Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୨୬, ୧୯୧୨

ପ୍ରତି ମୁହୂର୍ତ୍ତରେ ମୋ ଅନ୍ତରତମ କୃତଜ୍ଞତା ଜଣାଇ ତୋର ସ୍ତୁତି ଗାନ କରିବି ।ମୋ ଚତୁର୍ଦ୍ଦିଗରେ, ସର୍ବତ୍ର, ସକଳ ବସ୍ତୁ ମଧ୍ୟରେ ତୁ ନିଜକୁ ପ୍ରକାଶ କରୁଛୁ, ଏବଂ ମୋ ଭିତରେ ତୋ ଚେତନା, ତୋ ସଂକଳ୍ପ ସର୍ବଦା କ୍ରମଶଃ ସ୍ପଷ୍ଟତର ହେଉଛି; ଏତେଦୂର ତାହା ଅଗ୍ରସର ହୋଇଛି ଯେ “ମୁଁ” ଏବଂ “ମୋର” ବୋଲି ଏହି ଅତି ସ୍ଥୂଳ ଭ୍ରାନ୍ତି ପ୍ରାୟ ସଂପୂର୍ଣ୍ଣ ଲୋପ ହୋଇଯାଇଛି । ଏହି ଯେଉଁ ବିଶାଳ ଜ୍ୟୋତିଃ ତୋତେ ପ୍ରକାଶ କରୁଛି, ତା’ ମଧ୍ୟରେ ଯଦି ବର୍ତ୍ତମାନ କିଛି ଛାୟା ଓ କିଛି ସାମାନ୍ୟ ତ୍ରୁଟି କେଉଁଠି ଦେଖାଦିଏ, ତେବେ ସେସବୁ କେତେଦିନ ତୋର ସେହି ଭାସ୍ଵର ପ୍ରେମର ଅପରୂପ ଦୀପ୍ତି ସହ୍ୟ କରି ରହିବ ? ଯେଉଁ ସତ୍ତାଟିର ନାମ ଥିଲା “ମୁଁ” ତାକୁ ତୁ ଯେପରି ଗଢୁଛୁ, ଆଜି ସକାଳେ ମୋ ଚେତନାରେ ତା’ର ତୁଳନା ଆସିଲା ଖଣ୍ଡିଏ କାରୁଶ୍ରୀମୟ ବିଶାଳ ହୀରକର ସଙ୍ଗେ, ଯାହାକୁ ପ୍ରତ୍ୟେକ ଦିଗରୁ କାଟି କାଟି ସୁଷମ, ସୁରେଖ ଜ୍ୟାମିତିକ ଆକାର ଦିଆ ହୋଇଛି – ଯେଉଁ ହୀରକ ତା’ର ଘନତା, ଦୃଢ଼ତା, ବର୍ଣ୍ଣହୀନ ନିର୍ମଳତା ଓ ସ୍ଵଚ୍ଛତାରେ ଅପରୂପ କିନ୍ତୁ ସେହି ସଙ୍ଗେ ତାହା ଯେପରି ଗୋଟିଏ ଦୀପ୍ତ ପ୍ରଜ୍ଜ୍ୱଳ ଶିଖା – ଏପରି ତାହାର ପ୍ରଖର ଊର୍ଦ୍ଧ୍ୱଗାମୀ ଜୀବନୀଶକ୍ତି । କିନ୍ତୁ ଏହିସବୁ ଉପମାଠାରୁ ତାହା ଆହୁରି ବେଶୀ କିଛି, ଆହୁରି ଉତ୍କୃଷ୍ଟ କିଛି; କାରଣ ସେ ବସ୍ତୁଟି ବାହ୍ୟ ବା ଆନ୍ତର ସବୁପ୍ରକାର ଅନୁଭବକୁ ଅତିକ୍ରମ କରିଯାଏ । ପୂର୍ବୋକ୍ତ ଚିତ୍ରଟି ମୋ ମନ ମଧ୍ୟରେ ଆସି ଦେଖାଦେଲା ଯେବେ ବାହ୍ୟଜଗତର ଚେତନା ପୁନର୍ବାର ମୋ ଭିତରକୁ ଫେରି ଆସିକୁ ଆରମ୍ଭ କଲା ।

ଅନୁଭୂତିକୁ ତୁହିଁ ଫଳପ୍ରସୂ କରୁ, ତୋରି କଲ୍ୟାଣରେ ଜୀବନ କ୍ରମୋନ୍ନତି ଲାଭକରେ, ତୁହିଁ ମୁହୁର୍ତ୍ତକ ମଧ୍ୟରେ ଆଲୋକ ସମ୍ମୁଖରେ ଅନ୍ଧକାରକୁ ଅନ୍ତର୍ହିତ ହେବାକୁ ବାଧ୍ୟ କରୁ, ତୁହିଁ ପ୍ରେମକୁ ଦେଉ ତାହାର ସକଳ ସାମର୍ଥ୍ୟ, ତୁହିଁ ସର୍ବତ୍ର ଜଡ଼କୁ ତୋଳିଧରୁ ତାହା ମଧ୍ୟରେ ଏହି ଜ୍ୱଳନ୍ତ ଓ ଅପରୂପ ଅଭୀପ୍ସା ଓ ଶାଶ୍ଵତଙ୍କ ପ୍ରତି ମହତ୍ ତୃଷ୍ଣା ଭରି ଦେଇ ।

ତୁହିଁ ସର୍ବତ୍ର ଓ ସର୍ବଦା; ମୂଳତତ୍ତ୍ୱରେ ଓ ଅଭିବ୍ୟକ୍ତି ରେ କେବଳ ତୁହିଁ ।

ଛାୟା ଓ ମାୟା, ମିଳେଇ ଯାଅ ! ଦୁଃଖକଷ୍ଟ, ନିଶ୍ଚିହ୍ନ ହୁଅ, ଲୁପ୍ତ ହୁଅ ! ଭଗବାନ୍ ସର୍ବେଶ୍ଵର, ତୁ କ’ଣ ସେଠାରେ ନାହୁଁ !