର୍ତ୍ତିତ ହୋଇଯାଇଛି, ସବୁ ହିଁ ନୂତନ, ପୁରାତନ ଜୀର୍ଣ୍ଣବସ୍ତ୍ର ଖସିପଡ଼ିଛି, ନବଜାତ ଶିଶୁ ଅର୍ଦ୍ଧ ଉନ୍ନୀଳିତ ଚକ୍ଷୁରେ ଚାହିଁ ରହିଛି ଉଦୀୟମାନ ଉଷାର ଆଲୋକ ଆଡ଼କୁ ।